ଜାତୀୟ ଜାମ୍ବୋରି ତାମିଲନାଡୁରେ ଓଡିଶା ସ୍କାଉଟର ବାଜିମାତ୍
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତ ସ୍କାଉଟସ୍ ଏବଂ ଗାଇଡସ୍ର ଜାତୀୟ ଜାମ୍ବୋରୀ ତାମିଲନାଡୁଠାରେ ଅନୁଷ୍ଠିତ ହେଇଅଛି । ଏହି ଜାମ୍ବୋରୀରେ ଓଡିଶା ସମେତ ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ, ଗୋଆ, ଗୁଜୁରାଟ, ହରିଆନା, ହିମାଚଳପ୍ରଦେଶ, ଝାରଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ନାଗାଲାଣ୍ଡ, ପଞ୍ଜାବ, ରାଜସ୍ଥାନ, ସିକିମ୍, ତାମିଲନାଡୁ, ତେଲେଙ୍ଗାନା, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ୱେଷ୍ଟବେଙ୍ଗଲ ଆଦି ରାଜ୍ୟ ସମେତ ୯ ଗୋଟି ପଡୋଶି ଦେଶରୁ ମୋଟ ୩୦୦୦୦ରୁ ଊର୍ଦ୍ଧ୍ୱ ସ୍କାଉଟ ଗାଇଡ୍ ଅଂଶଗ୍ରହଣ କରିଛନ୍ତି । ଏହି ଜାତୀୟ ଜାମ୍ବୋରୀକୁ ତାମିଲ୍ନାଡୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ଉଦୟନିଧି ଷ୍ଟାଲିନ୍ ଉଦ୍ଘାଟନ କରିଥିବା ବେଳେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ଙ୍କ ଦ୍ୱାରା ଉଦ୍ଯାପିତ ହୋଇଥିଲା । ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ରଙ୍କ ତତ୍ୱାବଧାନରେ ଓଡିଶାରୁ ୩୦୦ ରୁ ଊର୍ଦ୍ଧ୍ୱ ସ୍କାଉଟ, ଗାଇଡ୍, ରୋଭର, ରେଞ୍ଜର ଏବଂ ସେମାନଙ୍କର ୟୁନିଟ୍ ଲିଡରମାନେ ଅଂଶଗ୍ରହଣ କରି ଓଡିଶାର ବିଭିନ୍ନ କଳା କୌଶଳ ଏବଂ ଓଡିଶାର ବିଭିନ୍ନ ସାମଗ୍ରୀକୁ ପ୍ରଦର୍ଶନୀ କରିଛନ୍ତି । ମୁଖ୍ୟତ ଓଡିଶାର ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନିଖୁଣ ଭାବରେ ସେଠାରେ ଉପସ୍ଥାପନ କରାଯାଇଥିଲା । ବିଭିନ୍ନ ରାଜ୍ୟରୁ ଆସିଥିବା ସ୍କାଉଟ ଗାଇଡ୍ପିଲାମାନେ ଏବଂ ଅତିଥିମାନେ ଏହି ପ୍ରଦର୍ଶନୀକୁ ଦେଖି ଆନନ୍ଦ ଅନୁଭବ କରୁଛନ୍ତି । ବିଶେଷକରି ଓଡିଶାର ରଥଯାତ୍ରାକୁ ବହୁଲୋକ ବୁଲି ଦେଖିବା ସହିତ ରଥପାଖରେ ନିଜର ସେଲଫି ଉଠାଉଥିବାର ଦେଖାଯାଇଥିଲା । ପରିଶେଷରେ ଓଡିଶାର ବିଭିନ୍ନ ପ୍ରତିଯୋଗିତା ଏବଂ ପ୍ରଦର୍ଶନୀକୁ ଶ୍ରେଷ୍ଠ ବିବେଚିତ କରାଯାଇ ଉପସ୍ଥିତଥିବା ଅତିଥିମାନଙ୍କ ଦ୍ୱାରା “ଏ” ଗ୍ରେଡ୍ ଭାବରେ ୧୨ ଗୋଟି, “ବି” ଗ୍ରେଡ୍ ଭାବରେ ୬ ଗୋଟି, ଏବଂ ସବୁଠାରୁ ଶ୍ରେଷ୍ଠ କଂଟିଜେଂଟ୍ ଲିଡର ଭାବରେ ଓଡିଶାକୁ ସ୍ୱତନ୍ତ୍ର ପୁରସ୍କାର ଦିଆଯାଇଥିଲା । ରାଜ୍ୟସଂସ୍ଥାର ସଭାପତି ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଜାତୀୟ ଜାମ୍ବୋରୀରେ ଯୋଗଦେଇଥିବା ସମସ୍ତ ସ୍କାଉଟ ଗାଇଡ୍ ଏବଂ ସେମାନଙ୍କର ୟୁନିଟ୍ ଲିଡରମାନଙ୍କୁ ଧନ୍ୟବାଦ ଦେବା ସହିତ ସେମାନେ କଠିନ ପରିଶ୍ରମର ଫଳ ପାଇଛନ୍ତି ବୋଲି କହିଥିଲେ ।