ଜାତୀୟ ରାଜପଥ କଡ଼ରେ ବୁଲୁଛନ୍ତି, ନଷ୍ଟ କରୁଛନ୍ତି ଚାଷ ଜମି 

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶରେ ଥିବା ବିଶୋଇ ଅଞ୍ଚଳରେ ଗତ ଦୁଇ ଦିନ ଧରି ହାତୀ ଉପଦ୍ରଵ ଥମିବାର ନାଁ ନେଉନି । ଗୋଟିଏ ପଟେ ଏହି ହାତୀପୋଲକୁ ବନବିଭାଗ ସୁରକ୍ଷା ଦେଉଥିବା ବେଳେ ଅନ୍ୟପଟେ ହାତୀପୋଲ ଗ୍ରାମ ମାନଙ୍କ ନିକଟରେ ଚଳପ୍ରଚଳ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।ଗତକାଲି ଟୁଙ୍ଗୁରୁ ସଂରକ୍ଷିତ ଜଙ୍ଗଲରୁ ୨ ଦନ୍ତା,୬ ମାଈ ହାତୀ ଓ ୩ ଛୁଆ ହାତୀକୁ ନେଇ ୧୧ ଗୋଟି ହାତୀ ପୋଲ ଓହ୍ଲାଇବା ପରେ ଦିନ ତମାମ ଲୁହାକାନି ପଞ୍ଚାୟତରେ ୧୭ ଗୋଟି ଗ୍ରାମରେ ଭୟର ବାତାବରଣ ଲାଗି ରହିଥିଲା। ଗତକାଲି ସନ୍ଧ୍ୟାରେ ଏହି ହାତୀପୋଲ ୫୦ ନଂ ରାଜ୍ୟ ରାଜପଥ ପାର ହୋଇ ଲୁହାବାଳିଆ ଗ୍ରାମରୁ ବାଉତିବେଡା ଗ୍ରାମକୁ ପହଞ୍ଚିଥିଲେ।ତେବେ ସୂଚନାମୁତାବକ, ଆଜି ଏହି ହାତିପୋଲ ୪୯ ନଂ ଜାତୀୟ ରାଜପଥ କଡ଼ ଦେଇ ପ୍ରଥମେ ମହୁଭଣ୍ଡାର ପୋଲ ନିକଟରେ ପହଞ୍ଚିଥିଲେ।ପରବର୍ତ୍ତୀ ସମୟରେ ହାତୀପୋଲ ବାଉତିବେଡା ପଞ୍ଚାୟତର ମଙ୍ଗଳପୁର ଗ୍ରାମ ନିକଟକୁ ପହଞ୍ଚି ପରେ ହିଜିଳି ଗ୍ରାମ ଦେଇ ଭାତଛତ୍ର ପଞ୍ଚାୟତର ବବେଇଜଳା ଓ ଶେଷରେ ରଳିଆବିନ୍ଧା ଛକ ନିକଟକୁ ପହଞ୍ଚିଥିଲେ । ତେବେ,ଜନଗହଳି ଯୋଗୁ ପୁଣି ଏହି ହାତୀପୋଲ ରଳିଆବିନ୍ଧା ଛକରୁ ଫେରି  ୪୯ ନଂ ଜାତୀୟ ରାଜପଥ କଡ଼ ଦେଇ ସ୍ଥାନୀୟ ଜାମବିଲା କାଜୁ ଜଙ୍ଗଲ ଠାରେ ଆଶ୍ରୟ ନେଇଥିବାର ବନବିଭାଗ ପକ୍ଷରୁ ସୂଚନା ମିଳିଛି।ଏହି ସମୟରେ ହାତୀ ମାନେ ଗ୍ରାମ ରାସ୍ତା ଦେଇ ଚଳପ୍ରଚଳ କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖାଯାଇଥିଲା । ସେହିପରି ଏହି ସମୟରେ ହାତୀ ମାନେ ବହୁ ଚାଷ ଜମି ମଧ୍ୟରେ ପ୍ରବେଶ କରି ଧାନ ଖାଇବା ସହିତ ଚାଷ ଜମି ନଷ୍ଟ କରିଥିଲେ।ମଣଦା ବନାଞ୍ଚଳ ଅଧିକାରିଣୀ ଧରିତ୍ରୀ ମୁର୍ମୁଙ୍କ ନେତୃତ୍ୱରେ ବିଶୋଇ ବନପାଳ ଅଜିତ ମାହାନ୍ତି,ମଣଦା ବନପାଳ ସୁଶାନ୍ତ ପାତ୍ରଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଏହି ହାତୀଙ୍କ ଗତିବିଧି ଉପରେ ତୀକ୍ଷଣ ନଜର ରଖାଯାଇଛି ।ଏଥିସହିତ ହାତୀ ଉପଦ୍ରଵ ଜନିତ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ଯଥାଶୀଘ୍ର କ୍ଷତିପୂରଣ ଯୋଗାଇବା ପାଇଁ ମଣଦା ବନାଞ୍ଚଳ ଅଧିକାରିଣୀ ଧରିତ୍ରୀ ମୁର୍ମୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ