ଜାତୀୟସ୍ତରୀୟ ସିଆଇଆଇ ଖଣି ଓ ନିର୍ମାଣ ଉପକରଣ ସମ୍ମିଳନୀ

ଚଳିତ ଆର୍ଥିକ ବର୍ଷରେ ପୁଞ୍ଜି ନିବେଶ ଆକୃଷ୍ଟ କରିବାରେ ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ରାଜ୍ୟର ସାମାଜିକ ଓ ଅର୍ଥନୈତିକ ବିକାଶରେ ଖଣି ଜଗତର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଗୁରୁତ୍ୱାରୋପ କରିଛନ୍ତି । ଗତ ତିନି ବର୍ଷ ମଧ୍ୟରେ ରାଜ୍ୟରେ ଖଣି ରାଜସ୍ୱରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି, ଯାହା କି ଗତ ବର୍ଷ ୧୦,୦୦୦ କୋଟି ଟଙ୍କାରୁ ୪୯,୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ରାଜ୍ୟର ଅଭିବୃଦ୍ଧି ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହି ସକାରାତ୍ମକ ଧାରା ଜାରି ରଖିବାକୁ ଶ୍ରୀ ଜେନା ପ୍ରତିଶ୍ରୁତି ଦେଇଛନ୍ତି । ଭୁବନେଶ୍ୱରରେ ଆୟୋଜିତ ଜାତୀୟସ୍ତରୀୟ ସିଆଇଆଇ ଖଣି ଓ ନିର୍ମାଣ ଉପକରଣ ସମ୍ମିଳନୀରେ ଉଦବୋଧନ ଦେଇ ଜେନା ରାଜ୍ୟର ବିକାଶରେ ଅଂଶଗ୍ରହଣ କରିବାକୁ ନିବେଶକମାନଙ୍କୁ ନିମନ୍ତ୍ରଣ କରିଥିଲେ । ଶିଳ୍ପ ନୀତି ସଂକଳ୍ପ (ଆଇପିଆର)ରେ ଦିଆଯାଇଥିବା ବିଭିନ୍ନ ପ୍ରୋତ୍ସାହନ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ । ଚଳିତ ଦଶନ୍ଧି ଶେଷ ସୁଦ୍ଧା ଓଡ଼ିଶା ୧୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନକାରୀ ରାଜ୍ୟରେ ପରିଣତ ହେବାର ମହତ୍ୱାକାଂକ୍ଷୀ ଯୋଜନା ରହିଛି ଏବଂ ଆଲୁମିନିୟମ ଶିଳ୍ପର ଅନେକ ପ୍ରମୁଖ କମ୍ପାନୀ ରାଜ୍ୟରେ ୟୁନିଟ୍ ସ୍ଥାପନ କରୁଛନ୍ତି । ଏହି ବିକାଶ ଦ୍ୱାରା ଖଣି କାର୍ଯ୍ୟକଳାପ ବୃଦ୍ଧି ପାଇବ ଏବଂ ସମସ୍ତ ଅଂଶୀଦାରଙ୍କ ପାଇଁ ସ୍ଥାୟୀ ଏବଂ ପରିବେଶ ଅନୁକୂଳ ଖଣି ଅଭ୍ୟାସକୁ ପ୍ରାଥମିକତା ଦେବା ଜରୁରୀ ହେବ ବୋଲି ସେ କହିଛନ୍ତି ।ଏହି ସମ୍ମିଳନୀରେ ଭାରତ ସରକାରଙ୍କ ସଡ଼କ ପରିବହନ ଓ ରାଜପଥ ସଚିବ ଅନୁରାଗ ଜୈନ ଦେଶର ଭିତିଭୂମି ବିକାଶ ଉପରେ ଆଲୋଚନା କରିଥିଲେ । ୮% ଅନ୍ତର୍ଜାତୀୟ ମାନକ ତୁଳନାରେ ଲଜିଷ୍ଟିକ୍ ଖର୍ଚ୍ଚ ଜାତୀୟ ଜିଡିପିର ୧୪% ମିଳିଥାଏ ବୋଲି ଉଲ୍ଲେଖ କରି ସେ ଏହି ଖର୍ଚ୍ଚକୁ ହ୍ରାସ କରିବା ଲାଗି ନୀତିର ଜରୁରୀକାଳୀନତା ପାଇଁ ଆହ୍ୱାନ ଦେଇଥିଲେ ଏବଂ ଭାରତରେ ଗବେଷଣା ଏବଂ ବିକାଶ କେନ୍ଦ୍ର ପ୍ରତିଷ୍ଠା ପାଇଁ ପରାମର୍ଶ ଦେଇଥିଲେ ।ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ରାଜ୍ୟର ରାଜନୈତିକ ସ୍ଥିରତା ଏବଂ ଦକ୍ଷ ଶ୍ରମଶକ୍ତି ଉପରେ ଆଲୋକପାତ କରି ଏହାକୁ ନିବେଶକଙ୍କ ପାଇଁ ଏକ ଆକର୍ଷଣୀୟ ସ୍ଥାନରେ ପରିଣତ ହୋଇଥିବା କହିଥିଲେ । ୨୦୨୩ ଆର୍ôଥକ ବର୍ଷରେ ୨୦.୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆକୃଷ୍ଟ କରିବାରେ ଓଡ଼ିଶା ଦେଶରେ ଦ୍ୱିତୀୟ ଓ ସମାନ ସମୟ ମଧ୍ୟରେ ବ୍ୟାଙ୍କ ସହାୟତାରେ ପୁଞ୍ଜିନିବେଶ ପ୍ରସ୍ତାବ ଆକୃଷ୍ଟ କରିବାରେ ତୃତୀୟ ସ୍ଥାନରେ ରହିଛି ବୋଲି ସେ ରେଖାଙ୍କିତ କରିଥିଲେ ।ଦେଶର ଖଣିଜ ଉତ୍ପାଦନର ମୋଟ ମୂଲ୍ୟର ୧୩.୮% ଓଡ଼ିଶା ଉତ୍ପାଦନ କରେ ବୋଲି ସେ ଦର୍ଶାଇଥିବା ବେଳେ ରାଜ୍ୟର ଜିଏସଡିପିରେ ଖଣି ଓ ଧାତୁ ବିଜ୍ଞାନ କ୍ଷେତ୍ରର ଅବଦାନ ୧୩%ରୁ ଅଧିକ ରହିଛି । ରାଜ୍ୟରେ ଇସ୍ପାତ ଉତ୍ପାଦନ ବର୍ତମାନର କ୍ଷମତା ୩୪ ଏମଏମଟିରୁ ୨୦୩୦ରେ ୧୩୮ ଏମଏମଟିକୁ ବୃଦ୍ଧି ପାଇବ । ସେହିପରି ଆଲୁମିନିୟମ ଉତ୍ପାଦନ କ୍ଷମତା ବର୍ତମାନର ୨.୬୪ ଏମଏମଟି କ୍ଷମତାରୁ ୨୦୩୦ରେ ୩.୮୪ ଏମଏମଟିକୁ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି । ଏହା ବ୍ୟତୀତ ସେ ଖଣିଜ ପଦାର୍ଥର ଦୀର୍ଘମିଆଦୀ ସଂଯୁକ୍ତ ନୀତି ବିଷୟରେ ଉଲ୍ଲେଖ କରିଥିଲେ ।ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସଡିପି)ରେ ଖଣି ଓ ଶିଳ୍ପର ଉଲ୍ଲେଖନୀୟ ଅବଦାନ ଯଥାକ୍ରମେ ୧୩ ପ୍ରତିଶତ ଓ ୪୦ ପ୍ରତିଶତ ରହିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଓଡ଼ିଶାର ଭିତିଭୂମି ପ୍ରକଳ୍ପଗୁଡ଼ିକ ରାଜ୍ୟର ଖଣିଜ ଓ ଶିଳ୍ପ କ୍ଷେତ୍ର ସହିତ ସଡ଼କ, ରେଳ, ବନ୍ଦର ଏବଂ ପାଇପ୍ ଲାଇନ୍ ସଂଯୋଗ କରିବା ପାଇଁ ରଣନୀତିକ ଭାବେ ଯୋଜନା କରାଯାଇଛି ।ଓଡ଼ିଶା ସରକାରଙ୍କ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଆଇଏଏସ୍ ଡି.କେ.ସିଂହ, ଦର୍ଶକମାନଙ୍କୁ ପରିବେଶ ଅବକ୍ଷୟର ଚିନ୍ତା ବିଷୟରେ ଅବଗତ କରାଇବା ସହ ସ୍ଥାୟୀତ୍ୱ ଏବଂ ଆନ୍ତଃ-ପିଢ଼ିର ସମାନତା ବିଷୟରେ ଆଲୋଚନା କରିବା ସହ ପରିବେଶ ଅନୁକୂଳ ଖଣିକୁ ପ୍ରୋତ୍ସାହିତ କରୁଥିବା ଦକ୍ଷ ଭିତିଭୂମିର ଉପଯୋଗ କରିବାକୁ ଖଣି ଅଂଶୀଦାରମାନଙ୍କୁ ପରାମର୍ଶ ଦେଇଥିଲେ ।ସିଆଇଆଇ ପୂର୍ବାଚଂଳ ଅଧ୍ୟକ୍ଷ ଶିବ ସିଦ୍ଧାନ୍ତ ନାରାୟଣ କୌଲ ପୁଞ୍ଜିନିବେଶକୁ ସୁଗମ କରିବା ପାଇଁ ଆଂଚଳିକ ପ୍ରତିବନ୍ଧକ ଦୂର କରିବା ରେ ଓଡ଼ିଶା ସରକାର, ସିଆଇଆଇ ଏବଂ ଶିଳ୍ପସଂସ୍ଥାଗୁଡ଼ିକର ମିଳିତ ପ୍ରୟାସକୁ ସ୍ୱୀକାର କରିଛନ୍ତି । କେବଳ ମେକ୍ ଇନ୍ ଇଣ୍ଡିଆ ନୁହେଁ ବରଂ ବିଶ୍ୱ ରପ୍ତାନି ଉପରେ ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଓଡ଼ିଶାରେ କମ୍ ଶ୍ରମ ଖର୍ଚ୍ଚରେ କୁଶଳୀ ଶ୍ରମିକଙ୍କ ପ୍ରତିଯୋଗିତାମୂଳକ ଲାଭ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ ।ସିଆଇଆଇ ଏମସିଇଡିର ଅଧ୍ୟକ୍ଷ ବିବେକ ଭାଟିଆ ଖଣି ଏବଂ ନିର୍ମାଣ ଶିଳ୍ପର ବିଶ୍ୱସ୍ତରୀୟ ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହାର ମୂଲ୍ୟ ୨୦୨୧ରେ ୧୨୧ ବିଲିୟନ ଡଲାର ଥିଲା ଏବଂ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଂଚଳ ୬୨ ବିଲିୟନ ଡଲାର ଯୋଗଦାନ ଦେଇଥିଲା । ୨୦୨୮ ସୁଦ୍ଧା ଏହି କ୍ଷେତ୍ରର ଅଭିବୃଦ୍ଧି ହାର ୨.୮ ପ୍ରତିଶତ ସହ ୧୯୦ ବିଲିୟନ ଡଲାରରେ ପହିଂଚିବାର ସମ୍ଭାବନା ରହିଛି ବୋଲି ସେ ଦର୍ଶାଇଥିଲେ । ଭାଟିଆ ଭାରତର ୫ ଟ୍ରିଲିୟନ ଡଲାର ଅର୍ଥନୀତିର ସ୍ୱପ୍ନକୁ ସାକାର କରିବାରେ ଏହି କ୍ଷେତ୍ରର ଭୂମିକା ଏବଂ ଏହା ଦ୍ୱାରା ପ୍ରଦାନ କରୁଥିବା ନିଯୁକ୍ତି ସୁଯୋଗ ଉପରେ ଆଲୋକପାତ କରିଥିଲେ । ବର୍ତମାନ ଖଣି କ୍ଷେତ୍ରରେ ୩.୫ ନିୟୁତ ଲୋକ ନିୟୋଜିତ ଅଛନ୍ତି । ଭାରତର ପୂର୍ବାଚଂଳରେ ୭ଟି ରାଜ୍ୟ ଖଣିଜ ଉତ୍ପାଦନରେ ଉଲ୍ଲେଖନୀୟ ଯୋଗଦାନ ରଖିଥିବା ବେଳେ ଓଡ଼ିଶା ୪୨ ପ୍ରତିଶତ ସହ ଶୀର୍ଷରେ ଥିବା ବେଳେ ଛତିଶଗଡ଼ ଓ ଝାଡ଼ଖଣ୍ଡ ଯଥାକ୍ରମେ ୧୭ ପ୍ରତିଶତ ଓ ୪.୩ ପ୍ରତିଶତ ରହିଛି ବୋଲି ସେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଇଷ୍ଟର୍ଣ୍ଣ କମାଣ୍ଡର ମୁଖ୍ୟ ଯନ୍ତ୍ରୀ ମେଜର ଜେନେରାଲ ପ୍ରବୀଣ ବଦ୍ରିନାଥ, ଓଡ଼ିଶା ସରକାରଙ୍କ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ସଚିବ ଡି.କେ.ସିଂହ, ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦ ଅଧ୍ୟକ୍ଷ ଶଶି ଶେଖର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ