ଜାମ୍ମୁ-କାଶ୍ମିର ଓ ଲଦାଖର ବିକାଶ ପାଇଁ ସରକାର ପ୍ରତିବଦ୍ଧ – ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ): ଜାମ୍ମୁ-କାଶ୍ମିର ଓ ଲଦାଖର ବିକାଶ ପାଇଁ ମୋଦି ସରକାର ପ୍ରତିବଦ୍ଧ ବୋଲି ଗୁରୁବାର ଜାମ୍ମୁ କାଶ୍ମିରରୁ ଧାରା ୩୭୦ ଓ ୩୫(କ) ଉଚ୍ଛେଦ ହେବା ପରିପ୍ରେକ୍ଷୀରେ ରାଜସ୍ଥାନର ଭରତପୁର ଠାରେ ଆୟୋଜିତ ବିଜେପିର ଜନଜାଗରଣ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଅନୁଚ୍ଛେଦ ୩୭୦ ଓ ୩୫ (କ) ଦେଶ ବିରୋଧୀ , ଏହା ଜାମ୍ମୁ କାଶ୍ମୀରରେ ରହୁଥିବା ମହିଳା, ଯୁବବର୍ଗଙ୍କ ବିରୋଧୀ ଥିଲା । ପାକିସ୍ତାନର ସମୃଦ୍ଧି ପାଇଁ ଧାରା ୩୭୦କୁ ବ୍ୟବହାର କରାଯାଉଥିଲା । ଜାମ୍ମୁ କାଶ୍ମୀରରେ ୩୭୦ ଧାରା ଲାଗୁ କାରଣରୁ ଯୁବକଙ୍କୁ ରୋଜଗାର ମିଳୁନଥିଲା । ବାହାର ରାଜ୍ୟର ଲୋକମାନେ ସେଠାରେ ଜାଗା କିଣିପାରୁନଥିଲେ । କେନ୍ଦ୍ର ସରକାରଙ୍କ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ସେଠାରେ ହୋଇପାରୁନଥିଲା । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଧାରା ୩୭୦ ଅସ୍ଥାୟୀ ଥିଲା । ଦୀର୍ଘ ୭୦ ବର୍ଷ ଶାସନରେ ରହିବା ପରେ ମଧ୍ୟ କଂଗ୍ରେସ ଜାମ୍ମୁ କାଶ୍ମୀରରୁ ଏହି ଧାରାକୁ ଉଚ୍ଛେଦ କରିପାରି ନଥିଲା । ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଦୃଢ ରାଜନୈତିକ ଇଚ୍ଛାଶକ୍ତି କାରଣରୁ ୩୭୦ ଧାରା ଓ ୩୫(କ) ଉଚ୍ଛେଦ ହୋଇପାରିଛି । ଜାମ୍ମୁ କାଶ୍ମିରରୁ ଧାରା ୩୭୦ ଓ ୩୫(କ) ଉଚ୍ଛେଦ ମୋଦି ସରକାରଙ୍କ ଐତିହାସିକ ନିର୍ଣ୍ଣୟ ବୋଲି ସେ କହିଛନ୍ତି । ଏବେ ସେଠାରେ କେନ୍ଦ୍ର ସରକାର ବିକାଶ ପାଇଁ ପ୍ରତିବଦ୍ଧ । ନାଫେଡ୍ ଜରିଆରେ କାଶ୍ମିରର ସେଓ କିଣିବା ପାଇଁ ସରକାର ନିର୍ଣ୍ଣୟ ନେଇଛନ୍ତି । ଯାହାର ପଇସା ଡିବିଟି ମାଧ୍ୟମରେ ସିଧାସଳଖ ଚାଷୀଙ୍କ ଆକାଉଂଟକୁ ଯିବ ।