ଜାନୁୟାରୀ ୩୦ରେ ଗଣସତ୍ୟାଗ୍ରହ ପାଇଁ କୃଷକ ଆନ୍ଦୋଳନର ଆହ୍ୱାନ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍): ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଜାନୁୟାରୀ ୩୦ ଜାରିଖ ମହାତ୍ମା ଗାନ୍ଧୀଙ୍କ ସହିଦ ଦିବସରେ ସାରା ଦେଶରେ ଗଣ ଅନଶନ/ଗଣ ସତ୍ୟାଗ୍ରହ/ଗଣଧାରଣା ସଂଗଠିତ କରିବା ପାଇଁ ଘୋଷଣା କରାଯାଇଛି । ଓଡ଼ିଶାରେ ଏହାକୁ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ତରଫରୁ ରାଜ୍ୟ ରାଜଧାନୀ ଠାରୁ ଜିଲ୍ଲା ହେଡ଼କ୍ୱାର୍ଟର, ମୁଖ୍ୟ ସହର, ବ୍ଲକ ଏବଂ ପଞ୍ଚାୟତସ୍ତରରେ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି କରାଯାଇଛି । ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ତରଫରୁ କୁହାଯାଇଛି ଯେ, କୃଷକମାନଙ୍କର ମିିଳିତ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ବଦନାମ କରିବା ପାଇଁ ମୋଦି ସରକାର ‘କେନ୍ଦ୍ର ପ୍ରଶାସନ, ଦିଲ୍ଲୀ ପୋଲିସ, କର୍ପୋରେଟ ଗଣମାଧ୍ୟମ’ ଇତ୍ୟାଦିଙ୍କୁ କାମରେ ଲଗାଇଛନ୍ତି । ଜାନୁୟାରୀ ୨୬ ତାରିଖର କୃଷକମାନଙ୍କର ଦିଲ୍ଲୀ ସମେତ ସାରା ଦେଶରେ କିଷାନ ପ୍ୟାରେଡ଼ କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଥିଲା । ମାତ୍ର ଦିଲ୍ଲୀରେ କିଛି ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ଘଟଣା ଘଟିଛି । ଏହାକୁ ଆୟୁଧ କରି ସମଗ୍ର ଆନ୍ଦୋଳନକୁ ବଦନାମ କରିବାର ସରକାରୀ ପ୍ରାୟୋଜିତ ଅଭିଯୋଗକୁ କୃଷକ ସଂଘର୍ଷ ସମନ୍ୱୟ ସମିତି ପ୍ରତ୍ୟାଖାନ କରୁଛି । ପୂର୍ବରୁ ଏକ ନିର୍ଦ୍ଦିଷ୍ଟ କୃଷକ ସଂଗଠନ ଏହିଭଳି କିଛି ଘଟଣା କରିବା ପାଇଁ ଖୋଲାଖୋଲି ଆହ୍ୱାନ ଦେଇଥିଲେ ମଧ୍ୟ, ଏହାକୁ ଦୃଷ୍ଟିରେ ରଖି ଆସନ୍ନ ଅଘଟଣକୁ ଏଡ଼ାଇବା ପାଇଁ ଦିଲ୍ଲୀ ପୋଲିସ୍ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ନକରିବା ପୋଲିସ୍ର ବିଫଳତାକୁ ହିଁ ପ୍ରତିଫଳିତ କରିଛି । ଦୀପ୍ ସିଦ୍ଧୁ ଏବଂ ଏସ୍. ସତନାମ ସିଂ ପାନୁ ନେତୃତ୍ୱାଧୀନ କିଷାନ ମଜଦୁର ସଂଘର୍ଷ କମିଟି ଦ୍ୱାରା ହିଂସାତ୍ମକ ଘଟଣା ଘଟାଇବା ଘୋର ନିନ୍ଦନୀୟ । ଏହି ଘଟଣା ପାଇଁ ଦାୟୀ ଅଭିଯୁକ୍ତମାନଙ୍କ ବିରୋଧରେ ଦୃୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଏହା ସହିତ କିଷାନ ସଂଘର୍ଷ ସମନ୍ୱୟ ସମିତି କୃଷକ ଆନ୍ଦୋଳନ ତୁଙ୍ଗ ନେତାମାନଙ୍କ ବିରୋଧରେ ହୋଇଥିବା ଏତଲାକୁ ପ୍ରତ୍ୟାହାର କରିବା ସହିତ ଗିରଫ ହୋଇଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କୁ ଖଲାସ କରିବା ପାଇଁ ଦାବି କରିଛି । ହିଂସାତ୍ମକ ଘଟଣା ସହିତ ସଂଯୁକ୍ତ କିଷାନ ମୋର୍ଚ୍ଚାର କୌଣସି ସମ୍ପର୍କ ନାହିଁ । ଜାନୁୟାରୀ ୩୦ରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ମହାତ୍ମାଗାନ୍ଧୀ ମାର୍ଗଠାରେ କୃଷକମାନଙ୍କର ଗଣସତ୍ୟାଗ୍ରହ ଓ ଧାରଣା କାର୍ଯ୍ୟକ୍ରମ ସଂଗଠିତ କରାଯିବ । ଅନୁରୂପ ଭାବେ ସାରା ରାଜ୍ୟରେ ଏହାକୁ ସଂଗଠିତ କରିବା ପାଇଁ ଆହ୍ୱାନ ଦିଆଯାଇଛି । ମିଳିତ କୃଷକ ଆନ୍ଦୋଳନ ଦୃଢ ଭାବେ ବିଶ୍ୱାସ କରେ ଯେ, ଆମ ଦେଶବାସୀ ଏହି ଷଡ଼ଯନ୍ତ୍ରକୁ କ୍ରମଶଃ ବୁଝିବେ ଏବଂ କୃଷକ ଆନ୍ଦୋଳନ ନିରନ୍ତର ଭାବେ ଅସତ୍ୟ, ମିଥ୍ୟା ଓ ଅପପ୍ରଚାର ବିରୁଦ୍ଧରେ ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ଆନ୍ଦୋଳନ ଜାରି ରଖିବ । ଦେଶର ଅନ୍ନଦାତାଙ୍କ ଏହି ସଙ୍କଟ ଏବଂ ସଂଘର୍ଷ ପାଇଁ ସମସ୍ତ ସାହାଯ୍ୟ ଓ ସମର୍ଥନ ଜଣାଇବା ସହିତ କୃଷକ ବିରୋଧୀ କୃଷି ଆଇନ ରଦ୍ଦ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି । ଓଡ଼ିଶା କୃଷକ ସଭାର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ଅଖିଳ ଭାରତ କୃଷକ ସଭାର ରାଜ୍ୟ ସମ୍ପାଦକ କ୍ଷୀରୋଦ ସିଂଦେଓ, ଅଖିଳ ଭାରତ କୃଷକ ମହାସଭା ରାଜ୍ୟ ସମ୍ପାଦକ ଅଶୋକ ପ୍ରଧାନ, ମହେନ୍ଦ୍ର ପରିଡ଼ା, ଅଖିଳ ଭାରତ ଅଗ୍ରଗାମୀ କୃଷକ ସଭାର ରାଜ୍ୟ ଉପଦେଷ୍ଟା ଜ୍ୟୋତି ରଞ୍ଜନ ମହାପାତ୍ର, ଅଖିଳ ଭାରତ କିଷାନ ମଜଦୁର ସଭାର ଜାତୀୟ ସମ୍ପାଦକ ଭାଲ ଚନ୍ଦ୍ର ଷଡ଼ଙ୍ଗୀ, ଏନ୍ଏପିଏମ୍ର ରାଜ୍ୟ ଆବାହକ ପ୍ରଫୁଲ୍ଲ ସାମନ୍ତରା, ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ ଶଙ୍କର ସାହୁ, ଇନ୍ସାଫର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି, ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତିର ରାଜ୍ୟ ଆବାହକ ଲିଙ୍ଗରାଜ, ଏଆଇକେକେଏମ୍ଏସ୍ର ରାଜ୍ୟ ସମ୍ପାଦକ ରଘୁନାଥ ଦାସ, ଅଖିଳ ଭାରତ କ୍ଷେତ ମଜଦୁର କିଷାନ ସଭାର ରାଜ୍ୟ ଆବାହକ ଶ୍ରୀକାନ୍ତ ମହାନ୍ତି, ବିଶିଷ୍ଟ ସାମାଜିକ କର୍ମୀ ଦେବପ୍ରସାଦ ରାୟ, ରାଷ୍ଟ୍ରୀୟ କିଷାନ ମଜଦୁର ସଂଘର ରାଜ୍ୟ ଆବାହକ ସଚିନ ମହାପାତ୍ର, ରୁଷିକୁଲ୍ୟା ରୟତ ମହାସଂଘର ରାଜ୍ୟ ସମ୍ପାଦକ ସୀମାଞ୍ଚଳ ନାହାକ, ଚାଷୀ ଅଧିକାର ସଂଗ୍ରାମ ମଞ୍ଚର ବିଜୟ ସ୍ୱାଇଁ, ଚାଷୀ ମୂଲିଆ ସୁରକ୍ଷା ସଂଗ୍ରାମ ପରିଷଦର ବଳଭଦ୍ର ମାଝୀ ଏବଂ ଗୋପବନ୍ଧୁ କୃଷକ ସଂଘର ବିରଞ୍ôଚ ବରିହା ପ୍ରମୁଖ ଏକ ମିିଳିତ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି ।