ଜାତୀୟ ରାଜପଥରେ ସାମ୍ବାଦିକଙ୍କୁ ଆକ୍ରମଣ କରି ଲୁଟିନେଲେ ବାଇକ୍‌, ମୋବାଇଲ

ବନ୍ତ, (ଚାନ୍ଦିନୀ ମହାନ୍ତି) : ୧୫ନଂ.ଜାତୀୟ ରାଜପଥର ଖନ୍ତାପଡା ଥାନା ଠାରୁ ୧କିମି ଦୂରରେ ଅବସ୍ଥିତ ନର୍ସରୀ ନିକଟରେ ବନ୍ତ ବ୍ଲକର ଜଣେ ସାମ୍ବାଦିକଙ୍କୁ ଦୃବୁର୍ତ୍ତ ମାନେ ଦିନଦ୍ୱିପ୍ରହରରେ ଭୁଜାଲୀରେ ଆକ୍ରମଣ କରି ବାଇକ୍‌, ମୋବାଇଲ ଓ ୧୦ ହଜାର ଟଙ୍କା ଲୁଟି ନେବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରକାଶ ଯେ, ଗତ ଶନିବାର ବନ୍ତ ବ୍ଲକର ସାମ୍ବାଦିକ ତଥା ଆଗରପଡା ଥାନା ଅଧିନ କାଣ୍ଡବା ଗ୍ରାମର ମାର୍କଣ୍ଡ ଧଡା ନିଜ ଝିଅର ଦେହ ଅସୁସ୍ଥ ଥିବା ଖବର ପାଇ ବାଇକ୍ ଯୋଗେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଥିଲେ । ଦିନ ସାଢେ ୧୨ଟାରେ ଘରୁ ବାହାରି ଆଗରପଡା-ସୋର ଭାୟା ଖଇରା ରାସ୍ତାରେ ଯାଇ ଜାତୀୟ ରାଜପଥରେ ଯାଇଥିଲେ । ଅପରାହ୍ନ ୧ଟା ୪୫ ମିନିଟ୍ ସମୟରେ ବାଲେଶ୍ୱର ଜିଲା ଖନ୍ତାପଡା ଥାନା ଠାରୁ ୧କିମି ଦୂର ନର୍ସରୀ ଠାରେ ସେ ଶୌଚ ପାଇଁ ବାଇକ୍ ଅଟକାଇଥିଲେ । ଏହି ସମୟ ମଧ୍ୟରେ ଦୁଇ ଅଜଣା ଯୁବକ ନିଜ ଭିତରେ କଳିଲାଗି ସେଠାରେ ପହଂଚି ସାମ୍ବାଦିକ ଜଣଙ୍କୁ ଗାଳିଗୁଲଜ କରିବା ସହିତ ବାଇକ୍ ଧରି ପଳାଇଯିବାକୁ ଉଦ୍ୟମ କରିଥିଲେ । ଏଥିରେ ସାମ୍ବାଦିକ ବାଧା ଦେବାକୁ ଉଭୟଙ୍କ ମଧ୍ୟରେ ଦୀର୍ଘ ୧୫ ମିନିଟ୍ ଧରି ଧସ୍ତାଧସ୍ତି ହୋଇଥିଲା । ପରେ ଜଣେ ଯୁବକ ଭୁଜାଲୀ ଖୋଲି ସାମ୍ବାଦିକଙ୍କୁ ଆକ୍ରମଣ କରିବା ସହିତ ବାଇକ୍ ନେଇ ପଳାଇ ଯାଇଥିଲେ । ଏହାରି ମଧ୍ୟରେ ରାଜପଥରେ ଯାଉଥିବା ଜଣେ ବାଇକ୍ ଆରୋହୀଙ୍କ ସହାୟତାରେ ଲୁଟେରା ମାନଙ୍କୁ ପିଛା କରାଯାଇଥିଲେ ମଧ୍ୟ ଧରିବାରେ ସଫଳ ହୋଇପାରିନଥିଲେ । ପରେ ନିଜ ଝିଅର ଅବସ୍ଥା ଗୁରୁତର ଥିବାରୁ ସାମ୍ବାଦିକ ଶ୍ରୀ ଧଡା ପ୍ରଥମେ ବାଇକ୍ ଆରୋହୀଙ୍କ ସହିତ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ଯାଇ ଝିଅ ପାଖରେ ପହଂଚି ଥିଲେ । ରବିବାର ପୂବାହ୍ନରେ ଖନ୍ତାପଡା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ସେରଗଡ ଟୋଲ ଗେଟ୍‌ର ସିସି କ୍ୟାମେରା ଯାଞ୍ଚ କରି ତଦନ୍ତ ଜାରି ରଖିଛି । ଏନେଇ ଖନ୍ତାପଡା ଥାନାରେ କେସ ନଂ-୩୦୩/୨୧ରେ ମାମଲା ରୁଜ୍ଜୁ ହୋଇଛି । ଦିନଦ୍ୱିପ୍ରହରରେ ରାଜପଥରେ ଏଭଳି ରାହାଜାନୀ ଘଟୁଥିବାରୁ ସାଧାରଣଲୋକେ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ, ବାଲେଶ୍ୱର ଆଇ.ଜି, ଜିଲା ଆରକ୍ଷୀ ଅଧିକ୍ଷକ ସଂପୃକ୍ତ ଘଟଣାକୁ ଗୁରୁତ୍ୱ ଦେଇ ଅଭିଯୁକ୍ତଙ୍କୁ ଧରି କଠୋର ଦଣ୍ଡ ବିଧାନ କରିବାକୁ ବନ୍ତ ପ୍ରେସ୍ କ୍ଲବ ପକ୍ଷରୁ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ