ଜାନୁୟାରୀ ୨୪ରେ ଦିଲ୍ଲୀ ଯାତ୍ରା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :୧୮୧୭ ମସିହାର ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା ଦାବିରେ ଓ ଖୋର୍ଦ୍ଧାରେ ପ୍ରସ୍ତାବିତ ପାଇକ ସ୍ମୃତିସ୍ତମ୍ଭ ନିର୍ମାଣ ଜାଗାକୁ ବିନା ମୂଲ୍ୟରେ ପ୍ରଦାନ କରିବା ଦାବିରେ ଓଡ଼ିଶା ବୀର ମହାସଂଘ ପକ୍ଷରୁ ଆଜି ରାଜଧାନୀ ଭୁବନେଶ୍ୱରରେ ଏକ ବିଶାଳ ଜନଗର୍ଜନ ପାଇକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ୫୦୦୦ରୁ ଉର୍ଦ୍ଧ୍ୱ ପାଇକ ଯୋଗଦେଇ ରଣବାଦ୍ୟର ତାଳେ ତାଳେ ପାରମ୍ପରିକ ପାଇକ ବେଶପୋଷାକ ପିନ୍ଧି, ଗଦା, ମୁଦ୍‌ଗର, ଖଣ୍ଡା, ବନାଟି ଆଦି ଚାଳନା କରିବା ସହ ପାଇକ ବୋଲି ଗାନ କରି ଦାବି ପୂରଣ ପାଇଁ ବିରାଟ ଶୋଭାଯାତ୍ରାରେ ମାଷ୍ଟର କ୍ୟାଣ୍ଟିନ ଛକରୁ ବାହାରି ରାମ ମନ୍ଦିର ଦେଇ ଏକାମ୍ରହାଟ ସମ୍ମୁଖ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ଓଡ଼ିଶା ବୀର ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ମହାସଂଘର ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ଡ. ଦିଲ୍ଲୀପ ଶ୍ରୀଚନ୍ଦନ ବକ୍ତବ୍ୟ ପ୍ରଦାନ କରି କହିଥିଲେ ଯେ, ଓଡ଼ିଆଜାତିର ଗର୍ବିତ ସାମରିକ ପରମ୍ପରା ଉପରେ କୁଠାରଘାତ ହୋଇଥିବାରୁ ଏହା ସମଗ୍ର ଓଡ଼ିଶାର ଜନସାଧାରଣଙ୍କ ମନରେ ଆଘାତ ସୃଷ୍ଟି ହୋଇଛି । ତେଣୁ ଆସନ୍ତା ଜାନୁୟାରୀ ମାସ ୨୩ ତାରିଖ ସୁଦ୍ଧା ଯଦି ଆମର ଦାବି ପୂରଣ ନହୁଏ, ତେବେ ୨୪ ତାରିଖ ଦିନ ପାଇକ ବିଦ୍ରୋହର କର୍ଣ୍ଣଧାର ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସରେ ମହାସଂଘ ତରଫରୁ ଦିଲ୍ଲୀ ଯାତ୍ରା କରିବୁ । ଦିଲ୍ଲୀର ଲାଲ୍ଲକିଲାରେ ପାଇମାନଙ୍କ ସମାବେଶ ଅନୁଷ୍ଠିତ ହେବା ସହ ଏକ ପ୍ରତିବାଦ ସଭା ଆୟୋଜନ କରାଯିବ । ସେହି ପ୍ରତିବାଦ ସଭାକୁ ବିଜେପି, ବିଜେଡ଼ି ଓ କଂଗ୍ରେସର ଦଳର ସାଂସଦମାନଙ୍କୁ ଯୋଗଦାନ କରିବା ପାଇଁ ନିମନ୍ତ୍ରଣ କରାଯିବ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ଓଡ଼ିଶାର ପ୍ରତିନିଧିତ୍ୱ କରୁଥିବା ଅନ୍ୟ କେନ୍ଦ୍ରମନ୍ତ୍ରୀଦ୍ୱୟଙ୍କୁ ଯୋଗଦାନ ପାଇଁ ନିମନ୍ତ୍ରଣ କରାଯିବ ଏବଂ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସଂସ୍କୃତିମନ୍ତ୍ରୀଙ୍କୁ ଆମର ଦାବି ପୂରଣ ପାଇଁ ସ୍ମାରକପତ୍ର ପ୍ରଦାନ କରାଯିବ । ଯଦି ଏହା ସତ୍ତ୍ୱେ ଆମର ଦାବି ପୂରଣ ନହୁଏ, ତେବେ ପ୍ରୟୋଜନ ହେଲେ ପାର୍ଲାମେଣ୍ଟ ଘେରାଉ କରାଯିବ ବୋଲି ଡ. ଶ୍ରୀଚନ୍ଦନ ଚେତାବନୀ ଦେଇଛନ୍ତି । ଏହି ସଭାରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ବକ୍ତବ୍ୟ ପ୍ରଦାନ କରି କହିଲେ ଯେ, ଦଳମତ ନିର୍ବିଶେଷରେ ଓଡ଼ିଆଜାତିର ସ୍ୱାଭିମାନ ସୁରକ୍ଷା ପାଇଁ ଆମେ ସମସ୍ତେ ଓଡ଼ିଆଭାବରେ ଏଥିରେ ସାମିଲ ହେବା ନିତାନ୍ତ ଆବଶ୍ୟକ । ତେଣୁ ପ୍ରତ୍ୟେକ ଦଳର ପ୍ରତିନିଧିମାନେ ଯୋଗଦାନ କରିବାକୁ ସେ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ନରେନ୍ଦ୍ର ପୃଷ୍ଟି, ସଂଯୋଜକ ଗଣେଶ ଚନ୍ଦ୍ର ସାମନ୍ତ, ଐତିହାସିକ ରବୀନ୍ଦ୍ର ପରିଡ଼ା, ଗବେଷକ ଗୋପାଳକୃଷ୍ଣ ଦାସ, ପାଇକଗୁରୁ ହାପି କୁମାର, ରଞ୍ଜନ କୁମାର, ଭାସ୍କର ସୁନ୍ଦରାୟ, ଅବନୀ ଜେନା, ମାନସ ଶ୍ରୀଚନ୍ଦନ, ସନ୍ତୋଷ ଶ୍ରୀଚନ୍ଦନ ପ୍ରମୁଖ ବହୁ ସଂଗଠକ, ସମାଜସେବୀ, ସାହିତ୍ୟିକ, ବୁଦ୍ଧିଜୀବୀ ଓ ରାଜନେତାମାନେ ଯୋଗଦେଇ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ନିଜର ମତାମତ ପ୍ରଦାନ କରିଥିଲେ । ଏହି ଶୋଭାଯାତ୍ରା ଖୋର୍ଦ୍ଧାର ମା’ ବରୁଣେଇ ପୀଠରୁ ବାହାରି ଗଡ଼ଖୋର୍ଦ୍ଧାରେ ସମାବେଶ, ଶୋଭାଯାତ୍ରା ଓ ପ୍ରତିବାଦ ସଭା କରିବା ପରେ ପଞ୍ଚପାଇକ ବୀରଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରି ଖୋର୍ଦ୍ଧା ସହର ପରିକ୍ରମା କରିବା ପରେ ଭୁବନେଶ୍ୱରରେ ପହଂଚି ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ