ଜିରକପୁରରେ ସାଇ ଆଞ୍ଚଳିକ କେନ୍ଦ୍ରର ଉଦଘାଟନ କଲେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରେନ ରିଜିଜୁ
ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ କିରେନ ରିଜିଜୁ ଆଜି ପଞ୍ଜାବର ଜିରକପୁରରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ନୂତନ ଆଞ୍ଚଳିକ କେନ୍ଦ୍ର ଉଦଘାଟନ କରିଛନ୍ତି, ଯାହା ବର୍ତ୍ତମାନ ଉତ୍ତର ଭାରତ ପାଇଁ ଏକ ପ୍ରମୁଖ ସାଇ କେନ୍ଦ୍ର ଭାବରେ କାର୍ଯ୍ୟ କରିବ । କାର୍ଯ୍ୟକ୍ରମ ଅବସରରେ ନୂତନ କେନ୍ଦ୍ରର ପ୍ରଶିକ୍ଷକ ଏବଂ ପ୍ରଶିକ୍ଷଣ ନେଉଥିବା କ୍ରୀଡାବିତମାନଙ୍କୁ ଅଭିନନ୍ଦନ ଜଣାଇବା ସହ ମନ୍ତ୍ରୀ ଶ୍ରୀ ରିଜିଜୁ କହିଛନ୍ତି ଯେ, ଥରେ କୋଭିଡ-୧୯ ସ୍ଥିତି ସୁଧୁରିବା ପରେ ସେ ବ୍ୟକ୍ତିଗତ ଭାବରେ ଏହି କେନ୍ଦ୍ର ପରିଦର୍ଶନ କରିବେ । “ଭାରତର ଉତ୍ତରାଞ୍ଚଳ ଜମ୍ମୁ କଶ୍ମୀର ଏବଂ ଲେହ ଠାରୁ ହିମାଚଳ ପ୍ରଦେଶ ପର୍ଯ୍ୟନ୍ତ ଏକ ବିଶାଳ ଅଞ୍ଚଳକୁ ଆଚ୍ଛାଦିତ କରିଛି ଏବଂ ଭାରତରେ ବିଶ୍ୱସ୍ତରୀୟ କ୍ରୀଡା ସୁବିଧା ନିର୍ମାଣ ଲକ୍ଷ୍ୟରେ ଆମେ ଏହି ଅଞ୍ଚଳରେ ଅନେକ ଭିତ୍ତିଭୂମି ବିକଶିତ କରୁଛୁ । ବିଶେଷକରି ଆମର ଯୁବ କ୍ରୀଡାବିତମାନଙ୍କୁ ଧ୍ୟାନରେ ରଖି ଏହା କରାଯାଉଛି, ଯେଉଁମାନେ ଏହି ଦେଶର ଭବିଷ୍ୟତ ଅଟନ୍ତି ଏବଂ ଭାରତକୁ ଏକ କ୍ରୀଡ଼ା ରାଷ୍ଟ୍ରରେ ପରିଣତ କରିବାରେ ସେମାନଙ୍କର ପ୍ରମୁଖ ଭୂମିକା ରହିବ,” ବୋଲି ଶ୍ରୀ ରିଜିଜୁ କହିଛନ୍ତି । ଜିରକପୁର ଆଞ୍ଚଳିକ କେନ୍ଦ୍ରର ପ୍ରଶାସନିକ ବ୍ଲକକୁ କେନ୍ଦ୍ରୀୟ ଲୋକ ନିର୍ମାଣ ବିଭାଗ (ସିପିଡବ୍ଲୁଡି) ନିର୍ମାଣ କରିଛି ଏବଂ ଖୁବଶୀଘ୍ର ଅନ୍ୟାନ୍ୟ କ୍ରୀଡା ସୁବିଧା ମଧ୍ୟ ଏହି କେନ୍ଦ୍ରରେ ଯୋଡାଯିବ । ଏହି ଭର୍ଚୁଆଲ ଉନ୍ମୋଚନ ସମାରୋହରେ ପଞ୍ଜାବ କ୍ରୀଡ଼ା ନିର୍ଦ୍ଦେଶକ ଶ୍ରୀ ଡିପିଏସ୍ ଖରବନ୍ଦା, ସାଇର ମହାନିର୍ଦ୍ଦେଶକ ଶ୍ରୀ ସନ୍ଦୀପ ପ୍ରଧାନ, ସଚିବ ଶ୍ରୀ ରୋହିତ ଭରଦ୍ୱାଜ, ସାଇର ବିଭିନ୍ନ ଆଞ୍ଚଳିକ ନିର୍ଦ୍ଦେଶକ, ପ୍ରଶିକ୍ଷକ ଏବଂ କ୍ରୀଡାବିତଙ୍କ ସମେତ ୩୦୦ରୁ ଅଧିକ ଅଂଶଗ୍ରହଣକାରୀ ଏହି କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ ।


