ଜାଲ ଆଧାର କାର୍ଡ଼ ପ୍ରସ୍ତୁତକାରୀ ରାକେଟ ଠାବ
ବାଲେଶ୍ୱର, (ସରୋଜ ପଣ୍ଡା):ସଂଶୋଧନ ଆଳରେ ଜାଲ ଆଧାରକାର୍ଡ଼ ତିଆରି କରି ସାଧାରଣ ଲୋକଙ୍କଠାରୁ ହଜାର ହଜାର ଟଙ୍କା ଆଦାୟ କରୁଥିବା ରାକେଟର ଦୁଇ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ସହଦେବଖୁଣ୍ଟା ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଟାଉନ ଥାନା ଅନ୍ତର୍ଗତ କାଦ୍ରି ମହଲରୁ ଜଣେ ୨୩ ବର୍ଷର ଯୁବକ, ସୁନହଟ ରାଜଉଲା ଲେନର ୨୦ ବର୍ଷିୟା ମହିଳା ଓ ଆକତପୁର ଅଞ୍ଚଳର ଜଣେ ୨୫ ବର୍ଷିୟା ମହିଳା ଅଛନ୍ତି । ସେମାନଙ୍କଠାରୁ ୨ଟା ଲପଟପ, ଏକ ପ୍ରିଣ୍ଟର, ଗୋଟିଏ ବାୟୋମେଟ୍ରିକ ଫିଙ୍ଗର ପ୍ରିଣ୍ଟ ମେସିନ, ଗୋଟିଏ ଲାମିନେସନ ମେସିନ, ୨ଟା କ୍ୟୁଆର ବାର କୋଡ, ୩ ଗୋଟି ଆଧାର କାର୍ଡ଼ ଓ ଆଧାର ଫର୍ମ ଆଦି ଜବତ କରାଯାଇଛି ବୋଲି ସହଦେବଖୁଣ୍ଟା ଥାନାଧିକାରୀ ଶୁଭ୍ରାଂଶୁ ଶେଖର ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁସାରେ ସ୍ଥାନୀୟ କଚେରି ବଜାରରେ ଜାଲ ଆଧାକାର୍ଡ଼ ପ୍ରସ୍ତୁତ କରି ଲୋକଙ୍କୁ ଶୋଷଣ କରାଯାଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସହଦେବଖୁଣ୍ଟା ଥାନା ପକ୍ଷରୁ ସ୍ୱତନ୍ତ୍ର ଟିମ ଦ୍ୱାରା ଅନୁସନ୍ଧାନ ଜାରି ରହିଥିଲା । ସାଦା ପୋଷାକରେ ସାଧାରଣ ଲୋକ ଭାବେ ପୁଲିସ କଚେରି ବଜାରର ସମ୍ପୃକ୍ତ ଆଧାର କେନ୍ଦ୍ରକୁ ଯାଇ ବିନା ପ୍ରମାଣପତ୍ରରେ ନାମ ଓ ବୟସ ଆଦି ପରିବର୍ତ୍ତନ ପାଇଁ କଥାବାର୍ତ୍ତା ହୋଇଥିିଲେ । ଏହି କାମ ପାଇଁ ଅଭିଯୁକ୍ତମାନେ ୨ ହଜାର ଟଙ୍କା ଦାବି କରିଥିଲେ । ସେମାନଙ୍କ ଦାବି ଅନୁସାରେ ଅଭିଯୁକ୍ତଙ୍କୁ ୨ହଜାର ଟଙ୍କା ପ୍ରଦାନ କରି ସେମାନଙ୍କଠାରୁ ଜାଲି ଆଧାରକାର୍ଡ଼ ନେବା ସମୟରେ ପୁଲିସ ଆଧାର କେନ୍ଦ୍ରର ତିନିଜଣଙ୍କୁ ଗିରଫ କରିଥିଲା ।ଏନେଇ ୧୮୩/୨୦୨୩ ନଂର ମାମଲା ରୁଜୁ ସହ ସହଦେବଖୁଣ୍ଟା ପୁଲିସ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।