ଜାତୀୟ ସଂହତି ଶିବିର ଉଦ୍ଘାଟିତ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ସମାଜର ସେବା କରିବା ପ୍ରତ୍ୟେକ ବ୍ୟକ୍ତିର ମୁଖ୍ୟ କର୍ତ୍ତବ୍ୟ । ଏହାକୁ ତୃଣମୂଳସ୍ତରରୁ ଆରମ୍ଭ କରିବା ଆବଶ୍ୟକ । ଏଥିରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଯୁବବର୍ଗ ଓ ବୟସ୍କ ବ୍ୟକ୍ତିମାନେ ସାମିଲ୍ ହେବା ଉଚିତ୍ । ଖାସ୍ କରି ଛାତ୍ର ଜୀବନରୁ ଛାତ୍ରଛାତ୍ରୀମାନେ ଏକତାର ଡ଼ୋରିରେ ବାନ୍ଧି ହୋଇ ସମାଜର ସେବା କରିବାର ମୁଖ୍ୟସ୍ରୋତରେ ସାମିଲ୍ ହେବାକୁ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଥିଲେ । ସୋମବାର ଭୁବନେଶ୍ୱର ଜିଲ୍ଲା ଭାରତ ସ୍କାଉଟ୍ ଏବଂ ଗାଇଡ୍ସ୍ ପକ୍ଷରୁ ୟୁନିଟ୍-୩ସ୍ଥିତ କ୍ୟାପିଟାଲ ହାଇସ୍କୁଲ୍ ଖେଳ ପଡ଼ିଆରେ ୫ ଦିନିଆ ଜାତୀୟ ସଂହତି ଶିବିର ଉଦ୍ଘାଟିତ ହୋଇଯାଇଛି । ଏହି ଦିବସରେ ମୁଖ୍ୟ ଅତିଥି ଭାବେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାଶ ଜାତୀୟ ସଂହତି ଦିବସ ସମ୍ପର୍କରେ ବିଭିନ୍ନ ଉପାଦେୟଯୁକ୍ତ ଉଦାହରଣ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରତ୍ୟେକ ଛାତ୍ରଛାତ୍ରୀ ସମାଜର ହିତ ସାଧନ କ୍ଷେତ୍ରରେ କାର୍ଯ୍ୟକରି ଦେଶ ତଥା ରାଜ୍ୟକୁ ଗୌରବାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ଏହି ଦିବସରେ ମୁଖ୍ୟ ବକ୍ତା ଭାବେ କିସ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡଃ ହରେକ୍ରିଷ୍ଣ ଶତପଥୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗ ଦେଇ କହିଥିଲେ ଯେ, ଶିବିର ମଧ୍ୟରେ ଛାତ୍ରଛାତ୍ରୀମାନେ ଆତ୍ମନିର୍ଭରଶୀଳ ହେବା ଆବଶ୍ୟକ । ଏହା ଦ୍ୱାରା ଜଣେ ଶିକ୍ଷାର୍ଥୀ ଶୃଙ୍ଖଳିତ ନିୟମାନୁବର୍ତ୍ତିତା ଓ ସମୟାନୁବର୍ତ୍ତିତା ଶିଖିବାର ସୁଯୋଗ ପାଇଥାନ୍ତି । ଏହି ଦିବସରେ ଭୁବନେଶ୍ୱର ଜିଲ୍ଲା ଭାରତ ସ୍କାଉଟ୍ ଆଣ୍ଡ ଗାଇଡସ୍ ସଭାପତି ତଥା ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ବୃନ୍ଦାବନ ଶତପଥୀ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲା ଉପସଭାପତି ସୁନନ୍ଦା ମେକାପ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଜିଲ୍ଲା ସମ୍ପାଦିକା ତଥା କ୍ୟାପିଟାଲ ହାଇସ୍କୁଲ୍ର ପ୍ରଧାନ ଶିକ୍ଷକ ସୋନାମିକା ରାୟ ବିବରଣୀ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗାଇଡ୍ କମିଶନର କାଦମ୍ବିନୀ ଦାସ, ସ୍କାଉଟ୍ କମିଶନର ରବିନାରାୟଣ ଜେନା ଉପସ୍ଥିତ ଥିଲେ । ଏଥିରେ ପୂର୍ଣ୍ଣଚନ୍ଦ୍ର ଦତ୍ତ, ପ୍ରଦୀପ କୁମାର ପଣ୍ଡା, ସୁଶାନ୍ତ କୁମାର ସାମଲ, ଶଶିକାନ୍ତ ବେହୁରା, ଅମ୍ବିକା ଦାସ, ଦିପ୍ତିମୟୀ ବେହେରା, ରଙ୍କନିଧି ନାୟକ, ଜ୍ୟୋତ୍ସ୍ନାରାଣୀ ନନ୍ଦ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ସ୍କାଉଟ୍ କମିଶନର ରବିନାରାୟଣ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଶିବିରରେ ଯୋଗ ଦେଇଥିବା ଚାତ୍ରଛାତ୍ରୀମାନଙ୍କ ମଧ୍ୟରେ ଫୋକ୍ ଡ଼୍ୟାନ୍ସ ପ୍ରତିଯୋଗିତା କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଏହି ଶିବିରରେ ପ୍ରାୟ ୨୨ ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।