ଜାତୀୟ ରାଜପଥ ଅଧିକାରୀଙ୍କ ଦବଙ୍ଗଗିରି, କ୍ଷତିପୁରଣ ବିନା ରାସ୍ତା ନିର୍ମାଣ ଅଭିଯୋଗ!
ଭଣ୍ଡାରିପୋଖରୀ,( ଦୁର୍ଯ୍ୟୋଧନ ଲେଙ୍କା ) : ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥର ଏବେ ୬ଲାଇନ ବିଶିଷ୍ଟ ସଂପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ଅନେକ ସ୍ଥାନରେ ଜାତୀୟ ରାଜପଥ ଅଧିକାରୀଙ୍କ ଦବଙ୍ଗଗିରି ଦେଖାଉଥିବା ଅଭିଯୋଗ ହେଉଛି। ମିଳିଥିବା ଅଭିଯୋଗ ଅନୁଯାୟୀ ଭଣ୍ଡାରିପୋଖରୀ ବସଷ୍ଟାଣ୍ଡ ଠାରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ପୋଲ ନିର୍ମାଣ ହେଉଥିବା ବେଳେ ଏହାର ସଂଯୋଗୀକରଣ ରାସ୍ତା ପାଇଁ ଏବେ କାମ ଆରମ୍ଭ ହୋଇଛି। ଏଥିପାଇଁ ପାର୍ଶ୍ୱ ୟୁକୋ ବ୍ୟାଙ୍କ ସାମ୍ନାରେ ଥିବା ସୁଧାକର ନାୟକଙ୍କ ୭ଡ଼ିସିମିଲ ଜାଗାକୁ ଜୋର ଜବରଦସ୍ତ ନିର୍ମାଣ କାରୀ ସଂସ୍ଥା ହାତେଇ ଥିବା ଜଣାପଡିଛି। ଉକ୍ତ ସ୍ଥାନ ପାଇଁ ଶ୍ରୀ ନାୟକ ୨୦୦୨ ମସିହାରେ କ୍ଷତି ପୂରଣ ଦାବିକରି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ମାନ୍ୟବର ହାଇକୋର୍ଟ ସମସ୍ତ ଘଟଣାକୁ ବିଚାର କରି ରାଜପଥ ନିର୍ମାଣ କରିବାକୁ ହେଲେ ବ୍ୟକ୍ତିଗତ ଜାଗା ଛାଡୁଥିବା କ୍ଷତି ଗ୍ରସ୍ତ ଲୋକଙ୍କୁ ଯଥାଶୀଘ୍ର କ୍ଷତି ପୂରଣ ଯୋଗାଇବାକୁ ନିର୍ଦ୍ଧେଶ ଦେଇଛନ୍ତି। ନିର୍ଦେଶ ଆଧାରରେ ଶ୍ରୀ ନାୟକ କ୍ଷତି ପୂରଣ ପାଇବାକୁ ଯୋଗ୍ୟ ଥିବାବେଳେ ଜାତୀୟ ରାଜପଥ ର ଅଧିକାରୀ ମାନେ ଏବେ ଏବେ ମାଗଣା ମରଗ ଭଳି ବ୍ୟକ୍ତି ଗତ ସ୍ଥାନରେ ରାସ୍ତା ନିର୍ମାଣ କରିବାକୁ ନିର୍ମାଣ କାରୀ ସଂସ୍ଥାକୁ ଦାୟିତ୍ୱ ଦେଇଛନ୍ତି। ଏଥିପାଇଁ ସ୍ଥାନୀୟ ତହସିଲଦାର ଓ ଥାନା ଜରିଆରେ ନିର୍ମାଣ କାରୀ ସଂସ୍ଥା କ୍ଷତିଗ୍ରସ୍ତଙ୍କୁ ଭୟ ଦେଖାଇ କ୍ଷତି ପୂରଣ ବିନା ଜାଗା ଛଡାଇନେବାକୁ ଚେଷ୍ଟା କରୁଛନ୍ତି। ଉକ୍ତ ଜାଗା ସମ୍ବନ୍ଧୀୟ ମାମଲା ଏବେ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ରହିଥିବା ବେଳେ ସମାଧାନ ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନକରି ଓଲଟା ଜୋର ଜବରଦସ୍ତ ଛଡାଇ ନେଇ ନିର୍ମାଣକାରୀ ସଂସ୍ଥା ହାତରେ ଟେକିଦେଉଥିବା ଶ୍ରୀ ନାୟକ କହିଛନ୍ତି। ବିଶେଷ କରି ତହସିଲଦାର ଏହା ଉପରେ କୌଣସି ପଦକ୍ଷେପ ଗ୍ରହଣ ନକଲେ କ୍ଷତିଗ୍ରସ୍ତ ଶ୍ରୀ ନାୟକ ତହସିଲ ଆଗରେ ଆମରଣ ଅନଶନ କରିବେ ବୋଲି ଜଣାଇଛନ୍ତି। ଏ ବାବଦରେ ସ୍ଥାନୀୟ ତହସିଲଦାର ଙ୍କୁ ପଚାରିବାରୁ ଜମି ଅଧିଗ୍ରହଣ ହୋଇଥିବା ସେ କହିଥିବାବେଳେ କ୍ଷତିଗ୍ରସ୍ତ କୌଣସି ପ୍ରାପ୍ୟ ପାଇନଥିବାରୁ ଆଜି କାମ ବନ୍ଦ ହୋଇଥିବା କହିଛନ୍ତି।