ଜାତୀୟ ମତଦାତା ଦିବସ : ନୂତନ ଭୋଟରଙ୍କୁ ପରିଚୟ ପତ୍ର ପ୍ରଦାନ

ବାଲେଶ୍ୱର, (ସରୋଜ ପଣ୍ଡା) :-ଜିଲ୍ଲା ପ୍ରଶାସନ ପକ୍ଷରୁ ଦ୍ୱାଦଶ ଜାତୀୟ ମତଦାତା ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସଦଭାବନା ଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଉପସ୍ଥିତ ସମସ୍ତଙ୍କୁ ମତଦାତାଙ୍କ କର୍ତ୍ତବ୍ୟ ସମ୍ପର୍କିତ ଭୋଟର ସଙ୍କଳ୍ପ ପାଠ କରାଇଥିଲେ । ଜାତୀୟ ଭୋଟର ଦିବସ ପାଳନର ଆଭିମୁଖ୍ୟ ଓ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଭୋଟରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଜିଲାପାଳ ସମସ୍ତଙ୍କୁ ଅବଗତ କରିଥିଲେ । ନିର୍ବାଚନ ମାଧ୍ୟମରେ ଭୋଟରମାନେ ନିଜ ପସନ୍ଦର ପ୍ରତିନିଧି ବାଛି ଆଦର୍ଶ ଶାସନ ବ୍ୟବସ୍ଥା ପ୍ରତିଷ୍ଠା କରିବାର କ୍ଷମତା ରହିଛି । ତେଣୁ ଏହି ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାମିଲ ହୋଇ ନିର୍ବାଚନରେ ନିଜ ମତାଧିକାରକୁ ସାବ୍ୟସ୍ତ କରିବା ଏବଂ ଭୋଟ ହାର ବୃଦ୍ଧି ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ବିଶେଷ କରି ଯୁବ ଭୋଟରଙ୍କୁ ଏଥିରେ ଅଂଶଗ୍ରହଣ କରିବାକୁ ଜିଲ୍ଲାପାଳ କହିଥିଲେ । ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର, ଉପ-ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ପ୍ରମୁଖ ଏଥିରେ ଯୋଗ ଦେଇ ଜାତୀୟ ମତଦାତା ଦିବସ ପାଳନର ଯଥାର୍ଥତା ସମ୍ପର୍କରେ ଆଲୋଚନା କରିଥିଲେ । ଭାରତ ନିର୍ବାଚନ ଆୟୋଗର ପ୍ରତିଷ୍ଠା ଦିବସକୁ ଜାତୀୟ ମତଦାତା ଦିବସ ଭାବେ ପାଳନ କରାଯାଇଥାଏ । ଏହି ଅବସରରେ ନୂତନ ଭାବେ ପଞ୍ଜୀକୃତ ହୋଇଥିବା ଭୋଟରମାନଙ୍କୁ ଆଜିର କାର୍ଯ୍ୟକ୍ରମରେ ପରିଚୟପତ୍ର ପ୍ରଦାନ କରାଯାଇଥିବା ବେଳେ ସେମାନେ ନିଜର ଅନୁଭୂତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସେହିପରି ଜିଲାରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନରେ ଉଲେଖନୀୟ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିଥିବା ବୁଥସ୍ତରୀୟ ଅଧିକାରୀଙ୍କୁ ମଧ୍ୟ ଏଥିରେ ସମ୍ବର୍ଦ୍ଧିତ କରାଯାଇଥିଲା । ଆସିଷ୍ଟାଣ୍ଟ କଲେକ୍ଟର (ନିର୍ବାଚନ) ମନୋଜ କାର୍ଜି, ଆସିଷ୍ଟାଣ୍ଟ ସ୍ୱାଗତିକା ଦାସଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ