ଜାତୀୟ ପତାକାକୁ ଅସମ୍ମାନ; ଭିଡିଓ ଭାଇରାଲ , କାର୍ଯ୍ୟାନୁଷ୍ଠାନ ଶୂନ

ଯୋଡା,(ସମୀର କୁମାର ଦାସ): କେନ୍ଦୁଝର ଜିଲା ଯୋଡା ବ୍ଲକ ଜଜାଙ୍ଗ ଗ୍ରାମପଂଚାୟତ ଅନ୍ତର୍ଗତ କମଳପୁର ଗ୍ରାମର ଅଙ୍ଗନବାଡି କେନ୍ଦ୍ରରେ ଜଣେ ଆଶାକର୍ମୀଙ୍କ ଦ୍ୱାରା ଜାତୀୟ ପତାକା ଅସମ୍ମାନ ହୋଇଥିବା ଖବରର ଭିଡିଓ ବିଭିନ୍ନ ହ୍ୱାଟସଆପ ଓ ଫେସବୁକ ମାଧ୍ୟମରେ ଭାଇରାଲ ହୋଇଥିବା ଜଣାପଡିଛି ।ଏନେଇ ବାମେବାରୀ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଓଆଇସି ଅମିତାବ ଦାସ ସୂଚନା ଦେଇଛନ୍ତି ଏବଂ ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତିି । ଘଟଣାସ୍ଥଳକୁ ଯିବାରୁ ଜଣାପଡିଥିଲା ଯେ, ଶନିବାର ସ୍ୱାଧୀନତା ଦିବସ ଅବସରରେ ଉକ୍ତ ଅଙ୍ଗନବାଡି କେନ୍ଦ୍ରରେ ଜାତୀୟ ପତାକା ଉତୋଳନ କରାଯାଇଥିଲା । ତେବେ ଏହି ଜାତୀୟ ପତାକାଟି ଓଲଟା ଭାବେ ଉତୋଳନ କରାଯାଇଥିବାରୁ ଅଙ୍ଗନବାଡି କେନ୍ଦ୍ରର ଆଶାକର୍ମୀ କେନ୍ଦ୍ରକୁ ଯିବା ବେଳେ ସେଠାରେ ପୂର୍ବରୁ ଉପସ୍ଥିତ ସ୍ଥାନୀୟ ଯୁବକମାନେ ଆଶାକର୍ମୀଙ୍କୁ ପରୋକ୍ଷରେ ପ୍ରବର୍ତାଇ ଚିଡାଇ ଦେଇଥିଲେ । ଏଥିରେ ଆଶାକର୍ମୀଜଣକ କ୍ରୋଧାନ୍ୱିତ ହୋଇ କେନ୍ଦ୍ର ମଧ୍ୟକୁ ପଶି ଉଡୁଥିବା ଜାତୀୟ ପତାକାକୁ ବଳପୂର୍ବକ ଓହ୍ଲାଇ ତାହାକୁ ଘୋଷାରୀ ଘୋଷାରୀ ନେଇଯାଇଥିଲେ । ଆଶାକର୍ମୀ ମହିଳାଜଣକ ଜାତୀୟ ପତାକାର ଅସମ୍ମାନ କରୁଥିବା ଘଟଣାକୁ ଉପସ୍ଥିତ ଯୁବକମାନେ କାହିଁକି ବିରୋଧ କଲେ ନାହିଁ କିମ୍ବା ସେଠାରେ ଉପସ୍ଥିତ ରହି ମୋବାଇଲ ରେ ଭିଡିଓ ରେକଡିଂ କରୁଥିବା ଯୁବକମାନେ କାହିଁକି ନିଜର କର୍ତବ୍ୟ କଲେ ନାହିଁ ବରଂ ଏହି କାର୍ଯ୍ୟ କରିବା ପାଇଁ ପ୍ରବର୍ତାଇବା ସହ ଏହାକୁ ଫେସବୁକ ଓ ହ୍ୱାଟସଅପ ମାଧ୍ୟମରେ ଭାଇରାଲ କଲେ ବୋଲି ସ୍ଥାନୀୟ ଅଂଚଳରେ ଚର୍ଚା ଜୋର ଧରିଛି । ଜାତୀୟ ପତାକାର ଅସମ୍ମାନକୁ ବିରୋଧ ନକରି ଭିଡିଓ ଭାଇରାଲ କରିବା ମଧ୍ୟ ଏକ ପ୍ରକାର ଆଇନ ଅନୁଯାୟୀ ଅପରାଧ ବୋଲି ସ୍ଥାନୀୟ ଅଂଚଳରେ ଗ୍ରାମବାସୀ ମାନେ ମତ ଦେଇଛନ୍ତି । ଏଣୁ ପୋଲିସ ଜାତୀୟ ପତାକାକୁ ଅବମାନନା କରିଥିବା ଆଶାକର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଉପଯୁକ୍ତ ତଦନ୍ତ କରି ଏହି କାର୍ଯ୍ୟକୁ କରିବା ପାଇଁ ପ୍ରବର୍ତାଇଥିବା ଯୁବକଙ୍କ ବିରୋଧରେ ମଧ୍ୟ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ କମଳପୁର ଗ୍ରାମବାସୀ ମାନେ ଦାବି ଜଣାଇଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ