ଜାତୀୟ ରାଜପଥର ପ୍ରତ୍ୟେକ ଜନ ଗହଳି ପୂର୍ଣ୍ଣ ସ୍ଥାନରେ ଅଣ୍ଡର ପାସ୍ କରାଯିବ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ମଧ୍ୟଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ର ପ୍ରତ୍ୟେକ ଜନ ଗହଳି ପୂର୍ଣ୍ଣ ସ୍ଥାନ ଗୁଡିକ ଚିହ୍ନଟ କରି ଅଣ୍ଡର ପାସ୍ କିମ୍ବା ଓଭରବ୍ରିଜ୍ କରିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସଡକ ସୁରକ୍ଷା କମିଟି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ କହିଲେ ଯେ ଜିଲ୍ଲାର ପ୍ରତ୍ୟେକ ସଡକ ଦୁର୍ଘଟଣାର ଅନୁସନ୍ଧାନ କରାଯିବ ଏବଂ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରତ୍ୟେକଟିର ରିପୋର୍ଟ ଜିଲ୍ଲାପାଙ୍କୁ ପ୍ରଦାନ କରିବେ । ଏହାକୁ ଭିତ୍ତି କରି ସଡକ ନିରାପତ୍ତା ସମ୍ବନ୍ଧୀୟ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବ । ସଡକ ସୁରକ୍ଷା ନେଇ ମୁଖ୍ୟ ଶାସନ ସଚ୍ଚିବ ଉଦବେଗ ପ୍ରକାଶ କରୁଥିବାରୁ ଦୁର୍ଘଟଣାକୁ ସମ୍ପୂର୍ଣ୍ଣ ଏଡାଇବାକୁ ପଦକ୍ଷେପ ନିଆଯିବ । ଜାତୀୟ ରାଜପଥ କର୍ତ୍ତୃପକ୍ଷ ମୋଟ ୧୬ ଗୋଟି ଅଣ୍ଡରପାସ୍ ର ପ୍ରସ୍ତାବ ରଖିଥିବାରୁ ଜିଲ୍ଲାପାଳ ଏହାକୁ ଆବଶ୍ୟକତା ଅନୁଯାୟୀ ବୃଦ୍ଧି କରିବାକୁ କହିଥିଲେ । ବେନିୟମ ବସ୍ ପାର୍କିଂ ଉପରେ ଜୋରିମାନା ଲାଗୁ କରାଯିବ । ବସ୍ ଗୁଡିକ ପରମିଟ୍ ରୁଟ୍ ବ୍ୟତୀତ ଉପଯୁକ୍ତ ଅନୁମତି ନ ନେଇ ଅନ୍ୟରୁଟ୍ ରେ ଯାତାୟତ କଲେ ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ । ସ୍କୁଲ ବସ୍ ଗୁଡିକର ଦୁଇ ପାର୍ଶ୍ବରେ ଯାତ୍ରୀ ପରିବହନ ସ୍ଥାନ ସଂଖ୍ୟା ଉଲ୍ଲେଖ ରହିବ । ଅସୁରକ୍ଷିତ ଭାବରେ ସ୍କୁଲ ପିଲାମାନଙ୍କୁ ପରିବହନ କରୁଥିବା ଗାଡି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ । ଗତ ଜାନୁୟାରୀ ମାସରେ ବିଭିନ୍ନ ସଡକ ଦୁର୍ଘଟଣାରେ ଜିଲ୍ଲାରେ ୫୭ ଜଣଙ୍କର ମୃତ୍ୟୁ ହୋଇଥିବାରୁ ଜିଲ୍ଲାପାଳ ଅତ୍ୟଧିକ ଉଦବେଗ ପ୍ରକାଶ କରିବା ସହିତ ଟ୍ରକ୍ ଓ ବସ୍ ଆସୋସିଏସନ୍ କର୍ମକର୍ତ୍ତାଙ୍କୁ ସମ୍ପୂର୍ଣ୍ଣ ଯତ୍ନଶୀଳ ହେବାକୁ କହିଥିଲେ । ପ୍ରତ୍ୟେକ ଯାତ୍ରୀବାହୀ ବସ୍ ରେ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ସହିତ ଅଗ୍ନି ନିର୍ବାପକ ଯନ୍ତ୍ର ସୁନିଶ୍ଚିତ କରାଯିବ । ବସ ର ଡ୍ରାଇଭର ଓ ଅନ୍ୟ କର୍ମଚାରୀଙ୍କୁ ଅଗ୍ନି ନିର୍ବାପକ ତାଲିମ ଦିଆଯିବ । ଏ ବାବଦ ବ୍ୟୟ ବସ୍ ଆସୋସିଏସନ୍ ବହନ କରିବେ । ଖଲ୍ଲିକୋଟ ଓ ଗୋଳନ୍ଥରା ଠାରେ ପ୍ରସ୍ତାବିତ ଟ୍ରକ୍ ଟର୍ମିନାଲ କାର୍ଯ୍ୟକୁ ତ୍ବରାନ୍ବୀତ କରିବାକୁ ସଂପୃକ୍ତ କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାଏ, ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ପିନାକ୍ ମିଶ୍ର, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ କୁମାର ବିଶ୍ବାଳ ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ