ଜାତୀୟ ସମୂହ ରେକର୍ଡ ସୃଷ୍ଟି କରିବା ପାଇଁ ଏକାଡେମୀକ୍ ଇଣ୍ଟର ନ୍ୟାସନାଲ୍ ସ୍କୁଲର ପ୍ରୟାସ
ବନ୍ତ, (ଚାନ୍ଦିନୀ ମହାନ୍ତି):ଜାତୀୟ ସ୍ତରରେ ସମୂହ ରେକର୍ଡ ସୃଷ୍ଟି କରିବା ଲକ୍ଷ୍ୟରେ ଆଜି ବନ୍ତ ବ୍ଲକ ଗଣିଜାଙ୍ଗସ୍ଥିତ ଏକାଡେମୀକ୍ ଇଣ୍ଟର ନ୍ୟାସନାଲ୍ ସ୍କୁଲ ପରିସରରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୪ ଶହ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ଦେଶ ବିଦେଶ ସଂପର୍କୀତ ୨ ଶହ ପ୍ରଶ୍ନ ପଚରାଯାଇଥିଲା । ରଚୟିତା, ଉଦ୍ଭାବକ ତଥା ମନସ୍ତତ୍ତ୍ୱଜ୍ଞ ଡକ୍ଟର ଅଟଳ ବିହାରୀ ମଲ୍ଲିକ ସମସ୍ତ ପ୍ରଶ୍ନ ଗୁଡିକୁ ପଚାରିଥିବା ବେଳେ ଶ୍ରୀକାନ୍ତ ପଣ୍ଡା ସହଯୋଗ କରିଥିଲେ । ୧୨୦ ମିନିଟ୍ ମଧ୍ୟରେ ୨୦୦ ପ୍ରଶ୍ନର ଉତ୍ତରକୁ ଛାତ୍ରଛାତ୍ରୀ ମାନେ କ୍ଷଣିକ ସମୟ ମଧ୍ୟରେ ଦେଇଥିଲେ । ଜାତୀୟ ସ୍ତରରେ ଓଡିଶାରୁ ପ୍ରଥମ ଥର ଓ ପ୍ରଥମ ସ୍କୁଲ ଭାବେ ସମୂହ ରେକର୍ଡ କରିବା ସହିତ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇବା ପାଇଁ ଏହି ବିଦ୍ୟାଳୟ ଏଭଳି ପ୍ରୟାସ କରିଥିବା ଜଣାଯାଇଛି । କାର୍ଯ୍ୟକ୍ରମରେ ପରିଚାଳନା ନିର୍ଦ୍ଦେଶକ ଦୈତାରୀ ଚରଣ ପତି, ଅଧ୍ୟକ୍ଷ ବସନ୍ତ କୁମାର ସାମଲ ଉପସ୍ଥିତ ଥିଲେ । କାର୍ଯକ୍ରମ ପରିଚାଳନାରେ ମାନସ କୁମାର ଜେନା, ସୁନୀଲ ସାହୁ, ଦୀଲିପ ନାୟକ, ରମାକାନ୍ତ ତ୍ରିପାଠୀ, ହିମାଂଶୁ ପ୍ରଧାନ, ନରେନ୍ଦ୍ର ବେହେରା, ସଲିମ୍ ଅଲ୍ଲୀ, ନାରାୟଣ ତ୍ରିପାଠୀ, ଅମିତା ବେହେରା, ପ୍ରସନ୍ନ ବିଶ୍ୱାଳ, ହୋଲି ପଣ୍ଡା, ସୁଚିସ୍ମିତା ମହାନ୍ତି, ଏଲ. ପ୍ରଜ୍ଞା ପରମିତା, ସିପ୍ରା ସାହୁ, ଶୁଭଲକ୍ଷ୍ମୀ ଦାସ, ତପସ୍ୱିନୀ ପାତ୍ର, ବିନିତା ତ୍ରିପାଠୀ ସହଯୋଗ କରିଥିଲେ । ଉକ୍ତ ବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏଭଳି ପ୍ରୟାସକୁ ଅଭିଭାବକ ଓ ସାଧାରଣ ମହଲରେ ପ୍ରଶଂସା କରାଯାଇଛି ।