ଜାଲ ଜାତିଗତ ପ୍ରମାଣପତ୍ର ଦାଖଲ କରିଥିବା ଯୋଗୁଁ ଆଲିଗଣ୍ଡା ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ଆଲିଗଣ୍ଡା ସରପଞ୍ଚ ଭାବେ ଗତ ନିର୍ବାଚନରେ ନିର୍ବାଚିତ ହୋଇଥିବା ସରପଞ୍ଚଙ୍କ ପଦବୀ ଅଯୋଗ୍ୟ ଘୋଷିତ ହେବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି. ନିର୍ବାଚିତ ସରପଞ୍ଚ ବୈଜୟନ୍ତି ମଲ୍ଲିକ ଅନୁସୂଚିତ ଜନଜାତିର ପାଇଁ ସଂରକ୍ଷଣ ଥିବା ଆଲିଗଣ୍ଡାରୁ ସରପଞ୍ଚ ଭାବେ ପ୍ରତିନ୍ଦ୍ୱନ୍ଦିତା କରି ନିର୍ବାଚିତ ହୋଇଥିଲେ. ସେହି ସମୟରେ ସେ ଅନୁସୂଚିତ ଜନଜାତିର ବୋଲି ମିଥ୍ୟା ପ୍ରମାଣପତ୍ର ପ୍ରଦାନ କରିଥିବା ମୋହନା ବିଡ଼ିଓ ଓ ତହସିଲଦାରଙ୍କ କାର୍ଯ୍ୟାଳୟ ଠାରେ ଆଦିବାସୀ ଅଧିକାର ସୁରକ୍ଷା ମଞ୍ଚ ତରଫରୁ ଅଭିଯୋଗ ହୋଇଥିଲା. ଏହି ନେଇ ବିହୀତ ତଦନ୍ତ କରିବା ପରେ ନିର୍ବାଚିତ ସରପଞ୍ଚ ଅନୁସୂଚିତ ଜନଜାତି ବର୍ଗର ନୁହଁନ୍ତି ବୋଲି ସ୍ପଷ୍ଟ ହୋଇଥିଲା. ତେଣୁ ସଂପୃକ୍ତ ସରପଞ୍ଚଙ୍କ ବିରୋଧରେ ନିୟମାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୋହନା ତହସିଲଦାର କିଶୋର ଦାସ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକଶ୍ରଣ କରିଥିବା ସୂଚନା ମିଳିଛି.