ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର ପକ୍ଷରୁ ବଡ଼ବିଲ ପେଲେଟ ପ୍ଲାଣ୍ଟ, କାଶିଆ ଓ ଟେନ୍ସା ମାଇନ୍ସରେ ଏକାଦଶତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ବଡ଼ବିଲ,(ୱାଇଏନ ଏସ):ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର (ଜେଏସପି) ପକ୍ଷରୁ ବଡବିଲ ପେଲେଟ ପ୍ଲାଣ୍ଟ, କାସିଆ ଆଇରନ ମାଇନ୍ସ ଓ ଟେନ୍ସା ମାଇନ୍ସରେ ଏକାଦଶତମ ଅନ୍ତର୍ଜାତୀୟ ଯୋଗ ଦିବସ ବଡ଼ ଉତ୍ସାହର ସହ ପାଳିତ ହୋଇଯାଇଛି। ଯୋଗାଭ୍ୟାସ ଜରିଆରେ ଉତ୍ତମ ସ୍ୱାସ୍ଥ୍ୟ, ସୁସ୍ଥତା ଓ ଅନ୍ତଃଶାନ୍ତି ପ୍ରାପ୍ତିକୁ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ଯୋଗଦିବସ ପାଳିତ ହୋଇଥିଲା। ଚଳିତ ବର୍ଷର ବୈଶ୍ୱିକ ଲକ୍ଷ୍ୟ ‘ଏକ ପୃଥିବୀ ଓ ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’ ଆଧାରରେ ଅନ୍ତର୍ଜାତୀୟ ଯୋଗ ଦିବସର ପାଳନ; ଚିରନ୍ତନ ସ୍ୱାସ୍ଥ୍ୟ, ପ୍ରକୃତି ପ୍ରେମ ଏବଂ ବ୍ୟକ୍ତିଗତ ତଥା ସାମଗ୍ରିକ ସୁସ୍ଥତା ପ୍ରତି ଜେଏସପିର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।
ଏହି ଅବସରରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ମାନ୍ୟବର କୁରୁକ୍ଷେତ୍ର ସାଂସଦ ଓ ଜେଏସପିର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଲେଖିଛନ୍ତି, “ ଯୋଗ ହେଉଛି, ଭାରତର ଅମୂଲ୍ୟ ଅବଦାନ। ଏହା ଅନୁଶାସନ, ଏହା ସମର୍ପଣ ଏବଂ ଏହା ଜୀବନର ଏକ ମାର୍ଗ। ତେଣୁ ଆମେ ସମସ୍ତେ ଯୋଗକୁ ଆମ ଜୀବନଚର୍ଯ୍ୟାରେ ସାମିଲ କରିବା ଜରୁରୀ”।
ପେଲେଟ ପ୍ଲାଣ୍ଟ, କାଶିଆ ମାଇନ୍ସ ଓ ଟେନ୍ସା ମାଇନ୍ସ କଲୋନି ପରିସରରେ ପୂର୍ବାହ୍ନ ୬ଟାରେ ଯୋଗ ଅଧିବେଶନ ଆରମ୍ଭ ହୋଇଥିଲା। କମ୍ପାନିର ଉତ୍ତମ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ତଥା ଯୋଗ ଗୁରୁଙ୍କ ମାର୍ଗଦର୍ଶନରେ ଯୋଗ ଅଧିବେଶନ ଅନୁଷ୍ଠିତ ହୋଇଥିଲା।
ବଡ଼ବିଲ ପେଲେଟ ପ୍ଲାଣ୍ଟରେ ୟୁନିଟ ହେଡ୍ ଶ୍ରୀ ପୁରୁଷୋତ୍ତମ ଏମଡିଙ୍କ ଉପସ୍ଥିତିରେ ଅନୁଷ୍ଠିତ ଯୋଗ ଅଧିବେଶନରେ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ସାମିଲ ହୋଇଥିଲେ। ବିଭିନ୍ନ ଆସନ ଓ ପ୍ରାଣାୟାମର ମୁଦ୍ରା ଦ୍ୱାରା ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରଖିବା ପାଇଁ ସମସ୍ତେ ଯୋଗାଭ୍ୟାସ କରିଥିଲେ।
କାଶିଆ ମାଇନ୍ସରେ ୟୁନିଟ ହେଡ୍ ଶ୍ରୀ ପ୍ରମୋଦ କୁମାର ପାତ୍ରଙ୍କ ନେତୃତ୍ୱରେ ଯୋଗ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ କର୍ମଚାରୀ ଓ ସେମାନଙ୍କ ପରିବାର ସକ୍ରିୟ ଅଂଶଗ୍ରହଣ କରିଥିଲେ।
ସେହିପରି ଟେନ୍ସା ମାଇନ୍ସରେ ଯୋଗ ଅଧିବେଶନ ୟୁନିଟ୍ ହେଡ୍ ଶ୍ରୀ ରଘୁରାଜ ରଘୁବଂଶୀଙ୍କ ମାର୍ଗଦର୍ଶନରେ ଆୟୋଜିତ ହୋଇଥିଲା। ନିୟମିତ ଯୋଗାଭ୍ୟାସ ଜରିଆରେ ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
କର୍ମଚାରୀଙ୍କ ଶାରୀରିକ, ମାନସିକ ସୁସ୍ଥତା ସହ ଓ ଭାବନାତ୍ମକ ସନ୍ତୁଳନ ବଜାୟ ରଖିବା ପାଇଁ ଜେଏସପି ନିରନ୍ତର ଉଦ୍ୟମ କରିଆସୁଛି। ଏହି ପରିପ୍ରେକ୍ଷୀରେ ଯୋଗାଭ୍ୟାସକୁ ସୁସ୍ଥତାର ଏକ ଶକ୍ତିଶାଳୀ ମାଧ୍ୟମ ରୂପେ ଜେଏସପିର ଗୁରୁତ୍ୱ ‘ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ଚିନ୍ତନ’କୁ ମଧ୍ୟ ସ୍ୱୀକୃତି ପ୍ରଦାନ କରୁଛି।