ଜାତୀୟ ଶିକ୍ଷା ନୀତିର ୧ ବର୍ଷ ଉପଲବ୍ଧି ପୁସ୍ତକ ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ଶିକ୍ଷା ହେଉଛି ଜ୍ଞାନ, ଚରିତ୍ର ଏବଂ ରାଷ୍ଟ୍ର ନିର୍ମାଣର ସର୍ବୋକୃଷ୍ଟ ମାଧ୍ୟମ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଭାରତ ସରକାରଙ୍କ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି୨୦୨୦(ଏନ୍‌ଇପି) କ୍ରିୟାନ୍ୱୟନର ପ୍ରତିବଦ୍ଧତାକୁ ଅଧିକ ଦୃଢୀଭୂତ କରିବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ବିଜେନ୍ଦ୍ର କୁମାରଙ୍କ ସହ ନୂଆ ଜାତୀୟ ଶିକ୍ଷା ନୀତିର ୧ ବର୍ଷ ପୂର୍ତି ଉପଲବ୍ଧି ସମ୍ବନ୍ଧିତ ଏକ ପୁସ୍ତକ ଏବଂ ଜାତୀୟ ଶିକ୍ଷା ନୀତି ଅଧୀନରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ୪ଟି ନୂଆ ଉପକ୍ରମର ଲୋକାର୍ପଣ କରିଛନ୍ତି । ନୂଆ ଜାତୀୟ ଶିକ୍ଷା ନୀତି ଅଧୀନରେ ନ୍ୟାସନାଲ କାଉନସିଲ ଅଫ୍ ରିସର୍ଚ୍ଚ ଏଣ୍ଡ୍ ଟ୍ରେନିଂ(ଏନସିଇଆରଟି) ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ପ୍ରସ୍ତୁତ ୪ଟି ନୂଆ ଉପକ୍ରମର ଶୁଭାରମ୍ଭ କରାଯାଇଛି । ଏହି ଉପକ୍ରମ ଗୁଡ଼ିକ ହେଲା ନିପୁଣ ଭାରତ ମିଶନ ଅଧୀନରେ ‘ମୌଳିକ ସ୍ୱାକ୍ଷରତା ଏବଂ ସଂଖ୍ୟା-ଜ୍ଞାନ ପାଇଁ ଇ-ସମ୍ବଳ, ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟୀ ଶିକ୍ଷା ସଂସ୍ଥାନ(ଏନଆଇଏସ)-‘ଭର୍ଚୁଆଲ ସ୍କୁଲ’, ଏନସିଇଆରଟିର ‘ବୈକଳ୍ପିକ ଏକାଡେମିକ କ୍ୟାଲେଣ୍ଡର ୨୦୨୧-୨୨’ ଏବଂ ‘ପ୍ରିୟା-ଦ ଆକ୍ସେସିବିଲଟି ଓା୍ୱରିୟର’ ନାମକ କମିକ୍ ବୁକ୍ । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଶିକ୍ଷା ହେଉଛି ଜ୍ଞାନ, ଚରିତ୍ର ଏବଂ ରାଷ୍ଟ୍ର ନିର୍ମାଣର ସର୍ବୋତ୍କୃଷ୍ଟ ମାଧ୍ୟମ । ଶିକ୍ଷା କେବଳ ଡିଗ୍ରୀ ପାଇବା ପାଇଁ ଏକ ପ୍ରତିଯୋଗିତା ନୁହେଁ । ଶିକ୍ଷା ହେଉଛି ଜ୍ଞାନ ମାଧ୍ୟମରେ ଚରିତ୍ର ନିର୍ମାଣ ଏବଂ ଚରିତ୍ର ନିର୍ମାଣ ମାଧ୍ୟମରେ ରାଷ୍ଟ୍ର ନିର୍ମାଣର ଏକ ମାଧ୍ୟମ । ଏହି ଧାରଣା ଶତୀବ୍ଦୀ ଶତାବ୍ଦୀ ଧରି ଭାରତର ଶିକ୍ଷା ପରମ୍ପରାରେ ରହିଛି । ସନ୍ଥ କବି ଭୀମ ଭୋଇ, ସ୍ୱାଧୀନତା
ସଂଗ୍ରାମୀ ଅରବିନ୍ଦ ଘୋଷ, ସ୍ୱାମୀ ବିବେକାନନ୍ଦ, ମହାତ୍ମା ଗାନ୍ଧି, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଭାରତର ଆତ୍ମାକୁ ଶିକ୍ଷାରେ ପ୍ରସ୍ଫୁଟିତ କରିଛନ୍ତି । ନୂତନ ଜାତୀୟ ଶିକ୍ଷା ନୀତି ଏହି ମୂଲ୍ୟବୋଧକୁ କେନ୍ଦ୍ରରେ ରଖି ଭାରତକୁ ଏକ ଜ୍ଞାନ ଆଧାରିତ ସମାଜ ଭାବରେ ବିକଶିତ କରିବାର ଏକ ମଡ଼େଲ୍ ଅଟେ ।ସେ କହିଛନ୍ତି ଆଜିର ଭବ୍ୟ କାର୍ଯ୍ୟକ୍ରମରେ ନୂଆ ଜାତୀୟ ଶିକ୍ଷା ନୀତିର ୧ ବର୍ଷ ଉପଲବ୍ଧତାକୁ ନେଇ ଏକ ପୁସ୍ତକର ଉନ୍ମୋଚନ କରାଯାଇ ଏହାକୁ ନାଗରିକଙ୍କ ପାଇଁ ସାର୍ବଜନୀନ କରାଯାଇଛି । ଜାତୀୟ ଶିକ୍ଷା ନୀତିରେ ଉଲ୍ଲେଖ ଥିବା ପରାମର୍ଶ ଗୁଡିକ ମଧ୍ୟରୁ ୩୨ଟି ପ୍ରମୁଖ ପରାମର୍ଶ ସଫଳତାର ସହିତ କାର୍ଯ୍ୟକାରୀ ହୋଇଛି । ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ଏକ ବର୍ଷରେ ହାସଲ କରାଯାଇଥିବା ଅନେକ ଉପଲବ୍ଧି ଆମ ସମସ୍ତଙ୍କ ଆତ୍ମବିଶ୍ୱାସକୁ ଉଜ୍ଜିବୀତ କରିଛି । ନୂଆ ଶିକ୍ଷା ନୀତି ଏକବିଂଶ ଶତାବ୍ଦୀ ଆତ୍ମନିର୍ଭର ଭାରତ ପାଇଁ ନୂଆ ମାର୍ଗ ପ୍ରସ୍ତୁତ କରିବ ନୂଆ ବିଶ୍ୱାସ ଏବଂ ଆବଶ୍ୟକତାକୁ ପୂରଣ କରିବା ଦିଗରେ ବଡ଼ ମାଧ୍ୟମ ହେବ । ଭାରତବର୍ଷର ୩ ରୁ ୯ ବର୍ଷର ୭ କୋଟି ୫୦ ଲକ୍ଷ ଛାତ୍ରଛାତ୍ରୀଙ୍କ ଲେଖାପଢ଼ା ଏବଂ ଅଙ୍କଗଣିତରେ ‘ଇ-ସମ୍ବଳ’ ହେଉ କିମ୍ବା ଶିକ୍ଷକ ଏବଂ ବିଦ୍ୟାର୍ଥୀଙ୍କ ମଧ୍ୟରେ ଥିବା ଦୂରତାକୁ କମ୍ କରିବା ତଥା ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ସୁନିଶ୍ଚିତ କରିବା ଦିଗରେ ଆରମ୍ଭ ହୋଇଥିବା ‘ଭର୍ଚୁଆଲ ସ୍କୁଲ’ ମୋଦି ସରକାରଙ୍କ ନୂଆ ଶିକ୍ଷା ନୀତି ପ୍ରତି ଥିବା ପ୍ରତିବଦ୍ଧତାକୁ ଅଧିକ ପ୍ରତିଫଳିତ କରୁଛି । ଭର୍ଚୁଆଲ ସ୍କୁଲ ବିଦ୍ୟାଳୟ ଶିକ୍ଷାର ଏକ ନୂଆ ମଡେଲ ଏବଂ ଉଦାହରଣ ଅଟେ । ଟେକ୍ନୋଲୋଜି ଏବଂ ନବସୃଜନକୁ ଶିକ୍ଷା କ୍ଷେତ୍ରରେ ଅଧିକ ଅନ୍ତର୍ଭୃକ୍ତ ହୋଇପାରିବା ନେଇ ଏପରି ଏକ ଉପକ୍ରମ ଆରମ୍ଭ କରାଯାଇଛି । ଭର୍ଚୁଆଲ ଲାଇଭ୍ କ୍ଲାସରୁମ ଏବଂ ଭର୍ଚୁଆଲ ଲ୍ୟାବ ମାଧ୍ୟମରେ ଉନ୍ନତ ଡିଜିଟାଲ ଶିକ୍ଷାର ସୁବିଧା ପିଲାମାନେ ପାଇପାରିବେ ।ଏହାବ୍ୟତିତ ଏନସିଇଆରଟିର ‘ବୈକଳ୍ପିକ ଏକାଡେମିକ କ୍ୟାଲେଣ୍ଡର’ ଶିକ୍ଷକ ଏବଂ ଅଭିଭାବକ ମାନଙ୍କୁ
ଶିଶୁଙ୍କ ପାଠପଢାର ଉନ୍ନତିକୁ ଅବଗତ କରାଇବ । ଏହି କ୍ୟାଲେଣ୍ଡର ସାପ୍ତାହିକ ଯୋଜନାରେ କୌତୁହଳପୂର୍ଣ୍ଣ, ଆହ୍ୱାନପୂର୍ଣ୍ଣ କାର୍ଯ୍ୟକଳାପ ପରିପୃଷ୍ଠ ରହିବ, ଯାହା ପାଠ୍ୟ ଖସଡା ଏବଂ ପୁସ୍ତକରୁ ନିଆଯାଇଛି । ସେହିପରି ବିଦ୍ୟାଳୟ କ୍ୟାମ୍ପସକୁ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ପାଇଁ ଉପଲବ୍ଧ କରାଇବା, ଜ୍ଞାନ ଏବଂ ମନୋରଞ୍ଜନ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସମାବେଶୀ ଚିନ୍ତାଧାରା ସୃଷ୍ଟି କରିବା ଏବଂ ଏକ ସମାନ୍ତରାଳ ସମାଜ ଗଠନ କରିବା ଦିଗରେ ‘ପ୍ରିୟା-ଦ ଆକ୍ସେସିବିଲଟି ଓା୍ୱରିୟର’ ନାମକ କମିକ୍ ପୁସ୍ତକକୁ ଉନ୍ମୋଚନ କରାଯାଇଛି । ଆଜି ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛେ । ଶିକ୍ଷାକୁ ସମାବେଶୀ କରିବା ତଥା ସମସ୍ତଙ୍କ ପାଖରେ ପହଁଚାଇବା ଆମ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଲାଲକିଲ୍ଲା ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଚୁରେସନର ଯେଉଁ ସଙ୍କଳ୍ପ ନେଇଛନ୍ତି ତାହାକୁ ପୂରଣ କରିବା ଦିଗରେ ଦେଶରେ ସବୁ ସ୍କୁଲରେ ଇଂଟରନେଟ୍‌, ଶୌଚାଳୟ, ପାନୀୟ ଜଳ ପହଁଚାଇବା ପାଇଁ ଆମେ ସଙ୍କଳ୍ପବଦ୍ଧ ।ଯେଉଁ ରାଷ୍ଟ୍ରୀୟ ଶିକ୍ଷା ନୀତି ଅନ୍ତର୍ଗତ ଆଜି ଆରମ୍ଭ ହୋଇଥିବା ସମସ୍ତ ଉପକ୍ରମ ପ୍ରଧାନମନ୍ତ୍ରୀଙ୍କ ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ୱାସ ମନ୍ତ୍ରରେ ପରିଲକ୍ଷିତ କରୁଛି । ଶିକ୍ଷା ନୀତି ୨୦୨୦ ଭବିଷ୍ୟତ ପିଢ଼ି ପାଇଁ ବୈଶ୍ୱିକ ନାଗରିକ ବନାଇବା ତଥା ବିଶ୍ୱ କଲ୍ୟାଣର ମାର୍ଗ ପରିଷ୍କାର କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ