ଜାତୀୟ କୃମି ନାଶକ ଦିବସ ପାଇଁ ବ୍ଳକ୍ ସ୍ତରୀୟ ଟାସ୍କଫୋର୍ସ ବୈଠକ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆସନ୍ତା ଦଶ ତାରିଖରୁ ୨୦୨୩ ମସିହା ପାଇଁ ଜାତୀୟ କୃମି ନାଶକ ଦିବସ ପାଳନର କାର୍ଯ୍ୟକ୍ରମ ରହିଥିବା ବେଳେ ଏହି ସଂକ୍ରାନ୍ତରେ ଆଜି ବେଲଗୁଣ୍ଠା ଠାରେ ଏକ ବ୍ଳକ୍ ସ୍ତରୀୟ ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ୍ ଶତପଥୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ବାଲୁଙ୍କେଶ୍ୱର ଷଡ଼ଙ୍ଗୀ, ସିଡ଼ିପିଓ ଗାୟତ୍ରୀ ମିଶ୍ର,ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ରାମହରି ପଣ୍ଡା ଯୋଗ ଦେଇଥିଲେ I ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ ଦୂର୍ଗା ପ୍ରସାଦ ପଟ୍ଟନାୟକ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ I ବୈଠକରେ ସମସ୍ତ ଆଇସିଡିଏସ୍ ସୁପରଭାଇଜର, ସ୍ୱାସ୍ଥ୍ୟ ପରିଦର୍ଶକ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ I ଆସନ୍ତା ଦଶ ତାରିଖରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ଦ୍ୱାରା କିପରି ଏକ ବର୍ଷରୁ ୧୯ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତେ କୃମି ନାଶକ ଔଷଧ ସେବନ କରିପାରିବେ ସେହି ସମ୍ପର୍କରେ ଆଲୋଚନା ହୋଇଥିଲା I ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଆସନ୍ତା ଫେବ୍ରୁୟାରୀ ନଅ ତାରିଖରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ଶିକ୍ଷୟିତ୍ରୀଙ୍କ ଏକ ତାଲିମ୍ କାର୍ଯ୍ୟକ୍ରମ ରହିଛି I କାର୍ଯ୍ୟକ୍ରମର ତଦାରଖ କରିବା ପାଇଁ ରାପିଡ୍ ରେସପନ୍ସ୍ ମଧ୍ୟ ଗଠନ କରାଯାଇଛି I ଗାଙ୍ଗପୁର ଏବଂ ଗୋବରା ସେକ୍ଟର୍ ପାଇଁ ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ରାମହରି ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆରବିଏସକେ ଡ଼ାକ୍ତର ଜ୍ଞାନ ଏବଂ ତାଙ୍କ ଟିମ୍ ଦାୟିତ୍ୱ ନେଇଥିବା ବେଳେ ବେଲଗୁଣ୍ଠା ଏବଂ ବଙ୍କା ସେକ୍ଟର୍ ପାଇଁ ବିପିଏମ୍ ଦୂର୍ଗା ପ୍ରସାଦ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଡ଼ାକ୍ତର ଜଗନ୍ନାଥ ପତି ଏବଂ ତାଙ୍କ ଟିମ୍ ଦାୟିତ୍ୱ ନିର୍ବାହ କରିବେ ବୋଲି ସୂଚନା ମିଳିଛି I ଆଜିର ବୈଠକରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଶ୍ରେଷ୍ଠ ଆଶାକର୍ମୀଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା I ବ୍ଳକ୍ ଶ୍ରେଷ୍ଠ ଆଶାକର୍ମୀ ଭାବେ ଗୀତା ରାଉତ,ସୀତାଞ୍ଜଳୀ ବେହେରା, ମଞ୍ଜୁଳା ବେହେରା ଏବଂ ସୁନିତା କୁମାରୀ ପ୍ରଧାନଙ୍କୁ ସମ୍ମାନୀତ କରାଯାଇଥିଲା I ସେହିପରି ପରିବାର ନିୟୋଜନ ଅସ୍ତ୍ରୋପଚାର ସଚେତନତା କ୍ଷେତ୍ରରେ ଆଶାକର୍ମୀ ଗୀତା ରାଉତ, ସନ୍ତୋଷିନୀ ମହାରଣା, କୁନ୍ତଳା ସ୍ୱାଇଁ ପ୍ରମୁଖ ସମ୍ବର୍ଦ୍ଧିତ ହୋଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ