ଜିଲାପାଳଙ୍କୁ ପଦାବଡ଼ଗାଁ ଆଦିବାସୀ ପରିବାରଙ୍କ ଫେରାଦ
ବାଲେଶ୍ୱର, (ସରୋଜ ପଣ୍ଡା):ପ୍ରସ୍ତାବିତ କାରଖାନା ପ୍ରତିଷ୍ଠା ଆଳରେ ପ୍ରଶାସନ ପକ୍ଷରୁ ସରକାରୀ ଜମିରୁ କରାଯାଉଥିବା ଉଚ୍ଛେଦ ଉଦ୍ୟମକୁ ବିରୋଧ କରି ପଦାବଡ଼ଗଁା ଆଦିବାସୀ ପରିବାରମାନେ ମଙ୍ଗଳବାର ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି। ସମ୍ପୃକ୍ତ ଜମିରେ ଦୀର୍ଘବର୍ଷ ଧରି ବଂଶାନୁକ୍ରମିକ ଭାବେ ସେମାନେ ବସବାସ କରି ଆସୁଥିବା ୪୫ଟି ଆଦିବାସୀ ପରିବାରକୁ ରାଜସ୍ବ ବିଭାଗ ପକ୍ଷରୁ ବେଆଇନ ଭାବେ ଉଚ୍ଛେଦ ଉଦ୍ୟମ କରାଯାଉଥିବା ସେମାନେ ଆରୋପ କରିଛନ୍ତି। ଏମିତିକି ଏହି ଉଚ୍ଛେଦକୁ ଆଦିବାସୀ ପାରମ୍ପାରିକ ଗ୍ରାମସଭାରେ ମଧ୍ୟ ବିରୋଧ କରାଯାଇଥିଲା। ସମ୍ବିଧାନର ଅନୁଚ୍ଛେଦ ୧୩(୩)(କ) ଅନୁଯାୟୀ ଅନୁସୂଚୀତ ଜନଜାତିଙ୍କର ସ୍ୱଶାସନ ନିୟନ୍ତ୍ରଣ କଲ୍ୟାଣ ଏବଂ ଉନ୍ନତି ତଥା ଶାନ୍ତି ଓ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ‘ଜିଲା ମାଝୀ ପାରଗାନା’ ସଂଗଠନ ପକ୍ଷରୁ ଦାବି ହୋଇଛି। ମାଝୀ ପାରଗାନା ଜିଲା ସଭାପତି ବୁଦ୍ଧିରାମ ମାଝୀଙ୍କ ନେତୃତ୍ୱରେ ଶତାଧିକ ଆଦିବାସୀ ଜିଲାପାଳଙ୍କୁ ସାକ୍ଷାତ ସହ ସେମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ସମ୍ପର୍କରେ ଅବଗତ କରିଥିଲେ। ସେମାନଙ୍କ ଅଭିଯୋଗ ଅନୁସାରେ ପଦାବଡ଼ଗାଁ ମୌଜାରେ ଶତାଧିକ ବର୍ଷ ପୂର୍ବରୁ ଆଦିବାସୀଙ୍କ ପୂର୍ବଜମାନେ ସ୍ଥାୟୀ ଭାବେ ବସବାସ ସହ ପଶୁ ପାଳନ ଓ ଚାଷବାସ କରି ଆସୁଥିଲେ। ସମ୍ପୃକ୍ତ ଆଦିବାସୀ ପରିବାରର ବର୍ତ୍ତମାନ ପିଢି ମଧ୍ୟ ପଶୁ ପାଳନ ଓ ଚାଷ କାର୍ଯ୍ୟକରି ପରିବାର ଚଳାଉଛନ୍ତି। ସମ୍ପ୍ରତି ସରକାରୀ ଜାଗାରେ ଏକ କାରଖାନା ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ସେହି ସରକାରୀ ଜମିରେ ବସବାସ କରୁଥିବା ଆଦିବାସୀ ପରିବାରଙ୍କୁ ଉଚ୍ଛେଦ ପାଇଁ ଗତ ଜୁଲାଇ ୩୦ ତାରିଖରେ ରେମୁଣା ତହସିଲଦାରଙ୍କ ପକ୍ଷରୁ ସେଠାରେ ଡ଼ାକବାଜି ଯନ୍ତ୍ରରେ ଘୋଷଣା କରାଯାଇଥିଲା। ଏହାକୁ ନେଇ ପାରମ୍ପରିକ ଗ୍ରାମସଭାର ବୈଠକ ପରେ ମାଝୀ ପାରଗାନା ଜିଲା ସଭାପତି ଶ୍ରୀ ମାଝୀ ଅଗଷ୍ଟ ମାସ ୦୧ ତାରିଖ ଦିନ ରେମୁଣା ତହସିଲଦାରଙ୍କୁ ଭେଟି ଆଦିବାସୀ ପରିବାରଙ୍କୁ ଉଚ୍ଛେଦର କାରଣ ସମ୍ପର୍କରେ ପଚାରିଥିଲେ। ସେହି ଅନୁସାରେ ଆଦିବାସୀ ପରିବାରଙ୍କୁ ଉଚ୍ଛେଦ ପାଇଁ ବିଧିବଦ୍ଧ ନୋଟିସ ଦିଆଯିବା ନେଇ ତହସିଲଦାର ସୂଚନା ଦେଇଥିଲେ। ମାତ୍ର ସେହିଦିନ ସନ୍ଧ୍ୟାରେ ନୋଟିସ ଜାରି ସହିତ ପାଞ୍ଚ ଦିନ ପରେ ଅର୍ଥାତ ଶନିବାର ଦିନ ସ୍ଥାନୀୟ ଆରଆଇ, ସରପଞ୍ଚ ଓ ପୁଲିସ ଆଦିବାସୀ ସାହିକୁ ଯାଇ ଜାହିରାଗାଲ (ଠାକୁରାଣୀ ପୀଠ) ଏବଂ ଗବେନ୍ଦ୍ର କିସ୍କୁଙ୍କ ଘର ଭାଙ୍ଗି ଦେଇଥିଲେ। ପଦାବଡ଼ଗାଁ ଆଦିବାସୀଙ୍କ ସ୍ୱଶାସନ ବ୍ୟବସ୍ଥା ଅନୁଯାୟୀ ପାରମ୍ପରିକ ଗ୍ରାମସଭା ପକ୍ଷରୁ ଏଭଳି ଅନ୍ୟାୟ ପ୍ରତିବାଦ ପାଇଁ ନିଷ୍ପତ୍ତି ହୋଇଥିବା ସେମାନେ କହିଛନ୍ତି। ପୂର୍ବ ନିଷ୍ପତ୍ତି ଅନୁସାରେ ଆଦିବାସୀଙ୍କ ପ୍ରତି ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ପଦକ୍ଷେପ ନେବା ପାଇଁ ନିବେଦନ ସହ ସେମାନେ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ସ୍ମାରକପତ୍ର ପ୍ରଦାନ ବେଳେ ପଦାବଡଗାଁ ଆଦିବାସୀ ସଙ୍ଗଠନର ମାଝୀ ବାବା ଅଶୋକ ମାଝୀ, ବିଜୟ କୁମାର ମୁର୍ମୁ, ଦୁଃଖୀରାମ ମାଝୀ, ଗୋପୀନାଥ ହେମ୍ବ୍ରମ, ଦଶରଥ କିସ୍କୁ, ବାବୁ ବାସ୍କେ, ବାସନ୍ତୀ ମାରାଣ୍ଡି, ଦାନଗି ମାଝୀ ଓ ରେଖା କିସ୍କୁ ପ୍ରମୁଖ ଉପସ୍ଥିତ ଥିଲେ।