ଜାତୀୟ ସଂହତି ଶିବିର ଉଦ୍ଯାପିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂସ୍ଥା ଆନୁକୂଲ୍ୟରେ ଗତ ୧୨ ତାରିଖ ଠାରୁ ଆୟୋଜିତ ହୋଇଥିôବା ଜାତୀୟ ସଂହତି ଶିବିର ଆନନ୍ଦ ଉଲ୍ଲାସ ମଧ୍ୟରେ ଉଦ୍ଯାପିତ ହୋଇଯାଇଅଛି । ପ୍ରତିଦିନ ପରି ରବିବାର ପ୍ରଭାତରୁ ସ୍କାଉଟ ଓ ଗାଇଡ୍ମାନେ ନିଜ ନିଜର ନିତ୍ୟକର୍ମ ସାରି ସ୍ୱଚ୍ଛତା ଅଭିଯାନ ଅନୁଯାୟୀ ସମଗ୍ର ଶିବିର ସ୍ଥଳରେ ସଫେଇ କାର୍ଯ୍ୟ ସମ୍ପାଦନ କରିଥିଲେ । ପାରମ୍ପରିକ ପତାକା ଉତ୍ସବ ପରେ ଆରମ୍ଭ ହୋଇଥିଲା ଶାରିରୀକ କଳା ପ୍ରଦର୍ଶନର ପ୍ରତିଯୋଗିତା । ସଂଗୀତର ତାଳେ ତାଳେ ସ୍କାଉଟ ଓ ଗାଇଡ୍ମାନେ ରଙ୍ଗାରଙ୍ଗ ପୋଷାକ ପରିଧାନ କରି ନିଜ ନିଜର ଶାରିରୀକ କଳା ପ୍ରଦର୍ଶନ କରିଥିଲେ ।

ପରେ ପରେ ଦଳଗତ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ କରି ନିଜର ପ୍ରତିଭା ପରିପ୍ରକାଶ କରିଥିଲେ । ତା’ପରେ ଆଉ ଏକ ପ୍ରତିଯୋଗିତା “ଫେସମାସ୍କ” ବିଭିନ୍ନ ଜନନାୟକ ଓ ଦେବାଦେବୀମାନଙ୍କର ଅନୁରୂପ ଚିତ୍ରକୁ ରଙ୍ଗ ଓ ତୁଳୀ ମାଧ୍ୟମରେ ନିଜ ନିଜର ମୁଖମଣ୍ଡଳକୁ ଚିତ୍ରିତ କରିଥିଲେ । ସ୍କାଉଟ ଓ ଗାଇଡ୍ମାନେ ଖୁବ୍ ଆନନ୍ଦ ନେଇଥିଲେ । ମଧ୍ୟାହ୍ନ ଭୋଜନ ପରେ ଜିଲ୍ଲାର ସଂସ୍କୃତି, ଐତିହାସିକ ପଟ୍ଟଚିତ୍ର ତଥା ପୋଷାକ ପରିଛଦ ଆଦିକୁ ନେଇ ଆରମ୍ଭ ହୋଇଥିଲା ଆଉ ଏକ ପ୍ରତିଯୋଗିତା ଯାହାକି ଜିଲ୍ଲାର ବାସ୍ତବ ଚିତ୍ରକୁ ନେଇ ଆଧାରିତ । ଯାହାକି ଜାତୀୟ ସଂହତି ଶିବିରର ଉଦ୍ଦେଶ୍ୟ ।

ଏହି ପ୍ରତିଯୋଗିତାରେ ପ୍ରତ୍ୟେକ ଶିବିରାର୍ଥୀ ପ୍ରତ୍ୟେକ ଜିଲ୍ଲା ବିଷୟରେ ଅବଗତ ହେବା ପାଇଁ ଏକ ସୁଯୋଗ ଲାଭ କରିଥିଲେ । ଉଦ୍ଯାପନୀ ଉତ୍ସବର ଅବ୍ୟବହିତ ପୂର୍ବରୁ ଶେଷ ଆକର୍ଷଣୀୟ ପ୍ରତିଯୋଗିତା ଥିଲା । ସାଂସ୍କୃତିକ ମୁକାଭିନୟ । ପ୍ରତ୍ୟେକ ଜିଲ୍ଲାର ମୁଖ୍ୟ ପର୍ବ ପର୍ବାଣୀ ବା ଯାତ୍ରା ଆଦିକୁ କୁଶଳତାର ସହ ପ୍ରଦର୍ଶିତ କରିଥିଲେ ସ୍କାଉଟ ଓ ଗାଇଡ୍ମାନେ । ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳିପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉପସଚିବ ଶ୍ରୀଯୁକ୍ତ ଅଶୋକ କୁମାର ରଥ ସମ୍ମାନୀତ ଅତିଥିଭାବେ ଉପସ୍ଥିତ ଥିଲେ । ପାରମ୍ପରିକ କଲର ପାର୍ଟି ଦ୍ୱାରା ସ୍କାଉଟ ଓ ଗାଇଡ୍ମାନେ ଅତିଥିମାନଙ୍କୁ ମଞ୍ଚ ଉପରକୁ ପାଛୋଟି ନେଇ ପୁଷ୍ପଗୁଛ ମାଧ୍ୟମରେ ସ୍ୱାଗତ କରାଯାଇଥିଲା ।

ପ୍ରାରମ୍ଭରେ ରାଜ୍ୟ ମୁଖ୍ୟ କମିଶନର ଡଃ ମିଶ୍ରଙ୍କ ସ୍ୱାଗତ ଭାଷଣରେ ଶିବିରର ଉଦ୍ଦେଶ୍ୟ ଏବଂ ଉପାଦେୟତା ତଥା ସ୍କାଉଟ ଓ ଗାଇଡ୍ ସଂଗଠନ ଦ୍ୱାରା କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଅତିଥିମାନଙ୍କୁ ଅବଗତ କରାଇଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ରଥ ସଂହତି ଶିବିରର ଆୟୋଜନ ଯାହାକି ସ୍କାଉଟ ଓ ଗାଇଡ୍ ମାନଙ୍କ ପାଇଁ ଏକ ପ୍ରେରଣା ଦାୟକ ଏବଂ ସମ୍ପର୍କର ସେତୁ ନିର୍ମାଣ କରିବାରେ ସହାୟକ, ସେଭଳି ଆୟୋଜନ କରିବା ପରେ ସଂଗଠନର ଭୂମିକାକୁ ଉଚ୍ଚପ୍ରଶଂସା କରିବା ସହିତ ଶିବିରର ସଫଳତା କାମନା କରିଥିଲେ । ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ମାକ୍ ମକି ମଧ୍ୟ ଅନୁରୂପ ମତ ବ୍ୟକ୍ତି କରି ସଂଗଠନର ଉଦ୍ୟମକୁ ସାଧୁବାଦ ଜଣାଇଥିଲେ । ସ୍କାଉଟ ଓ ଗାଇଡ୍ମାନେ ଚିତାକର୍ଷଣ ନୃତ୍ୟ ଅତିଥିମାନଙ୍କ ସମ୍ମୁଖରେ ପରିବେଶଣ କରିଥିଲେ । ଶେଷରେ ବିଭିନ୍ନ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ଜିଲ୍ଲା ଓ ସ୍କାଉଟ ଗାଇଡ୍ମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା ।


