ଜିଲାସ୍ତରୀୟ ଆଧାର ମନିଟରିଂ କମିଟି ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଶା ସରକାରଙ୍କ ବୈଷୟିକ ଓ ସୂଚନା ପ୍ରଯୁକ୍ତି ବିଭାଗ ନିର୍ଦ୍ଦେଶରେ ଗଠିତ ଜିଲା ସ୍ତରୀୟ ଆଧାର ମନିଟରିଂ କମିଟିର ଦ୍ୱିତୀୟ ବୈଠକ ସ୍ଥାନୀୟ ମହାତ୍ମା ଗାନ୍ଧୀ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ହୋଇାଇଛି । ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଏହି ବୈଠକରେ ଅଧ୍ୟକ୍ଷତା କରିବା ସହ ଅଧାର ଅପଡେଟ କାର୍ଯ୍ୟ ସମ୍ପାଦନ ଉପରେ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ବିଶେଷ କରି ପଛୁଆବର୍ଗ ଜନଗଣନାରେ ଅପଡେଟ ଆଧାର କାର୍ଡ଼ର ଆବଶ୍ୟକତା ସମ୍ପର୍କରେ ଜିଲାପାଳ ସମସ୍ତଙ୍କୁ ଅବଗତ କରିଥିଲେ । ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ଉପ-ଆରକ୍ଷୀ ଅଧୀକ୍ଷକ ବ୍ରଜେଶ୍ୱରୀ ବଳ, ଜିଲା ଶିକ୍ଷା ଅଧିକାରୀ ବିଷ୍ଣୁ ଚରଣ ସୂତାରଙ୍କ, ଜିଲା ସମାଜ ମଙ୍ଗଳ ଅଧିକାରିଣୀ କୁନ୍ତଳାକୁମାରୀ ମଲିକଙ୍କ ସମେତ ଜିଲା ଇ-ଗଭର୍ଣ୍ଣାନ୍ସ ମ୍ୟାନେଜର, ଡାକ ବିଭାଗ ଅଧିକାରୀ, ଲିଡ୍ ବ୍ୟାଙ୍କ୍ ଅଧିକାରୀ, ମୋ ସେବା କେନ୍ଦ୍ର ସଂଯୋଜକ, ଆଧାର ବିଭାଗୀୟ କର୍ମକର୍ତ୍ତା ଆଦି କମିଟିର ସଦସ୍ୟମାନେ ଏହି ବୈଠକରେ ଯୋଗ ଦେଇ ଜିଲାରେ ଆଧାର ଅପଡେଟର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରକାଶ ଥାଉକି ଆଜିର ସମୟରେ ବିଭିନ୍ନ ସରକାରୀ ଯୋଜନା ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ଓ ସେବାର ଲାଭ ପାଇଁ ଅପଡେଟ ଆଧାର ଅନିବାର୍ଯ୍ୟ ହୋଇଛି । ଆଧାର ଅପଡେଟ ନ କଲେ ଏହା ଅଚଳ ହୋଇଯିବାର ଆଶଙ୍କା ଥିବାରୁ ସରକାରୀ ସ୍ତରରେ ବିଭିନ୍ନ ଅନୁଷ୍ଠାନ ତଥା ଶିବିର ମାଧ୍ୟମରେ ଅଡେଟ କରାଯାଉଛି । ଜନସାଧାରଣ ଏହାର ଉପଯୋଗ କରି ଆଧାରକୁ ଅପଡେଟ ପାଇଁ ଜିଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ଅପଡେଟ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ରାସନ ବଣ୍ଟନ କେନ୍ଦ୍ର, ପଛୁଆ ବର୍ଗ ଜନଗଣନା ଶିବିର ସହ ଯୋଡ଼ି ହୋଇ ଆଧାର ଅପଡେଟକୁ ଆଗେଇ ନେବା ପାଇଁ ବ୍ୟାଙ୍କ୍ ତଥା ଡାକ ବିଭାଗ ଅଧିକାରୀମାନଙ୍କୁ ଜିଲାପାଳ ଦେଇଥିଲେ । ବିଦ୍ୟାଳୟ ସ୍ତରରେ ୧୫/୧୬ ବର୍ଷ ବୟସ ବର୍ଗଙ୍କ ନିମନ୍ତେ ପ୍ରଧାନ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଜିଲା ଶିକ୍ଷା ଅଧିକାରୀ ଦାୟିତ୍ୱ ନେଇଥିଲେ । ଜିଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ୫ବର୍ଷ ବୟସର ପିଲାମାନଙ୍କ ଆଧାର ଅପଡେଟ ସଚେତନତାକୁ ଆଗେଇ ନେବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ ।ଏଥି ସହ ଓକାକ ତରଫରୁ କଲେକ୍ଟୋରେଟ ଏବଂ ପୌରପାଳିକା କାର୍ଯ୍ୟାଳୟ ଠାରେ ଆଧାର ଅପଡେସନ କେନ୍ଦ୍ର ଖୋଲିବା ନିମନ୍ତେ ବ୍ୟବସ୍ଥା କରାଯିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହା ଏକ ନିତାନ୍ତ ଆବଶ୍ୟକ ଓ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇଥିବାରୁ ଧାର୍ଯ୍ୟ ସମୟରେ ଏହାକୁ ନିର୍ଭୁଲ ଭାବେ ସମ୍ପାଦନ ପାଇଁ ସମସ୍ତ ଅନୁଷ୍ଠାନ, ଅଧିକାରୀ, କର୍ମଚାରୀ ତଥା ବ୍ୟକ୍ତି ବିଶେଷ ଯତ୍ନବାନ ହେବାକୁ ଜିଲାପାଳ ଶ୍ରୀ ଶିନ୍ଦେ ଆଶା ପୋଷଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ