ଜାତୀୟ ଜନଜାତି କମିସନ ସଦସ୍ୟଙ୍କ ଅଭିଯୋଗ ଶୁଣାଣିକୁ ଆସିଲେନି ବିଡିଓ କି ତହସିଲଦାର, କ୍ଷୁବ୍ଧ ହେଲେ କମିସନ ସଦସ୍ୟ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଆଜି ହାଟଡିହି ବ୍ଲକର କେ ବାଲିପାଳ ପଞ୍ଚାୟତର ରାଇଘାଟି ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜାତୀୟ ଅନୁସୁଚିତ ଜନଜାତି କମିସନ ସଦସ୍ୟଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଥିଲାବେଳେ ଏଥିରେ ହାଟଡିହି ବ୍ଲକର ବିଡିଓ କିମ୍ବା ତହସିଲଦାର ଉପସ୍ଥିତ ନରହିବାକୁ ନେଇ ଜନଜାତି କମିସନ ସଦସ୍ୟ ଅନନ୍ତ ନାୟକ କ୍ଷୁବ୍ଧ ହୋଇଛନ୍ତି । ଏହି ଅଭିଯୋଗ ଶୁଣାଣିରେ ଏହି ଅଞ୍ଚଳର ଲୋକଙ୍କ ସମସ୍ୟାର ଅଭିଯୋଗ ଶୁଣାଣି ହେବାକୁ ଥିବାବେଳେ ଦୁଇ ଅଧିକାରୀ ଉପସ୍ଥିତ ନରହିବାରୁ ଲୋକଙ୍କ ଅଭିଯୋଗ ଗ୍ରହଣ କରାଯାଇଥିଲେବି ଶୁଣାଣି କରାଯାଇପାରି ନଥିଲା । ଆଜିର ଏହି ଅଭିଯୋଗ ଶୁଣାଣିରେ ଜାତୀୟ ଜନଜାତି କମିସନର ସଦସ୍ୟ ଅନନ୍ତ ନାୟକ ଉପସ୍ଥିତ ଥିବାବେଳେ ଏ ଅଞ୍ଚଳର ଆଦିବାସୀ ମାନେ ସେମାନଙ୍କ ସମସ୍ୟା ଗୁଡିକ କମିସନ ସଦସ୍ୟଙ୍କୁ ଜଣାଇଥିଲେ । ଏହି ପଞ୍ଚାୟତଟି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାବେଳେ ବ୍ଲକ ଠାରୁ ୪୦ କିଲୋମଟର ଦୁରରେ ଥିବାରୁ ଏ ଅଞ୍ଚଳରେ ଅଧିକାରୀ ମାନଙ୍କ ପାଦ ପଡେନି, ତେଣୁ ଏ ଅଞ୍ଚଳର ସମସ୍ୟା ସରକାରଙ୍କ ନିକଟରେ ପହଞ୍ଚି ପାରୁନି ବୋଲି ଲୋକମାନେ ଅଭିଯୋଗ କରିଥିଲେ । ଏ ଅଞ୍ଚଳର ଲୋକମାନେ ହଦଗଡ ଡ୍ୟାମ ନିର୍ମାଣ ବେଳେ ବିସ୍ଥାପିତ ହୋଇ ବର୍ଷ ବର୍ଷ ଧରି ଜଂଗଲରେ ରହିଥିଲେବି ସେମାନଙ୍କୁ ଜଂଗଲଜମି ପଟ୍ଟା ଯୋଗାଇ ଦିଆଯାଇ ନାହିଁ । ଫଳରେ ଏଠାକାର ଲୋକମାନେ ଆବାସ ଯୋଜନାରୁ ବଞ୍ଚିତ ହୋଇ ରହିଛନ୍ତି । ହାଟଡିହି ବ୍ଲକରେ ଗତ କିଛିବର୍ଷ ଭିତରେ ୫୦ହଜାରରୁ ଉର୍ଦ୍ଧ ବାସଗୃହ ଘର ଯୋଗାଇ ଦିଆଯାଇଥିଲେବି ଆଜି ପର୍ଯ୍ୟନ୍ତ ଏହି ପଞ୍ଚାୟତର ଲୋକମାନେ ବାସଗୃହ ଯୋଜନାରୁ ବଞ୍ଚିତ ହୋଇ ଭଙ୍ଗା କୁଡିଆରେ ରହିଛନ୍ତି ବୋଲି ଲୋକମାନେ ଅଭିଯୋଗ କରିଥିଲେ । ସେହିପରି ମୟୁରା, ଭଅଁରା, ମଲିପସି, ସରମୁଣ୍ଡି ଆଦି ଗ୍ରାମ ଗୁଡିକ ବୁଡି ଅଞ୍ଚଳରେ ନଥିଲେବି ଜଳସମ୍ପଦ ବିଭାଗ ଏହାକୁ ବୁଡି ଅଞ୍ଚଳ ଦର୍ଶାଇ ଅନୁମତି ଦେଉ ନଥିବାରୁ ଲୋକମାନେ ଜମି ପଟ୍ଟା ପାଇପାରୁ ନାହାନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଥିଲେ । । ଏପରିକି ନିଜସ୍ୱ ଜମି ପଟ୍ଟା ହେଉ କିମ୍ବା ଜଂଗଲଜମି ପଟ୍ଟା କୌଣସି ବି ଗୋଟିଏ ନଥିବାରୁ ଏ ଅଞ୍ଚଳର ଲୋକମାନେ ଆୟ ପ୍ରମାଣପତ୍ର, ବାସସ୍ଥାନ ପ୍ରମାଣପତ୍ର ଓ ଜାତିଗତ ପ୍ରମାଣପତ୍ର ପାଇପାରୁ ନାହାନ୍ତି । ଯାହାଦ୍ୱାରାକି ଏ ଅଞ୍ଚଳର ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ମଧ୍ୟ ହେଉଛି । ସେହିପରି ଏହି ପଞ୍ଚାୟତଟି ହଦଗଡ ଅଭୟାରଣ୍ୟ ମଧ୍ୟରେ ଥିବାରୁ ଏହି ପଞ୍ଚାୟତର ୯୦ଭାଗ ଲୋକ ବିଦ୍ୟୁତ ସେବାରୁ ବଞ୍ଚିତ ହୋଇ ରହିଛନ୍ତି । ସିଆଡି ମାଳିଆ ଓ ତଅଁଳ ଗାଁ ଦୁଇଟି ବ୍ୟତିତ ଅନ୍ୟ କୌଣସି ଗାଁକୁ ବିଦ୍ୟୁତ ଯାଇ ନଥିବାରୁ ଲୋକମାନେ ନାନା ଅସୁବିଧା ଭୋଗ କରୁଛନ୍ତି । ଏହି ପଞ୍ଚାୟତର ଅଧିକାଶଂ ଗାଁ ଗୁଡିକୁ ରାସ୍ତା ନିର୍ମାଣ ହୋଇ ନଥିବାରୁ ଲୋକମାନେ ଯାତାୟତ କ୍ଷେତ୍ରରେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମଲ୍ଲିପସି ଗ୍ରାମକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏକ ରାସ୍ତା ନିର୍ମାଣ କରିଥିଲେବି ବଉଳା ନାଳ ଉପରେ ପୋଲ ନିର୍ମାଣକୁ ଜଂଗଲ ବିଭାଗ ଅନୁମତି ନଦେବାରୁ ରାସ୍ତା ନିର୍ମାଣର କିଛି ବି ମହତ୍ୱ ରହିଲାନି । ଫଳରେ ଲୋକମାନେ ବର୍ଷାଦିନେ ଅଣ୍ଟେ ପାଣିରେ ପସି ଯିବା ଆସିବା କରିଥାନ୍ତି । ବର୍ଷା ଦିନରେ ମେଡିକାଲ ସେବା ଲୋକଙ୍କ ପାଇଁ ସାତ ସପନ ହୋଇପଡିଛି । ସ୍ୱାଧୀନତାର ୭୫ବର୍ଷ ପରେବି ଶିକ୍ଷା, ଗମନାଗମନ, ବିଦ୍ୟୁତ, ସ୍ୱାସ୍ଥ୍ୟସେବା ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି ବୋଲି ଏହି ପଞ୍ଚାୟତର ଲୋକମାନେ କମିସନ ସଦସ୍ୟଙ୍କ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ ତହସିଲଦାର, ବିଡିଓ, ଏବଂ ସ୍ୱାସ୍ଥ୍ୟ ଓ ଜଳସମ୍ପଦ ବିଭାଗର କୌଣସି ଅଧିକାରୀ ଯୋଗଦେଇନଥିବାରୁ ବିଶେଷ କିଛି ଶୁଣାଣୀ ହୋଇପାରି ନଥିଲା । ଦୁଇମାସ ଭିତରେ ଏସବୁ ଅଭିଯୋଗ ଉପରେ ପଦକ୍ଷେପ ଗ୍ରହଣ କରିବାକୁ ଉପସ୍ଥିତ ଅଧିକାରୀ ମାନଙ୍କୁ କମିସନ ସଦସ୍ୟ ନିର୍ଦ୍ଦେଶ ଦେଇଥିଲେ । ଏହି ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, କେ ବାଲିପାଳ ପଞ୍ଚାୟତର ସରପଞ୍ଚ କୁନ୍ତଳା ନାଇକ, ସମିତିସଭ୍ୟା ଗୋଦାବରୀ ନାଇକ, ଅନୁସୁଚିତ ଜନଜାତି କମିସନଙ୍କ କ୍ଷେତ୍ରୀୟ କାର୍ଯ୍ୟାଳୟର କର୍ମକତ୍ତା, ହଦଗଡ ରେଞ୍ଜର ସୁମିତ ମହାନ୍ତି, ସିଡିପିଓ ସରସ୍ୱତୀ ସେଠୀ, ବ୍ଲକ ପଶୁଚିକିତ୍ସା ଅଧିକାରୀ ଡାକ୍ତର ରଶ୍ମୀ ରଞ୍ଜନ ନାୟକ, ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ଅଶୋକ କୁମାର ମହାନ୍ତ, ବ୍ଲକ ସହକାରୀ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇ, ବ୍ଲକ ସହକାରୀଯନ୍ତ୍ରୀ ବିଜୟ କୁମାର ମଲ୍ଲିକ, ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀଯନ୍ତ୍ରୀ ରମେଶ ଚନ୍ଦ୍ର ନାୟକ, କନିଷ୍ଠଯନ୍ତ୍ରୀ ରଜତ କୁମାର ସେଠୀ, ବ୍ଲକ ମଙ୍ଗଳ ଅଧିକାରୀ ଆଲୋକ କୁମାର ମାଝୀ, ସାମାଜିକ ସୁରକ୍ଷା ବିଭାଗର କିରାଣୀ ଏସ.ପ୍ରତିକ ଆନନ୍ଦ ପ୍ରମୁଖ ଯୋଗଦେଇଥିବାବେଳେ ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟା ଟିକି କିସ୍କୁ, ବିବେକାନନ୍ଦ ରାଉତ, ଆଲୋକ ସେଠୀ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ହରମୋହନ ଶାସିନି, ବଳଭଦ୍ର ବାରିକଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିବାବେଳେ ଦୁଇ ହଜାରରୁ ଉର୍ଦ୍ଧ ଗ୍ରାମବାସୀ ଏହି ଅଭିଯୋଗ ଶୁଣାଣୀରେ ସାମିଲ ହୋଇ ନିଜ ନିଜର ଅଭିଯୋଗ ରଖିିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ