ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ ପାଇବେ ପୂର୍ବତନ ମନ୍ତ୍ରୀ ରାହାସ ବେହେରା, ଔପନ୍ୟାସିକ ବିଭୂତି ପଟ୍ଟନାୟକ ଓ ସାମ୍ବାଦିକ ବିଜୟ ଅଗ୍ରୱାଲ

ପୂର୍ବତନ ମନ୍ତ୍ରୀ ରାହାସ ବେହେରା, ଔପନ୍ୟାସିକ ବିଭୂତି ପଟ୍ଟନାୟକ ଓ ସାମ୍ବାଦିକ ବିଜୟ ଅଗ୍ରୱାଲ
ଭୁବନେଶ୍ୱର, (ୱାଇଏନ୍‌ଏସ୍‌) : ରାଜ୍ୟସ୍ତରୀୟ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟିର ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ସତ୍ୟନଗର ହୋଟେଲ ପାର୍କ ପ୍ରିମିୟମଠାରେ ପୂର୍ବତନ କୁଳପତି ତଥା କମିଟିର କାର୍ଯ୍ୟକାରୀ ସଭାପତି ଡଃ ବିମଳେନ୍ଦୁ ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।
ପୂର୍ବବର୍ଷ ମାନଙ୍କ ଭଳି ଚଳିତବର୍ଷ ପ୍ରଜ୍ଞାପୁରୁଷ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୬ଷ୍ଠ ଶ୍ରାଦ୍ଧ ଉତ୍ସବ କୋଭିଡ କଟକଣା ମଧ୍ୟରେ ପାଳନ କରିବାକୁ ନିଷ୍ପତ୍ତି ହେଲା ବୋଲି କମିଟିର କୋଷାଧ୍ୟକ୍ଷ ତଥା ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ ଘୋଷଣା କରିଥିଲେ । ଡଃ ବିମଳେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିର ସୁପାରିଶକ୍ରମେ ଚଳିତବର୍ଷ ସମାଜସେବା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ପୂର୍ବତନ ମନ୍ତ୍ରୀ ରାହାସ ବିହାରୀ ବେହେରା, ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ଔପନ୍ୟାସିକ ଡଃ ବିଭୂତି ପଟ୍ଟନାୟକ ଓ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଜୟ ଅଗ୍ରୱାଲଙ୍କୁ ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ-୨୦୨୧ ପ୍ରଦାନ କରାଯିବ ବୋଲି କମିଟିର ସାଧାରଣ ସମ୍ପାଦକ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଘୋଷଣା କରିଥିଲେ ।
ରାଜ୍ୟ ସରକାର ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତି ରକ୍ଷା ପାଇଁ କମିଟି ପକ୍ଷରୁ ଦିଆଯାଇଥିବା ୫ଗୋଟି ପ୍ରସ୍ତାବରୁ କୌଣସି ଗୋଟିଏ ହେଲେ କାର୍ଯ୍ୟକାରୀ କରାଯାଇ ନଥିବାରୁ ବୈଠକରେ ଗଭୀର କ୍ଷୋଭ ପ୍ରକାଶ ପାଇଥିଲା । ଡଃ ମହାନ୍ତିଙ୍କ ନେତୃତ୍ୱରେ ଏକ କମିଟି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ଚଳିତ ବର୍ଷର କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ବାବେ ନିମନ୍ତ୍ରଣ କରିବାକୁ ନିଷ୍ପତ୍ତି ନିଆଗଲା । ଶେଷରେ ବିବେକାନନ୍ଦ ପାତ୍ର ଧନ୍ୟବାଦ ଦେଇଥିଲେ । ଆଜିର ପ୍ରସ୍ତୁତି ବୈଠକରେ ପୂର୍ବତନ କୁଳପତି ଡଃ ହରେକୃଷ୍ଣ ଶତପଥୀ, ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ, ଡ଼ଃ ସୌରେନ୍ଦ୍ର ମହାପାତ୍ର, ଡଃ ବୁଦ୍ଧଦେବ ମିଶ୍ର, ରସିକଚାନ୍ଦ ପଟ୍ଟନାୟକ, ଦେବଜାନୀ ରାୟ, ନିବେଦିତା ଭଞ୍ଜ, ପ୍ରତାପ ଜେନା, ସନତ ଦାସ, ଶିଶିର ନାୟକ, ଆଲୋକ ମହାନ୍ତି, ମାନସ ଆଚାର୍ଯ୍ୟ, ରାଜକିଶୋର ସାହୁ, ବାସ୍ତୁବିତ୍ ମନୋଜ ଲେଙ୍କା, ବରୁଣ ରାଜ, ସୀତା ବଲ୍ଲଭ ମହାପାତ୍ର, ଦେବୀପ୍ରସାଦ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ । କମିଟିର ସଦସ୍ୟ ପୂର୍ବତନ ବାଚସ୍ପତି ଶରତ କୁମାର କର, ମତଲ୍ଲୁବ ଅଲ୍ଲୀ, ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ, ବାସୁଦେବ ପଟ୍ଟନାୟକ ଓ ଗାନ୍ଧୀ ପଟ୍ଟନାୟକଙ୍କ ବିୟୋଗରେ ପରଲୋକଗତ ଆତ୍ମାର ଶାନ୍ତି ପାଇଁ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ