ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ ପ୍ରସ୍ତୁତି
ବାଲେଶ୍ୱର, (ସରୋଜ ପଣ୍ଡା) :୮୭ମ ଜିଲ୍ଲାସ୍ତରୀୟ ଓଡିଶା ଦିବସ -୨୦୨୨ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଓଡ଼ିଶା ଦିବସ ଦିନ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଆସନ୍ତା ଏପ୍ରିଲ ୧ତାରିଖ ଓଡ଼ିଶା ଦିବସରେ ପ୍ରତ୍ୟୁଷ ୪ଟା ୩୦ ମିନିଟ ସମୟରେ ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ, ଭାଷା ବନ୍ଦନା ସଙ୍ଗୀତ ସମେତ ଅନ୍ୟାନ୍ୟ ଦେଶାତ୍ମବୋଧ ସଙ୍ଗୀତ ପରିବେଷଣ କରାଯିବ । କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଭାତଫେରୀ ଆୟୋଜିତ ହେବା ସହିତ ସହରରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟଅତିଥି ଏବଂ ଅନ୍ୟାନ୍ୟ ଅତିଥିମାନଙ୍କ ଦ୍ୱାରା ସାମୂହିକ ମାଲ୍ୟାର୍ପଣ କରାଯିବ । ମାଲ୍ୟାର୍ପଣ ପରେ ସ୍ଥାନୀୟ ଜିଲା ମୁଖ୍ୟ ଚିକିତ୍ସାଳୟଠାରେ ଜିଲ୍ଲା ରେଡକ୍ରସ ସଂସ୍ଥା, ନେହେରୁ ଯୁବକେନ୍ଦ୍ର, ବିଭିନ୍ନ ମହାବିଦ୍ୟାଳୟର ଏନ.ଏସ.ଏସ. ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀମାନଙ୍କୁ ଫଳ ବଂଟନ କରାଯିବ । ପରେ ପରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ସାଧାରଣ ସଭା, ବିଭନ୍ନ ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯିବ । ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜନ ସହ କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନିତ କରାଯିବ । ସନ୍ଧ୍ୟା ସମୟରେ ସ୍ୱତନ୍ତ୍ର ଭାବେ ବନ୍ଦେ ଉତ୍କଳ ଜନନୀ ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଓଡ଼ିଆ ଭାଷାରେ ନାମଫଳକ ଲେଖିବା ନିମନ୍ତେ ସମସ୍ତଙ୍କୁ ପ୍ରୋତ୍ସାହିତ କରିବା ସହିତ ଚିଠି, ନିର୍ଦ୍ଦେଶନାମା ପ୍ରଭୃତିରେ ଓଡିଆ ଭାଷାର ବହୁଳ ବ୍ୟବହାର ନିମନ୍ତେ ସବୁ ସ୍ତରରେ ଉଦ୍ୟମ କରିବାକୁ ବୈଠକରେ ଆଲୋଚନା ହୋଇଥିଲା । ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବାଣିଜ୍ୟିକ ପ୍ରତିଷ୍ଠାନ ଓ ଗୃହକୁ ପବିତ୍ର ଦିବସ ପାଳନ ଅବସରରେ ଆଲୋକିତ କରିବାକୁ ଅନୁରୋଧ କରାଯାଇଥିଲା । ଓଡିଶା ଦିବସ ପାଳନ ପରିପ୍ରେକ୍ଷୀରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ବକ୍ତୃତା ଓ ଦେଶାତ୍ମବୋଧ ସଙ୍ଗୀତ ଇତ୍ୟାଦି ପ୍ରତିଯୋଗିତା ଏବଂ ଆଂଚଳିକ ଆର୍ଟ ଗ୍ୟାଲେରୀରେ ଓଡିଶା ଦିବସ ସମ୍ପର୍କିତ ଚିତ୍ରକଳା ପ୍ରଦର୍ଶନୀ ଆୟୋଜନ କରିବାକୁ ନିଷ୍ପତି ହୋଇଥିଲା ଏହି ବୈଠକରେ ପିଡି, ଡିଆରଡିଏ ଶ୍ରୀ ରବୀନ୍ଦ୍ର କୁମାର ସାହୁ, ଉପଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଳ ସେନ ଜଗଦ୍ଦେବ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ କୁମାର ସାହୁ ବିବରଣୀ ପାଠ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।


