ଜାତୀୟ ସଡ଼କ ସୁରକ୍ଷା ମାସ ୨୦୨୧; ଜିଲ୍ଲା ରେଡକ୍ରସ ଶାଖା ପକ୍ଷରୁ ଅନୁଷ୍ଠିତ ହେଲା ସଚେତନତା ଶୋଭାଯାତ୍ରା
ବାଲେଶ୍ୱର,(ଓ୍ବାଇଏନ୍ଏସ୍): ଜାତୀୟ ସଡ଼କ ସୁରକ୍ଷା ମାସ ୨୦୨୧ ପାଳନ ଅବସରରେ ଜିଲ୍ଲା ରେଡକ୍ରସ ଶାଖା ଓ ଆଂଚଳିକ ପରିବହନ ବିଭାଗର ମିଳିତ ଆନୁକୂଲ୍ୟରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସହରର ଫାଣ୍ଡିଛକ ଠାରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରାକୁ ଜିଲ୍ଲା ରେଡକ୍ରସ ଶାଖାର ସଭାପତି ତଥା ଜିଲ୍ଲାପାଳ ଶ୍ରୀ କେ ସୁଦର୍ଶନ ଚକ୍ରବର୍ତୀ ପତାକା ଦେଖାଇ ଉଦଘାଟନ କରିଥିଲେ । ସଡକ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ସହ ଟ୍ରାଫିକ ନିୟମ ପାଳନ କଡାକଡି ଲାଗୁ କରାଯିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲା ରେଡକ୍ରସ ଶାଖାର ଉପସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ନାୟକ, ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ରଶ୍ମିରଞ୍ଜିତ ଦଳବେହେରାଙ୍କ ସମେତ ରେଡକ୍ରସ ସୋସାଇଟିର ସଦସ୍ୟମାନେ ଏଥିରେ ଉପସ୍ଥିତ ରହି ସଡକ ସୁରକ୍ଷା ପାଇଁ ସଚେତନତାର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ସାମ୍ପ୍ରତିକ ସ୍ଥିତିରେ ଏହି ଭଳି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହିତ ବର୍ଷ ତମାମ ଟ୍ରାଫିକ ନିୟମକୁ କଡାକଡି ଭାବେ ପାଳନ କରିବା ଉଚିତ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । ସଡକ ସୁରକ୍ଷା ମାସ ୨୦୨୧ ପାଳନ ଅବସରରେ ବିଭିନ୍ନ ସଂଗଠନ ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ବେଳେ ରେଡକ୍ରସ ସୋସାଇଟିର ସ୍ୱେଚ୍ଛାସେବୀମାନେ ସ୍ୱତପ୍ରବୃତଃ ଭାବେ ଏକ ଶୋଭାଯାତ୍ରା ମାଧ୍ୟମରେ ଜନସାଧାରଣଙ୍କୁ ସଡକ ସୁରକ୍ଷା ସମ୍ପର୍କରେ ସଚେତନ କରାଇବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସେମାନେ କହିଥିଲେ । ଏହି ଶୋଭାଯାତ୍ରାରେ ରେଡକ୍ରସ ସୋସାଇଟି ଏବଂ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ/ସଦସ୍ୟାମାନେ ସାମିଲ ହୋଇ ପ୍ଲାକାର୍ଡ ହାତରେ ଧରି ସ୍ଳୋଗାନ ଦେବା ସହିତ ସହରବାସୀଙ୍କୁ ସଚେତନ କରାଇଥିଲେ । ଏହି ଶୋଭାଯାତ୍ରା ଫାଣ୍ଡି ଛକରୁ ବାହାରି ସହର ପରିକ୍ରମା ସହ ସିନେମା ଛକ ନିକଟସ୍ଥ ଶହୀଦ ପାର୍କ ଠାରେ ଶେଷ ହୋଇଥିଲା । ସେଠାରେ ଟ୍ରାଫିକ ଇନିସପେକ୍ଟର ମୋନାଲିସା କର, ସଦସ୍ୟ ଶ୍ରୀ ଗୌରାଙ୍ଗ ପାଣିଗ୍ରାହୀ, ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାନ୍ତି, ସଦସ୍ୟା ଶ୍ରୀମତୀ ଅନୀତା ମହାନ୍ତି, ଶ୍ରୀମତୀ ବିନିତା ପଣ୍ଡା ପ୍ରମୁଖ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି ଅବସରରେ ରେମୁଣା ବ୍ଲକ କାର୍ଯ୍ୟାଳୟର ଭୂତପୂର୍ବ ବରିଷ୍ଠ କର୍ମଚାରୀ ସ୍ୱର୍ଗତଃ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ସହଧର୍ମିଣୀ ଅନୁସୂୟା ଦାସ, ପୁତ୍ର ଶ୍ରୀ ସୁଧାଂଶୁ ଦାସ, ଶାଳକ ଶ୍ରୀ ଚିନ୍ତାମଣି ଦାସ ଓ ପୁତ୍ରବଧୂ ଶ୍ରୀମତୀ ସସ୍ମିତା ଦାସଙ୍କ ତରଫରୁ ଜିଲ୍ଲା ରେଡକ୍ରସ ପାଣ୍ଠିକୁ ୧ଲକ୍ଷ ଟଙ୍କା ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୦ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳ ଏଥି ନିମନ୍ତେ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ସେହିପରି ସଙ୍କଟ ସମୟରେ ସ୍ୱେଚ୍ଛାସେବୀମାନଙ୍କର ଉଲ୍ଲେଖନୀୟ ସେବା ପାଇଁ ଜିଲ୍ଲାପାଳ ସେମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ଜିଲ୍ଲା ରେଡ୍୍କ୍ରସ ଶାଖାର ଅଧ୍ୟକ୍ଷ ଶ୍ରୀ ଅନ୍ତର୍ଯ୍ୟାମୀ ପ୍ରଧାନ, ଉପାଧ୍ୟକ୍ଷା ଡା. ତୁହିନା ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ରୀ ରାଜେଶ ବେହେରା, ସବକମିଟି ଆବାହକ ଶ୍ରୀ ପ୍ରଦୀପ କୁମାର ଚାଟାର୍ଜୀ, ଶ୍ରୀ ପ୍ରଶାନ୍ତ କୁମାର ଦାସ, ଶ୍ରୀ କମଳଲୋଚନ ଦାସ, ଶ୍ରୀମତୀ ପ୍ରଶାନ୍ତି ପଣ୍ଡା, ଶ୍ରୀ ଲମ୍ବୋଦର ନାୟକ, ଶ୍ରୀ ରାଜେଶ ଗିରି, ଶ୍ରୀମତୀ ସାଗରିକା ମହାନ୍ତି, ଶ୍ରୀ ଅବନୀକାନ୍ତ ଭୂୟାଁ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତାପସ କୁମାର ସେଠୀ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ ସାହୁ, ଅବୈତନିକ ସମ୍ପାଦକ ଶ୍ରୀ ଗଣେଶ୍ୱର ରାଉତଙ୍କ ସମେତ ସୋସାଇଟିର ବହୁ କର୍ମକର୍ତା ଏଥିରେ ଅଂଶଗ୍ରହଣ ସହ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ପୁରୁଷୋତମ ସେଠୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଏଥିରେ ସହଯୋଗ କରିଥିଲେ ।