ଜିଲାପାଳଙ୍କ ହସ୍ତକ୍ଷେପ ପରେ କାର୍ଯ୍ୟକ୍ଷମ ହେଲା ପ୍ରାଣୀଧନ ସହାୟକ କେନ୍ଦ୍ର

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗୋପିନାଥପୁର ଠାରେ ଗତ ୨୦୧୮ ମସିହାରେ ପଶୁ ସଂପଦ ବିଭାଗର ୬ ଲକ୍ଷ ୭୦ ହଜାର ଟଙ୍କା ଅନୁଦାନରେ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରାଣୀଧନ ସହାୟକ କେନ୍ଦ୍ର ନିର୍ମାଣ ହୋଇ ପଡି ରହିଥିଲା । ବ୍ଲକ ପ୍ରଶାସନ ପଶୁ ସଂପଦ ବିଭାଗକୁ ଏହି ଘର ହସ୍ତାନ୍ତର କରିନଥିଲା । ଏଠାରେ କୌଣସି ଏଲ.ଆଇ ନିଯୁକ୍ତି ପାଇନଥିଲେ । ଏବିଷୟରେ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂସ୍ଥା ସି.ଏଫ.ଡବ୍ଲ୍ୟୁ.ଏସ.ଡିର କର୍ମକର୍ତ୍ତା ବିଭିନ୍ନ ଗଣମାଧ୍ୟମ ଜରିଆରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିସହ ପ୍ରକାଶିତ ଖବରକୁ ସଂସ୍ଥାର କର୍ମକର୍ତ୍ତା ଜିଲାପାଳଙ୍କୁ ଅବଗତ କରାଇଥିଲେ । ଏନେଇ ଜିଲାପାଳ ଖୁବଶିଘ୍ର ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ । ଜିଲାପାଳ ଉକ୍ତ ଘରକୁ ଯଥାଶିଘ୍ର ପଶୁ ସଂପଦ ବିଭାଗକୁ ହସ୍ତାନ୍ତର କରିବା ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦେବା ସହ ଏଲ.ଆଇ ନିଯୁକ୍ତି କରି ପ୍ରାଣୀଧନ ସହାୟକ କେନ୍ଦ୍ର ଯଥାଶିଘ୍ର କାର୍ଯ୍ୟକ୍ଷମ କରିବାକୁ ଭଦ୍ରକ ସି.ଡି.ଭି.ଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ କାଦବରାଙ୍ଗ ଏଲ.ଆଇ ରାଜେଶ ବିଶ୍ୱାଳଙ୍କୁ ଗୋପିନାଥପୁର ପ୍ରାଣୀଧନ ସହାୟକ କେନ୍ଦ୍ରର ଅତିରିକ୍ତ ଦାୟୀତ୍ୱ ଦିଆଯାଇଛି । ଶୁକ୍ରବାର ବ୍ଲକ ପ୍ରଶାସନ ତରଫରୁ କନିଷ୍ଠ ଯନ୍ତ୍ରୀ ପ୍ରଜ୍ଞା ମହାନ୍ତି, ପିଇଓ ଜୟପ୍ରକାଶ ମହାପାତ୍ର ଆଗରପଡା ପ୍ରାଣୀ ଚିକିତ୍ସାଧିକାରୀ ଚିତ୍ତ ରଞ୍ଜନ ଦାସଙ୍କୁ ଘର ହସ୍ତାନ୍ତର କରିଥିଲେ । ସୋମବାର ଏଲ.ଆଇ ରାଜେଶ ବିଶ୍ୱାଳ ଉକ୍ତ ପ୍ରାଣୀ ସହାୟକ କେନ୍ଦ୍ରରେ ପ୍ରାଣୀ ଚିକିତ୍ସା ଆରମ୍ଭ କରିଛନ୍ତି । ସପ୍ତାହର ପ୍ରତି ଗୁରବାର ଏଠାରେ ଚିକିତ୍ସା ଉପଲବ୍ଧ ହେବ ବୋଲି ଜଣାଯାଇଛି । ଦୀର୍ଘ ୪ ବର୍ଷ ପରେ ଜିଲାପାଳଙ୍କ ପ୍ରତ୍ୟେକ୍ଷ ହସ୍ତକ୍ଷେପ ପରେ ଏହା କାର୍ଯ୍ୟକ୍ଷମ ହୋଇଥିବାରୁ ସି.ଏଫ.ଡବ୍ଲ୍ୟୁ.ଏସ୍‌.ଡି ଓ ଅଞ୍ଚଳବାସୀ ଜିଲାପାଳ ଓ ଗଣମାଧ୍ୟମକୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ଏଥିସହ ଏଠାରେ ଜଣେ ସ୍ଥାୟୀ ପ୍ରାଣୀଧନ ନୀରିକ୍ଷକଙ୍କୁ ନିଯୁକ୍ତି ଦେବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ