ଜାତୀୟ ପ୍ରତିରକ୍ଷା ବଳଙ୍କ ବିଜୟ ସ୍ମୃତି ପାଳନ

ଗଂଜାମ, (ଯୁଗାବ୍ଦ ନ୍ୟୁଜ):୧୯୭୧ ମସିହା ଇଣ୍ଡୋ ପାକ୍ ଯୁଦ୍ଧରେ ଦେଶ ବିଜୟର ୫୦ ବର୍ଷର ସ୍ମୃତି ଉଦ୍ଦେଶ୍ୟରେ ଭାରତ ବର୍ଷରେ ପାଳନ ହେଉଛି ବିଜୟ ଦିବସ । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୦ ମସିହା ଡିସେମ୍ବର ୧୬ ତାରିଖରେ ନୂଆଦିଲ୍ଲୀର ଜାତୀୟ ଯୁଦ୍ଧ ମେମୋରିଆଲ୍ ରେ ସ୍ଥାପିତ ଅମର ଜବାନ ଜ୍ୟୋତି ରୁ ୪ ଗୋଟି ସ୍ବର୍ଣ୍ଣିମ ମସାଲ ବିଜୟ ଅଗ୍ନି ଜାଳିବା ସହ ପତାକା ଉତ୍ତୋଳନ କରିଥିଲେ । ଏହି ଚାରିଗୋଟି ବିଜୟ ଅଗ୍ନି ମଧ୍ୟରୁ ଗୋଟିଏ ବିଜୟ ଅଗ୍ନି ଗତକୀଲି ବୁଧବାର ଦିନ ରାତିରେ ଗଞ୍ଜାମ ଜିଲ୍ଲା ରେ ଉପସ୍ଥିତ ହୋଇଛି । ଓଡିଶାର ସର୍ବ ପ୍ରଥମ ପ୍ରବେଶ ଗଞ୍ଜାମ ଜିଲ୍ଲାର ଗୋପାଳପୁର ମିଲିଟାରୀ ଷ୍ଟେସନ୍ ଠାରେ ମିଲିଟୀରୀ ବିଭାଗ ଏବଂ ଗଞ୍ଜଦାମ ଜିଲ୍ଲା ପ୍ରଶାସନ ଦ୍ବାରା ସ୍ବାଗତ କରାଯାଇଥିଲା । ଆଜି ଗୁରୁବାର ଦିନ ଗୋପାଳପୁର ମିଲିଟାରୀ ଷ୍ଟେସନ୍ ଠାରେ ଏହି ବିଜୟ ଅଗ୍ନିକୁ ଭବ୍ୟ ସମ୍ବର୍ଦ୍ଧନା ସହିତ ପୁଷ୍ପମାଲ୍ୟ ଅର୍ପଣ କରାଯାଇଅଛି ଏବଂ ବୀର ଶହୀଦ୍ ଯବାନ୍ ମାନଙ୍କ ଅହେତୁକ ଆତ୍ମାକୁ ସ୍ମରଣ କରି ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଦ୍ବାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇଅଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଅମୀୟ କୁମାର ସାହୁ ଏବଂ ମିଲିଟାରୀ ବରିଷ୍ଠ ଅଧିକାରୀଗଣ ଗତକାଲି ସ୍ବାଗତ ଜଣାଇଥିବା ସ୍ଥଳେ ଆଜି Lieutenant General Satinder Singh, AVSM, Commandant,Brigadier Sumeet Mathur, Station Commander, Gopalpur Military Station,Lt Col SN Bakshi, Retd,Wing Commander KC Behera, Retd ପ୍ରମୁଖ ଉପସ୍ଥିତ ରହି ବିଜୟ ଅଗ୍ନିକୁ ସ୍ଥାପନ କରିବା ସହିତ ଯୁଦ୍ଧରେ ଶହୀଦ୍ ବୀର ସୈନିକ ମାନଙ୍କର ସ୍ମୃତି ଚାରଣ କରିଥିଲେ । ଏଠାରେ ପ୍ରକାଶ ଥାଉକି ୧୯୭୧ ମସିହା ଡିସେମ୍ବର ମାସରେ ଭାରତୀୟ ସଶସ୍ତ୍ର ସେନା ବାହିନୀ ପାକିସ୍ଥାନକୁ ପରାହତ କରିବା ସହିତ ୯୩୦୦୦ ପାକିସ୍ଥାନୀ ବନ୍ଦୀଙ୍କୁ ନିଜ ଅଧିନକୁ ଆଣି, ବାଲାଂଦେଶର ୭୫ ଲକ୍ଷ ଜନସାଧାରଣଙ୍କୁ ସ୍ୱାଧୀନତା ପ୍ରଦାନ କରିଥିଲେ । ଫଳରେ ପାକିସ୍ଥାନ ଏହାର ଅଧା ଦେଶ ଏବଂ ତଥାକଥିତ ପୂର୍ବ ପାକିସ୍ଥାନରେ ଥିବା ତାହାର ସମସ୍ତ ସୈନ୍ୟଙ୍କୁ ହରାଇବା ସହିତ ଭାରତ ନିକଟରେ ଆତ୍ମସମର୍ପଣ କରିଥିଲା, ଯାହାକି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସର୍ବାଧିକ ବଡ଼ ସେନା ଆତ୍ମସମର୍ପଣ ଥିଲାବୋଲି ବିବେଚନା କରାଯାଉଛି । ଭାରତର ୧୧ ଟି ଏୟାର୍‌ବେସ୍ ଉପରେ ପାକିସ୍ଥାନର ଆକ୍ରମଣ ପରେ ଯୁଦ୍ଧ ଆରମ୍ଭ ହୋଇଥିଲା । ପଶ୍ଚିମ ପଟରେ ପାକିସ୍ଥାନ ସେନାର ଗତିବିଧି ଉପରେ ଭାରତ ତୁରନ୍ତ ଜବାବ ଦେଇ, ପାକିସ୍ଥାନର ପ୍ରାୟ ୧୫,୦୧୦ ବର୍ଗ କି.ମି. ଅଂଚଳକୁ ନିଜ ଅକ୍ତିଆରକୁ ଆଣିଥିଲା । ପାକିସ୍ଥାନ ସେନାର ପ୍ରମୁଖ ସେନାମୂଖ୍ୟ ଜେନେରାଲ୍ ଅମିର୍ ଅବ୍‌ଦୁଲ୍ଲା ଖାନ୍ ନିୟାଜୀ ତାଙ୍କର ୯୩,୦୦୦ ସୈନିକଙ୍କ ସହିତ ଭାରତର ସୈନ୍ୟ ବାହିନୀ ଏବଂ ବାଂଲାଦେଶ ମୁକ୍ତି ବାହିନୀ ନିକଟରେ ଆତ୍ମସମର୍ପଣ କରିବା ପରେ ଯୁଦ୍ଧ ପରିସମାପ୍ତି ଘଟିଥିଲା । ଏହି ସଂଘର୍ଷ ବାଂଲାଦେଶ ମୁକ୍ତି ଯୁଦ୍ଧର ଏକ ପରିଣାମ ଥିଲା, ଯେତେବେଳେ ବାଂଲାଦେଶ (ତତ୍କାଳୀନ ପୂର୍ବ ପାକିସ୍ଥାନ), ପାକିସ୍ଥାନ (ପଶ୍ଚିମ ପାକିସ୍ଥାନ) ଠାରୁ ମୁକ୍ତି ପାଇଁ ସଂଘର୍ଷ କରୁଥିଲା । ୧୯୭୧ ରେ ପାକିସ୍ଥାନ ସେନା ନିରୀହ ବଙ୍ଗାଳି, ବିଶେଷ କରି ପୂର୍ବ ପାକିସ୍ଥାନରେ ଥିବା ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ନୃଶଂସ ଭାବରେ ନରସଂହାର କରିବା ଆରମ୍ଭ କରିଥିଲା । ଏହା ଅନୁମାନ କରାଯାଉଛି ଯେ, ବାଂଲାଦେଶରେ ପ୍ରାୟ ୩୦ ଲକ୍ଷ ନାଗରିକ ମୃତ୍ୟୁବରଣ କରିଥିଲେ । ଏହାପରେ, ବଳାତ୍କାର, ଯାତନା, ହତ୍ୟା ଏବଂ ସଂଘର୍ଷ ହେଲା, ଯାହାର ଫଳସ୍ୱରୂପ ୮ ରୁ ୧୦ ଲକ୍ଷ ଲୋକ ଭାରତର ଶରଣ ନେବା ପାଇଁ ଆସିଥିଲେ । ଶରଣାର୍ଥୀମାନଙ୍କୁ ଶରଣ ଦେବା ପାଇଁ ବାଂଲାଦେଶ ସୀମାରେ ଥିବା ରାଜ୍ୟରେ ଭାରତ ଶିବିର ଖୋଲିଥିଲା । ଯୁଦ୍ଧ ପରେପରେ ପଶ୍ଚିମ ପାକିସ୍ଥାନ ଏହା ସ୍ୱୀକାର କରି ଏକ ରିପୋର୍ଟ ପ୍ରକାଶିତ କରିଥିଲା ଯେ, ପଶ୍ଚିମ ପାକିସ୍ଥାନୀ ସେନା ମୁର୍ଖତାପୂର୍ଣ୍ଣ ଓ ଜାଣିଶୁଣି ନାଗରିକ, ବୁଦ୍ଧିଜୀବୀ ଏବଂ ହିନ୍ଦୁ ମାନଙ୍କୁ ହତ୍ୟା କରିବା ସହିତ ପ୍ରତିଶୋଧ ସ୍ୱରୂପ ପୂର୍ବ ପାକିସ୍ଥାନୀ ମହିଳାମାନଙ୍କୁ ବଳାତ୍କାର କରିଥିଲା ଏବଂ ଏହି କାର୍ଯ୍ୟ ଉଚିତ ବୋଲି କହିଥିଲା । କ୍ରମଶଃ ପାକିସ୍ଥାନର ଅତ୍ୟାଚାର ବୃଦ୍ଧି ପାଇବାରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ପାକିସ୍ଥାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିଷ୍ପତ୍ତି ନେଇ, ସେହି ସମୟରେ ଭାରତ ସୀମା ବାହାରେ ଥିବା ନାଗରିକମାନଙ୍କୁ ଭାରତରେ ଶରଣ ଦେଇଥିଲେ । ଭାରତ ଏକ ଶାନ୍ତିପୂର୍ଣ୍ଣ ଦେଶ ହୋଇଥିବାରୁ, ପାକିସ୍ଥାନ ବିରୁଦ୍ଧରେ ପୂର୍ଣ୍ଣମାତ୍ରାରେ ଯୁଦ୍ଧ କରିବାକୁ ଅନିଚ୍ଛୁକ ଥିଲା । ଏଣୁ, ତତ୍କାଳୀନ ପ୍ରଧାନମନ୍ତ୍ରୀ ବିଶ୍ୱ ନେତୃତ୍ୱ ସମୁଦାୟଙ୍କୁ ଏଥିରେ ହସ୍ତକ୍ଷେପ କରି ପାକିସ୍ଥାନର କ୍ରୁରତାକୁ ରୋକିବା ଉପରେ ଚାପ ପ୍ରୟୋଗ କରିବାକୁ ଅନୁରୋଧ କରିଥିଲେ । କିନ୍ତୁ, ଭାରତ ପକ୍ଷରେ ଏଥିପାଇଁ ଅଧିକ ସମୟ ନଥିଲା । ତେଣୁ ଏ ଦିଗରେ ଏକ ତ୍ୱରିତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଥିଲା ।ଭାରତର ପ୍ରଧାନମନ୍ତ୍ରୀ ନିଜର ସେନା ମୁଖ୍ୟ ଜେନେରାଲ ସାମ୍ ମାନେକ୍‌ସାଙ୍କୁ ପାକିସ୍ଥାନ ବିରୁଦ୍ଧରେ ଆକ୍ରମଣାତ୍ମକ ଅଭିଯାନ ଆରମ୍ଭ କରିବା ପାଇଁ ଆଦେଶ ଦେଇଥିଲେ, ଯାହା ଫଳରେ ଭାରତ ନିଜର ପଡ଼ୋଶୀ ପାକିସ୍ଥାନ ବିରୁଦ୍ଧରେ ପୂର୍ଣ୍ଣମାତ୍ରାରେ ଯୁଦ୍ଧ କରିଥିଲା । ଯୁଦ୍ଧ ସମ୍ଭାବନା ଦୃଷ୍ଟିରୁ ଭାରତୀୟ ସଶସ୍ତ୍ର ବାହିନୀ ଦେଶର ପଶ୍ଚିମ ଓ ପୂର୍ବ ପଟରେ ସେନାବାହିନୀକୁ ପୂର୍ବରୁ ପ୍ରସ୍ତୁତ କରିଥିଲା । ଡିସେମ୍ବର ୩ ତାରିଖରେ ଭାରତର ପଶ୍ଚିମ କ୍ଷେତ୍ରରେ ଥିବା କେତେକ ସ୍ଥାନ ଉପରେ ପାକିସ୍ଥାନ ଦ୍ୱାରା ଆକାଶ ମାର୍ଗରୁ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣର ଉଚିତ ଜବାବ ଦେବା ପାଇଁ ଭାରତ ବାଧ୍ୟ ହୋଇଥିଲା । ସେହିଦିନ ରାତିରେ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଗାନ୍ଧୀ ଜାତି ଉଦ୍ଦେଶ୍ୟରେ ଦେଶବାସୀଙ୍କୁ ସମ୍ବୋଧିତ କରି ରେଡ଼ିଓ ବାର୍ତ୍ତାରେ କହିଥିଲେ ଯେ, ପାକିସ୍ଥାନର ଏହି ଆକ୍ରମଣ ଭାରତ ବିରୁଦ୍ଧରେ ଯୁଦ୍ଧ ଘୋଷଣା ସହିତ ସମାନ । ଏହା ପରଦିନ ଭାରତର ବାୟୁସେନା କଡ଼ା ଜବାବ ଦେଇ ସରକାରୀ ଭାବେ ଯୁଦ୍ଧ ଆରମ୍ଭ ସୂଚିତ କରିଥିଲେ । ଆକାଶ, ସମୁଦ୍ର ଓ ସ୍ଥଳ ଭାଗରେ ଭାରତୀୟ ସେନା ଯୁଦ୍ଧରେ ଏହାର ପ୍ରଭୂତ୍ୱ ଜାହିର କରିଥିଲା । ସ୍ଥଳ ଭାଗରେ ଭାରତୀୟ ସେନା ପାକିସ୍ଥାନୀ ସେନାର ପ୍ରଭୂତ କ୍ଷତି ଘଟାଇଥିଲା । କରାଚୀ ବନ୍ଦର ଉପରେ ଭାରତୀୟ ନୌସେନାର ଅତର୍କିତ ଆକ୍ରମଣରେ ପାକିସ୍ଥାନର ବହୁ କ୍ଷତି ହୋଇଥିଲା । ଭାରତୀୟ ବାୟୁ ସେନାର ଏକ ପ୍ରମୁଖ ଆକ୍ରମଣରେ ପାକିସ୍ଥାନର ମୁରିଦ୍ ବେସ୍‌ର ଅନେକ ଯୁଦ୍ଧ ବିମାନ ନଷ୍ଟ ହୋଇଥିଲା ଏବଂ ପାକିସ୍ଥାନ ଏଥିରେ ୭୫ ଟି ବିମାନ ହରାଇଥିଲା । ରାଜସ୍ଥାନର ସୀମାରେ ଥିବା ଲୋଙ୍ଗେୱାଲାର ପ୍ରସିଦ୍ଧ ଯୁଦ୍ଧରେ ଭାରତୀୟ ସେନା ପାକିସ୍ଥାନର ପ୍ରମୁଖ ଟ୍ୟାଙ୍କ୍ ଆକ୍ରମଣକୁ ବିଫଳ କରିଦେଇଥିଲେ । ପାକିସ୍ଥାନ ୩୪ ଟି ଟ୍ୟାଙ୍କ୍ ଏବଂ ପ୍ରାୟ ୨୦୦ ସେନାଙ୍କୁ ହରାଇଥିଲା । ଏହି ଲଢ଼େଇ ହିନ୍ଦୀ ଚଳଚ୍ଚିତ୍ର “ବର୍ଡର୍‌’ ରେ ମଧ୍ୟ ପ୍ରଦର୍ଶିତ ହୋଇଛି । ୧୯୭୧ ମସିହା ଡିସେମ୍ବର ୩ ତାରିଖରୁ ୧୬ ତାରିଖ ଅର୍ଥାତ ଢାକାର ପତନ ପର୍ଯ୍ୟନ୍ତ ଭାରତ ଓ ପାକିସ୍ଥାନ ସେନା ମଧ୍ୟରେ ମୁକାବିଲା ହୋଇଥିଲା । ଏହି ଯୁଦ୍ଧ ମାତ୍ର ୧୩ ଦିନ ପର୍ଯ୍ୟନ୍ତ ଚାଲିଥିଲା ଏବଂ ଏହା ଇତିହାସର କ୍ଷୁଦ୍ର ଯୁଦ୍ଧ ମଧ୍ୟରେ ଅନ୍ୟତମ । ପୂର୍ବ ପାକିସ୍ଥାନର ବଙ୍ଗାଳୀଙ୍କ ବିରୁଦ୍ଧରେ କରାଯାଇଥିବା ନରସଂହାରକୁ ସମାପ୍ତ କରିବା ପାଇଁ ଏହି ଯୁଦ୍ଧରେ ଉଭୟ ଭାରତ ଓ ପାକିସ୍ଥାନର ୩,୮୦୦ରୁ ଉର୍ଦ୍ଧ୍ୱ ସୈନ୍ୟ ପ୍ରାଣ ହରାଇଥିଲେ । ଜେନାରାଲ୍ ଏ. ଏ. କେ, ନିୟାଜୀ ୧୬ ଡିସେମ୍ବର ୧୯୭୧ ରେ ଢାକାରେ ସମର୍ପଣ ଦଲିଲରେ ସ୍ୱାକ୍ଷର କରିଥିଲେ, ଯାହାଫଳରେ ପୂର୍ବ ପାକିସ୍ଥାନ ବାଂଲାଦେଶ ନାମରେ ଏକ ନୂତନ ରାଷ୍ଟ୍ର ଭାବରେ ଗଠିତ ହେଲା । ବାଂଲାଦେଶର ଜନ୍ମ ସହିତ ପାକିସ୍ଥାନ ମଧ୍ୟ ନିଜର ଅଧା ଅଂଚଳ ହରାଇଲା ଏବଂ ଭାରତୀୟ ସଂସଦ ନବଗଠିତ ବାଂଲାଦେଶ ସରକାରକୁ ମାନ୍ୟତା ପ୍ରଦାନ କରିଥିଲା । ଏକ ମହାନ ଓ ବିନମ୍ର ରାଷ୍ଟ୍ର୍ର ଭାବେ ନିଜର ପ୍ରତିବଦ୍ଧତା ପ୍ରଦର୍ଶନ ସ୍ୱରୂପ ୨ ଅଗଷ୍ଟ ୧୯୭୨ ରେ ଭାରତ ଏବଂ ପାକିସ୍ଥାନ ମିଳିତ ଭାବେ ସିମଳା ରାଜିନାମା ସ୍ୱାକ୍ଷର କରିଥିଲେ ଏବଂ ଏହା ଅନୁଯାୟୀ ୯୩ ହଜାର ପାକିସ୍ଥାନୀ ଯୁଦ୍ଧ ବନ୍ଦୀଙ୍କୁ ଭାରତ ମୁକ୍ତ କରିବା ଏବଂ ବିଜୟ ଲାଭ କରିଥିବା ସମସ୍ତ ପାକିସ୍ଥାନୀ ଅଞ୍ଝଳକୁ ପ୍ରତ୍ୟାର୍ପଣ କରିବା ପାଇଁ ଏହି ରାଜିନାମା ଅନୁଯାୟୀ ଭାରତ ସହମତି ପ୍ରଦାନ କରିଥିଲା ।ଏଥି ପାଇଁ ୨୦୨୧ ବର୍ଷକୁ “ସ୍ୱର୍ଣ୍ଣିମ ବିଜୟ ବର୍ଷ’ ରୂପେ ପାଳନ କରାଯାଉଛି । ୨୦୨୦ ମସିହା ଡିସେମ୍ବର ୧୬ ତାରିଖରୁ ନୂଆଦିଲ୍ଲୀର ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ଠାରୁ “ଅମର ଯବାନ ଜ୍ୟୋତି’ ର ଚାରିଗୋଟି ସ୍ୱର୍ଣ୍ଣିମ ବିଜୟ ମଶାଲ ଯାତ୍ରା ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା । ଭାରତ ବର୍ଷର ବିଜୟ ଏବଂ ସଶସ୍ତ୍ର ବାହିନୀର ବଳିଦାନ ସନ୍ଦେଶକୁ ସମଗ୍ର ଦେଶବାସୀଙ୍କ ନିକଟରେ ପହଂଚାଇବା ପାଇଁ ଦେଶର ଚାରିଗୋଟି ଦିଗକୁ ଏହି ଜ୍ୟୋତି ପ୍ରେରଣ କରାଯାଇଛି । ଏହି କ୍ରମରେ ଅକ୍ଟୋବର ୨୦ ରୁ ଓଡ଼ିଶାରେ ଦକ୍ଷିଣାଂଚଳ ଜ୍ୟୋତି ଯାତ୍ରା ପରିକ୍ରମା କରି ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଓଡିଶାର ବିଭିନ୍ନ ଜାଗାରେ ଏହି ବିଜୟ ଅଗ୍ନି ସ୍ଥାପନ ସହିତ ଶହୀଦ୍ ବୀର ସୈନିକ ମାନଙ୍କର ସ୍ମୃତି ଚାରଣ କରିବାର କାର୍ଯ୍ୟକ୍ରମ ରହିଛି । ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଖଲିକୋଟ କଲେଜ ଷ୍ଟାଡିୟମ୍, ଆଙ୍କୁଶପୁର ଏସ୍. ଏମ୍.ଆଇ.ଟି. କଲେଜ, ବ୍ରହ୍ମପୁର ପୋଲିସ୍ ପଡିଆ, ଛତ୍ରପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପରିସରରେ ଏହି ଭବ୍ୟ ବିଜୟ ଅଗ୍ନିକୁ ଭବ୍ୟ ସମ୍ବର୍ଦ୍ଧନା ଦେବାର କାର୍ଯ୍ୟକ୍ରମ ରହିଅଛି ।

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ