ଜାତୀୟ ପକ୍ଷୀ ମୟୁର ଏବେ ଗ୍ରାମବାସୀଙ୍କ କୁଣିଆ

ଆସିକା, (ୱାଇଏନ୍‍ଏସ୍‍):ଜାତୀୟ ପକ୍ଷୀର ମାନ୍ୟତା ପାଇଥିବା ମୟୁର ଗ୍ରାମବାସୀଙ୍କ କୁଣିଆ ସାଜୁଥିବେ ତାହା ଶୁଣିଲେ ଯେତିକି ଆଶ୍ଚର୍ଯ୍ୟ ଲାଗେ ନିଜ ଆଖିରେ ନଦେଖିଲେ ସେତିକି ବିଶ୍ୱାସ କରିହୁଏନି । ଗଞ୍ଜାମ ଜିଲ୍ଲାର ଆସିକା ବନବିଭାଗ ଅନ୍ତର୍ଗତ ପାକିଡି ପାହାଡର ପାଦଦେଶରେ ଥିବା କେରିକେରିଝୋଳା, ଆମ୍ବୁଆବାଡି, ଭରତପଲ୍ଲୀ, ଶୋଭାଚନ୍ଦ୍ରପୁର, ସମେଇଗୁଡା ସମେତ ଆଖପାଖ କେତେକ ଗ୍ରାମର ଗ୍ରାମବାସୀମାନେ ମୟୁରଙ୍କୁ ବର୍ଷ ବର୍ଷ ଧରି ଅତିଥିର ମାନ୍ୟତା ଦେଉଥିବା ଦେଖିବାକୁ ମିଳୁଛି । ଗଞ୍ଜାମ ଜିଲ୍ଲାର ଗର୍ବ ଓ ଗୌରବ ଭାବେ ପରିଚିତ ଥିବା ପାକିଡି ପାହାଡ ସମେତ ଆଖପାଖ ଗ୍ରାମରେ ଥିବା ପ୍ରାୟ ୧୯୭୦ ହେକ୍ଟର ପରିମିତ ଜମିରେ ଜାତୀୟ ପକ୍ଷୀ ବିଚରଣ କରିବାସହ ବଂଶବିସ୍ତାର କରିଚାଲିଛନ୍ତି । ଜାତୀୟ ପକ୍ଷୀ ମୟୂରର ସୁରକ୍ଷା ପାଇଁ ଆସିକା ବନବିଭାଗର ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ପଣ୍ଡାଙ୍କ ସମେତ ଗଞ୍ଜାମ ଜିଲ୍ଲା ମୟୁର ସୁରକ୍ଷା କମଟିିର କର୍ମକର୍ତ୍ତାମାନେ ଦୀର୍ଘ ବର୍ଷ ହେଲା ବହୁବିଧ ପଦକ୍ଷେପମାନ ନେଉଛନ୍ତି । ଆସିକା ବନବିଭାଗ ପକ୍ଷରୁ ସାଂପ୍ରତିକ ପରିସ୍ଥିତିରେ ଜାତୀୟ ପକ୍ଷୀ ମୟୂର ବିଚରଣ କରୁଥିବା ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳକୁଣ୍ଡ ସ୍ଥାପନ ଠାରୁ ଆରମ୍ଭ କରି ମୟୂର ସୁରକ୍ଷା ସମିତି ଗଠନ, ମୟୂରଙ୍କ ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ସୂଚନା ଫଳକ ସ୍ଥାପନ, ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ଜନସାଧାରଣଙ୍କୁ ସଚେତନ ସମେତ ଅନେକ କାର୍ଯ୍ୟକ୍ରମ ମାନ କାର୍ଯ୍ୟକାରୀ କରାଯାଉଥିବା ଲକ୍ଷ୍ୟ କରାଯାଇଛି । ବିଗତ କିଛି ବର୍ଷ ତଳେ ଆନ୍ଧ୍ରପ୍ରଦେଶରେ ଗୁଣ୍ଟୁର ଜିଲ୍ଲା ଏଲୋପଡା ଥାନା ଅନ୍ତର୍ଗତ କମାପୁରମ୍ ଗ୍ରାମର ଏ.ଶ୍ୟାମଶିବ ରାଓ ନାମକ ଜଣେ ବ୍ୟବାସୀୟ ଶେରଗଡ ଠାରୁ ୨ କିମି. ଦୂରସ୍ଥ ଆମ୍ବୁଆବାଡି ଓ କେରିକେରିଝୋଳା ଗ୍ରାମର ୧୬ ଏକର ଜମିକୁ ଲିଜ ସୂତ୍ରରେ ନେଇ ଗତ ୨୦୧୧ ମସିହାରୁ ବିଟ୍ କପାଚାଷ କରିଆସୁଥିଲେ । ତେବେ କପା ଫସଲକୁ ପୋକ ଦାଉରୁ ରକ୍ଷା କରିବା ପାଇଁ କପା ଗଛରେ ଏଟୋମ ନାମକ ଏକ ବିଷ ପ୍ରୟୋଗ କରିବା ଫଳରେ କପା ଫସଲର ପତ୍ରକୁ ଖାଇ ଗତ ୨୦୧୧ ମସିହା ଅକ୍ଟୋବର ମାସ ୩ ତାରିଖରେ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ମୟୁରଙ୍କ ଅକାଳ ମୃତ୍ୟୁ ହେବା ଘଟଣା ସେତେବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ପାକିଡି ପାହାଡ ପାଦଦେଶରେ ଥିବା କେରିକେରିଝୋଳା ଆମ୍ବୁଆବାଡି, ଶୋଭାଚନ୍ଦ୍ରପୁର, ଭରତପଲ୍ଲୀ, ସମେଇଗୁଡା ସମେତ ଆଖପାଖ ଗ୍ରାମାର ଗ୍ରାମବାସୀମାନେ ବିଶେଷକରି ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଜାତୀୟ ପକ୍ଷୀର ମାନ୍ୟତା ପାଇଥିବା ମୟୁର ମାନେ ବିଭିନ୍ନ ଚାଷୀଙ୍କ କ୍ଷେତରୁ ଉତ୍ପନ୍ନ ହେଉଥିବା ବିଭିନ୍ନ ଫସଲକୁ ନଷ୍ଟ କରୁଥିଲେ ମଧ୍ୟ ଗ୍ରାମବାସୀମାନେ ମୟୁରଙ୍କୁ ହତାଦର କରିନପାରି ଅଧିକ ଆଦର ଓ ସ୍ନେହ କରୁଥିବା ଦେଖିବାକୁ ମିଳୁଛି । ଅତୀତରେ ଆସିକା ଅଞ୍ଚଳରେ ଘଟିଥିବା ପ୍ରଳୟଙ୍କରୀ ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପାକିଡି ପାହାଡ ତଥା ଏହାର ଆଖପାଖ ଅଞ୍ଚଳରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିଚରଣ କରୁଥିବା ଜାତୀୟ ପକ୍ଷୀ ମୟୁର କିଛି ଦିନ ଅନ୍ତର୍ଧ୍ୟାନ ହୋଇଯାଇଥିବା ବେଳେ ବର୍ତ୍ତମାନ କିଛି ବର୍ଷ ହେଲା ପୁଣି ମୟୁରମାନେ ଉକ୍ତ ଅଞ୍ଚଳରେ ବିଚରଣ କରୁଥିବା ଦେଖିବାକୁ ମିଳୁଛି । ପାକିଡି ପାହାଡ ତଥା ଏହାର ଆଖପାଖ ଅଞ୍ଚଳକୁ ଯେପରି ପ୍ରକୃତି ପ୍ରେମୀ ଓ ପର୍ଯ୍ୟବେକ୍ଷକମାନେ ଆସିବା ଲାଗି ଆକୃଷ୍ଟ ହୋଇପାରିବେ ସେ ଦିଗରେ ସରକାର ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ