ଜିଲାପାଳଙ୍କଠାରେ ଗ୍ରାମାବସୀଙ୍କ ଫୋରଦ
ବାଲେଶ୍ୱର, (ସରୋଜ ପଣ୍ଡା):ସୋନ ନଦୀ ଅବବାହିକାରେ ଅବସ୍ଥିତ ରେମୁଣା ବ୍ଲକ ଅନ୍ତର୍ଗତ ତେନ୍ତୁଳିଦା ପଞ୍ଚ।।ୟତ ବୋଇତବାଙ୍କ ଗ୍ରାମର ଘୁଙ୍ଗି ମୌଜାରୁ ପ୍ରଶାସନର ବାଲି ଉତ୍ତୋଳନ ପାଇଁ ଆରମ୍ଭ ହୋଇଥିବା ନିଲାମ ପ୍ରକ୍ରିୟା ବନ୍ଦ ଦାବିରେ ଗ୍ରାମାବସୀମାନେ ମଙ୍ଗଳବାର ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି । ସେମାନଙ୍କ କହିବା ଅନୁସାରେ ବୋଇତବାଙ୍କ ଗ୍ରାମର ପଡ଼ା ଗ୍ରାମ ଘୁଙ୍ଗିକୁ ସୋନନଦୀ ତିନିପଟୁ ଘେରି ରହିଛି । ଆବାହମାନ କାଳରୁ ଏହି ଗ୍ରାମକୁ ଏକ ବାଲିବନ୍ଧ ସୁରକ୍ଷା ଦେଇ ଆସୁଅଛି । ଗାମର ସୁରକ୍ଷା ପାଇଁ ଅଦ୍ୟାବଧି କୌଣସି ପଥର ବନ୍ଧ ମଧ୍ୟ ନିର୍ମାଣ ହୋଇନାହିଁ । ପ୍ରତିବର୍ଷ ବନ୍ୟାରେ ଏହି ଗାଁର ବହୁ ଧନ ଜୀବନ କ୍ଷୟ ହୋଇଚାଲିଛି । ଏବେ ଏହି ମୌଜାର ୨୬୧ ନଂ ଖାତା ଅନ୍ତର୍ଗତ ୩୩୮ ପ୍ଲଟର ୧୪ ଏକର ୬୮୪୦ ଡିସିମିଲ ଓ ପ୍ଲଟ ନଂ ୪୪୦ରେ ୩୨ଏକର ୭୨୦୦ ଡିସିମିଲ ଜମିରୁ ବାଲି ଉଠାଣ ପାଇଁ ନିଲାମ ନିମନ୍ତେ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ତୁରନ୍ତ ପ୍ରତ୍ୟାହାର ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି । ଏଠାରୁ ବାଲି ଉଠାଣ ହେଲେ ଘୁଙ୍ଗି ପଡ଼ାଗ୍ରାମ ସମେତ ବୋଇତବାଙ୍କ ଗ୍ରାମକୁ ବିପଦ ମାଡ଼ିଆସିବ । ବର୍ଷାଦିନରେ ବନ୍ୟାଜଳ ଲୋକଙ୍କ ଗୃହକୁ ମାଡ଼ି ଆସିବା ସହିତ ଶହ ଶହ ଘର ଓ ଚାଷଜମି ନଦୀଗର୍ଭରେ ଲୀନ ହୋଇଯିବ । ଏନେଇ କ୍ଷେତ୍ର ତଦନ୍ତ ସହ ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ଜନଶୁଣାଶି କରି ଉଚିତ ପଦକ୍ଷେପ ନ ନଲେ ଆଗାମୀ ଦିନରେ ଗ୍ରାମବାସୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।ଏହି ଅବସରରେ ବରିଷ୍ଠ ଆଇନଜୀବୀ ବିଜୟ କୁମାର ପ୍ରାଣିଗ୍ରାହୀଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ଜଗବନ୍ଧୁ ମହଳିକ, ମନୋରଞ୍ଜନ ମହାଳିକ, ରଘୁନାଥ ମହାଳିକ, ଶ୍ୟାମସୁନ୍ଦର ସିଂ, ଶାନ୍ତନୁ ଜେନା, ରମେଶ କୁମାର ସିଂ ପ୍ରମୁଖଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।


