ଜାହାଙ୍ଗୀରଙ୍କ ତଲୱାର

ସେତେବେଳେ ଦିଲ୍ଲୀ ସିଂହାସନରେ ଶାସନ କରୁଥିଲେ ଆକବରଙ୍କ ବଡ଼ପୁଅ ମୋଗଲ ସାମ୍ରାଜ୍ୟର ଚତୁର୍ଥ ବାଦ୍ଶାହ ନୁର-ଉଦ୍-ଦିନ୍ ସଲିମ୍, ଯିଏ “ଜାହାଙ୍ଗୀର’ ନାଁରେ ଇତିହାସ ପ୍ରସିଦ୍ଧ । ୧୬୨୧ ମସିହା, ଅପ୍ରେଲ୍ ୧୦ ତାରିଖ ଭୋର୍ ସମୟ । ସେ କାଳର ଜଳନ୍ଧର ପ୍ରଗଣା ଏକ ଛୋଟ ଗାଁର ସୀମାଠାରୁ କିଛିଦୂରରେ ଏକ ଭୟଙ୍କର ଶବ୍ଦ ଶୁଣାଗଲା । ଭୟରେ ଜଡ଼ସଡ଼ ଗାଁ ଲୋକ ଡରିମରି ପ୍ରଗଣାର ଫୌଜଦାର ମହମ୍ମଦ ସୟିଦଙ୍କୁ ଖବର ଦେଲେ । ଫୌଜଦାର ସୟିଦ ଘୋଡ଼ା ଛୁଟାଇ ଘଟଣାସ୍ଥଳକୁ ଯାଇ ଦେଖିଲେ ୧୨ ଗଜ ଜାଗାରେ ଥିବା ଗଛପତ୍ର ଜଳିପୋଡ଼ି ଛାରଖାର ହୋଇଯାଇଛି ଏବଂ ଠିକ୍ ସେଇ ଜାଗାର ମଝିରେ ସୃଷ୍ଟି ହୋଇଛି ଏକ ବିରାଟ ଗର୍ତ୍ତ ।
ସୈନ୍ୟମାନେ ସେ ସ୍ଥାନ ଖୋଳିବାକୁ ଲାଗିଲେ ଫୌଜଦାରଙ୍କ ନିର୍ଦ୍ଦେଶରେ । ଖୋଳୁ ଖୋଳୁ ତଳୁ ଗରମ ମାଟି ବାହାରିଲା ଏବଂ ଶେଷରେ ମିଳିଲା ଲାଲ୍ ଟକମକ ଏକ ବିଶାଳ ଲୌହଖଣ୍ଡ । ତାହା ଯେ ଆକାଶରୁ ଖସିଥିବା ଏକ ବଡ଼ ଉଲ୍କା ପିଣ୍ଡ, ଏ କଥା ବୁଝିବାରେ କାହାକୁ ଅସୁବିଧା ହେଲା ନାହିଁ । ଥଣ୍ଡା ହେବା ପରେ ଏକ ବଡ଼ ବ୍ୟାଗରେ ଏହି ଲୁହାଖଣ୍ଡକୁ ଭର୍ତ୍ତି କରାଗଲା ଏବଂ ସିଲମୋହର ଲଗାଇ ମୋଗଲ ସମ୍ରାଟ ଜାହାଙ୍ଗୀରଙ୍କ ପାଖକୁ ପଠାଇ ଦିଆଗଲା । ବାଦଶାହଙ୍କ ସାମ୍ନାରେ ଓଜନ କରାଗଲା । ଅଧାପୋଡ଼ା ଉଲ୍କା ପିଣ୍ଡର ଓଜନ ଥିଲା ୧୫୦ ତୋଳା । ବାଦଶାହାଙ୍କ ହୁକୁମରେ କାରଖାନାର ଓସ୍ତାଦ୍ ଦାଉଦଙ୍କୁ ଡ଼କାଗଲା ଏବଂ ସବୁ କୁସଂସ୍କାର, ଅନ୍ଧବିଶ୍ୱାସକୁ ପଛରେ ପକାଇ ସେଇ ଲୁହାରେ ଏକ ତରବାରି, ଦୁଇଟି ଛୁରି ତିଆରି କରିବାକୁ ନିର୍ଦ୍ଦେଶ ଦେଲେ ଜାହାଙ୍ଗୀର । କାମ ଆରମ୍ଭ କରାଗଲା । ମାତ୍ର ହାତୁଡ଼ି ଆଘାତରେ ଲୁହାଖଣ୍ଡ ଟୁକୁରା ଟୁକୁରା ହେବା ଦେଖି ସମ୍ରାଟ ଜାହାଙ୍ଗୀରଙ୍କୁ ଜଣାଇଲେ ଦାଉଦ୍ । ଜାହାଙ୍ଗୀର ପରାମର୍ଶ ଦେଲେ – “ଉଲ୍କା ପିଣ୍ଡକୁ ତରଳାଇ ଦିଅ । ତା’ ଦେହରେ ଅଲଗା ଲୁହା ମିଶାଇ ଅସ୍ତ୍ର ତିଆରି କାମ ଆରମ୍ଭ କର ।’ ଏହାପରେ କାରିଗର ଦାଉଦ୍ ତିନି ଭାଗ ଉଲ୍କା ପିଣ୍ଡ ସହ ଏକଭାଗ ସାଧାରଣ ଲୁହା ମିଶାଇ ଛୁରି, ତରବାରି ତିଆରି କରି ସମ୍ରାଟଙ୍କୁ ଦେଲେ । ସମ୍ରାଟ ଖୁସିହେଲେ । ଶେଷ ପର୍ଯ୍ୟନ୍ତ ସ୍ୱର୍ଗୀୟ ଉଲକାରୁ ତିଆରି ଏଇ ତରବାରିକୁ ଅଣ୍ଟାରେ ଓହଳାଇ ରଖିଥିଲେ ମୋଗଲ ବାଦଶାହା ଜାହାଙ୍ଗୀର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ