ଜିଲାପାଳଙ୍କଠାରେ ଫେରାଦ ହେଲେ ଗନିପୁରବାସୀ
ବାଲେଶ୍ୱର, (ସରୋଜ ପଣ୍ଡା) : ରେମୁଣା ବ୍ଲକ ଅନ୍ତର୍ଗତ ଗନିପୁର ପଞ୍ଚାୟତରେ ସରକାରୀ ଅନୁମୋଦିତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରିତାରେ ବିଭାଗୀୟ କାଳକ୍ଷେପଣ ନୀତିକୁ ନେଇ ତବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଦୀର୍ଘଦିନର ଦାବି ପରେ ଗନିପୁର ପଞ୍ଚାୟତର ରାୟନଗର, ମହୋତ୍ସବ ପଡ଼ିଆ ଓ କହଁରାଳି ଜଗନ୍ନାଥପୁର ଆଦି ଅଞ୍ଚଳରେ ୩ ଗୋଟି ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ସରକାରୀ ଅନୁମୋଦନ ସହ ଅର୍ଥ ବି ମଞ୍ଜୁର ହୋଇଥିଲା । ଜିଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (ଆରଡବ୍ଲ୍ୟୁଏସଏସ) ବିଭାଗ ପକ୍ଷରୁ ଏହି ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ଶେଷ ସହ ନିର୍ମାଣକାରୀ ସଂସ୍ଥାକୁ କାର୍ଯ୍ୟାଦେଶ ମଧ୍ୟ ପ୍ରଦାନ କରାଯାଇଛି । ମାତ୍ର ରେମୁଣା ବିଧାୟକ ପ୍ରକଳ୍ପ ଶିଳାନ୍ୟାସ ନ କରିବା ଯୋଗୁଁ କାର୍ଯ୍ୟ ଆରମ୍ଭ ହେଉନାହିଁ ଓ ଉଦଘାଟନ ନ କରିବା ଯୋଗୁଁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁ ନଥିବା ସମ୍ପୃକ୍ତ ଅଞ୍ଚଳ ବାସିନ୍ଦା ଆରୋପ କରିଛନ୍ତି । ଏନେଇ ଗ୍ରାମବାସୀମାନେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କୁ ପଚାରିଥିଲେ । ବିଧାୟକ ନଡ଼ିଆ ଭାଙ୍ଗିବା ପରେ ଯାଇ କାର୍ଯ୍ୟ ଆରମ୍ଭ ହେବ ବୋଲି ସେମାନେ କହିଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି । ବିଭାଗୀୟ ଅବହେଳାକୁ ନେଇ ଏହି ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନ ମହିଳା ସରପଞ୍ଚଙ୍କ ଦିଅର ଲକ୍ଷ୍ମୀକାନ୍ତ ଦାସଙ୍କ ନେତୃତ୍ୱରେ ଗନିପୁରବାସୀ ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି । ଯେଉଁ ପଞ୍ଚାୟତର ଅନ୍ୟାନ୍ୟ ରାଜନୈତିକ ଦଳ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ଅଛନ୍ତି ସେ ପଞ୍ଚାୟତର କୌଣସି ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କିମ୍ବା ଉଦଘାଟନ କରିବାକୁ ଯାଉ ନଥିବା ସେମାନେ ଜିଲାପାଳଙ୍କୁ ଅବଗତ କରିଛନ୍ତି । ଆସନ୍ତା ୭ ଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ ନହେଲେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ତେବେ ଏ ସମ୍ପର୍କରେ ଆରଡବ୍ଲ୍ୟୁଏସଏସ ନିର୍ବାହୀ ଯନ୍ତ୍ରୀ ଇଂ ସୁରେଶ ଚନ୍ଦ୍ର ରାଉତଙ୍କୁ ପଚାରିବାରୁ ସେ ଗ୍ରାମବାସୀଙ୍କ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । କୌଣସି କାରଣରୁ ଯଦି କାର୍ଯ୍ୟ ଆରମ୍ଭ ବିଳମ୍ବ ହୋଇଥାଏ, ତାହାଲେ ସହକାରୀ ଯନ୍ତ୍ରୀଙ୍କ ସହ ଆଲୋଚନା କରି ତୁରନ୍ତ ଆରମ୍ଭ କରିବେ ବୋଲି ସେ କହିଛନ୍ତି । ତେବେ ଏନେଇ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କୁ ପଚାରିବାରୁ ଏଭଳି ଆରୋପକୁ ନେଇ ସେ ଉଦବେଗ ପ୍ରକାଶ କରିଥିଲେ । ଲୋକଙ୍କ ସେବା ପାଇଁ ଆମେ ନିର୍ବାଚିତ ହୋଇଛୁ । ଯଦି କାର୍ଯ୍ୟ ବ୍ୟସ୍ତତାରେ ଥାଇ ଯାଇପାରି ନଥାଏ, ତେବେ କାର୍ଯ୍ୟ ଆରମ୍ଭ କରିବାରେ କେଉଁଠି ସମସ୍ୟା ବୋଲି ସେ ପ୍ରଶ୍ନ କରିଥିଲେ । ବିଧାୟକ ନ ଗଲେ ବି କାର୍ଯ୍ୟ ଅଟକିବା ଆଦୌ ଉଚିତ ନୁହେଁ । ବରଂ ପ୍ରକଳ୍ପ କାର୍ଯ୍ୟ ଶେଷ ହେଲେ ମୁଁ ଉଦଘାଟନ ବି କରିପାରିବି । ତେବେ ଆରଡବ୍ଲ୍ୟୁଏସଏସ ନିର୍ବାହୀ ଯନ୍ତ୍ରୀଙ୍କ ସହ କଥା ହୋଇ ତୁରନ୍ତ କାର୍ଯ୍ୟ ଆରମ୍ଭ ପାଇଁ ମୁଁ କହିଦେଉଛି ବୋଲି ବିଧାୟକ ଶ୍ରୀ ପରିଡ଼ା ପ୍ରକାଶ କରିଛନ୍ତି ।


