ଜିଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ
ବାଲେଶ୍ୱର, (ସରୋଜ ପଣ୍ଡା) :ଜିଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିଥିଲେ । ସାମ୍ପ୍ରତିକ ସମାଜରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା ଏବଂ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାରେ ଆଶାକର୍ମୀ ଓ ଗାଁ କଲ୍ୟାଣ ସମିତିର ମହତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ସେ ଆଲୋକପାତ କରିଥିଲେ । ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଳସେନ ଜଗଦ୍ଦେବ, ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମୃତ୍ୟୁଞ୍ଜୟ ମିଶ୍ର, ଏଡିପିଏଚଓ ଡା. ଶଶାଙ୍କ ଶେଖର ଚୌଧୁରୀ, ଡା. ରଞ୍ଜନ କୁମାର ନାୟକ, ଜିଲା ସମାଜ ମଙ୍ଗଳ ଅଧିକାରିଣୀ କୁନ୍ତଳା କୁମାରୀ ମଲିକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଜନା ସଫଳ ରୂପାୟନରେ ଆଶା ଓ ଗାଁ କଲ୍ୟାଣ ସମିତିର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଏଥି ସହିତ “ସ୍ୱାସ୍ଥ୍ୟ ସେବାରେ ଗୋଷ୍ଠୀ ସହଭାଗିତା” ଶୀର୍ଷକ ଉପରେ ଅତିଥିମାନେ ବିସ୍ତୃତ ଆଲୋଚନା କରିଥିଲେ । ଜିଲାର ସମସ୍ତ ଆଶା, ଗାଁ କଲ୍ୟାଣ ସମିତିର ସଦସ୍ୟବୃନ୍ଦ (ଅଙ୍ଗନୱାଡି, ୱାର୍ଡମେମ୍ବର) ଓ ସରପଞ୍ଚ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରେଷ୍ଠ ଆଶା , ସୁସ୍ଥ ଗାଁ ଏବଂ ସୁସ୍ଥ ପଂଚାୟତକୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଡିପିଏମ ଅନୀଲ କୁମାର ମହାନ୍ତି, ଡିଏମଆରସିଏଚ ଏଲିନା ସାମଲ, ଜାତୀୟ ସ୍ୱାସ୍ଥ୍ୟ ମିଶନର ସୁରେନ୍ଦ୍ର ସାହୁ, ସୂର୍ଯ୍ୟଜିତ ରାୟ, ବିଶ୍ୱରଞ୍ଜନ ନାୟକ,ଜିଲା ଡାଟା ମ୍ୟାନେଜର ହରେକୃଷ୍ଣ ସାହୁ ପ୍ରମୁଖ ଏଥିରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।