ଜାତୀୟ ରାଜପଥ ପାଲଟିଛି କାଞ୍ଜିଆହୁଦା: ପୌର ପ୍ରଶାସନ ନିରବଦ୍ରଷ୍ଟା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଦୀର୍ଘଦିନ ଧରି ହିଞ୍ଜିଳିକାଟୁ ସହର ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥଟି ବୁଲା ଗାଇଗୋରୁଙ୍କ ଚରାଭୂଇଁ ପାଲଟିଛି । ଏ ନେଇ ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଇଗୋରୁଙ୍କୁ ଘରେ ରଖିବା ପରିବର୍ତ୍ତେ ମାଲିକମାନେ ନିଜର ସ୍ୱାର୍ଥ ହାସଲ ହେବା ପରେ ଗାଇଗୋରୁଙ୍କୁ ବାହାରକୁ ଅବାଧରେ ଚରାବୁଲା କରିବା ପାଇଁ ଛାଡ଼ି ଦେଉଛନ୍ତି । ହେଲେ ଏହା ଦ୍ୱାରା ଜନସାଧାରଣ ବହୁ ଅସୁବିଧାର ସମ୍ମୁଖିିନ ହେଉଥିବା ଦେଖିବାକୁ ମିଳୁଛି । ହିଞ୍ଜିଳିକାଟୁ ପୌରାଂଚଳର ବଇଁଚବଣିଆ, ମାଣିକନଗର ଛକ, ସିନେମାହଲ ଛକ, ରଜାସାହିଛକ, ବିଜୁପଟ୍ଟନାୟକ ଛକ, ବ୍ଳକ ଛକ ୫୯ ନଂ ଜାତୀୟ ରାଜପଥ ଉପରେ ଗାଇ ଗୋରୁ ମାଳମାଳ ହୋଇ ଜାତୀୟ ରାଜପଥକୁ ଅବରୋଧ କରି ରଖୁଥିବା ଦେଖିବାକୁ ମିଳୁଛି । ଫଳରେ ଉକ୍ତ ସ୍ଥାନ ଗୁଡ଼ିକରେ ପ୍ରତିଦିନ ଛୋଟବଡ଼ ଦୂର୍ଘଟଣା ଘଟିି ବହୁ ଧନ ଜୀବନ ନଷ୍ଟ ହେଉଥିବାର ନଜିର ରହିଛି । ଜାତୀୟ ରାଜପଥ ଉପରେ ଗାଇ ଗୋରୁ ମାନେ ଶୋଇରହିବା ଯୋଗୁଁ ଟ୍ରାଫିକ ସମସ୍ୟା ସହ ଦୂର୍ଘଟଣା ଓ ପରିବେଶ ଦୂଷିତ ଆଦି ବିଭିନ୍ନ ସମସ୍ୟା ଉପୁଜୁଛି । ହିଞ୍ଜିଳିକାଟୁ ପୌରାଂଚଳର ବିଭିନ୍ନ ଛକ ସ୍ଥାନ ତଥା ୫୯ ନଂ ଜାତୀୟ ରାଜପଥ ଉପରେ ଗାଇଗୋରୁଙ୍କ ଅବାଧ ଚରାଭୂଇଁ ପାଲଟିଥିବା ବେଳେ ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଏଥିପ୍ରତି ତିଳେ ମାତ୍ର ଦୃଷ୍ଟି ଦେଉନାହାନ୍ତି । ଗାଇଗୋରୁ ମାଲିକଙ୍କ ଉଦାସିନତା ଏବଂ ଦାୟିତ୍ୱହୀନତା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଏପରି ସମସ୍ୟା ଉପୁଜୁଥିବା ଜଣାପଡ଼ିଛି । ଗାଇଗୋରୁ ମାଲିକ ମାନେ ସକାଳେ କ୍ଷୀର ଦୁହିଁବା ପରେ ନିଜ ନିଜର ଗାଇଗୋରୁଙ୍କୁ ବୁଲିବା ପାଇଁ ବଜାରକୁ ଛାଡ଼ି ଦେଇଥାନ୍ତି । ସ୍ଥାନୀୟ ଅଂଚଳରେ ବୁଲା ଗାଇଗୋରୁଙ୍କ ସକାଶେ କାଞ୍ଜିଆହୁଦା ବ୍ୟବସ୍ଥା ନଥିବା ଯୋଗୁଁ ସଂପୃକ୍ତ ଗାଇଗୋରୁ ମାଲିକ ମାନଙ୍କ ଏଥିପ୍ରତି ତିଳେ ମାତ୍ର ଭୟ ନଥିବା ଜଣାପଡ଼ୁଛି । ସ୍ଥାନୀୟ ସହରରେ ୫୯ ନଂ ଜାତୀୟ ରାଜପଥ କାଞ୍ଜିଆହୁଦା ପାଲଟିଥିବା ନେଇ ଅଂଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ତେବେ ରାସ୍ତା ଦୂର୍ଘଟଣା, ପରିବେଷ ପ୍ରଦୁଷଣ ଓ ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇଁ ସ୍ଥାନୀୟ ପୌର ପ୍ରଶାସନ ଦୃଷ୍ଟି ଦେଇ ସମସ୍ୟାର ନିରାକରଣ କରିବା ପାଇଁ ଜନସାଧାରଣରେ ଦାବୀ ହେଉଛି ।


