ଜିଲାସ୍ତରୀୟ ଜୟଦେବ ଜୟନ୍ତୀ
ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ କବି ଜୟଦେବଙ୍କ ଜୟନ୍ତୀ ଉତ୍ସବ ସ୍ଥାନୀୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତୀ ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉତ୍ସବକୁ ଉଦଘାଟନ ସହ ମହାନ ଉତ୍କଳୀୟ ସଂସ୍କୃତିକୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଜୟଦେବଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଫକୀର ମୋହନ ସାହିତ୍ୟ ପରିଷଦର ସଭାପତି ଡକ୍ଟର ଲକ୍ଷୀ୍ମକାନ୍ତ ତ୍ରିପାଠୀ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଜୟଦେବଙ୍କ ଦ୍ୱାରା ରଚିତ ତଥା ଅପ୍ରକାଶିତ ବହୁ ତଥ୍ୟ ଉପସ୍ଥାପନ ପୂର୍ବକ ଜୟଦେବଙ୍କ ଜନ୍ମସ୍ଥାନକୁ ନେଇ ଚାଲିଥିବା ବିବାଦ ସମ୍ପର୍କରେ ଦୃଷ୍ଟିପାତ କରିଥିଲେ । କବି ଜୟଦେବଙ୍କ କାବ୍ୟକୃତି ଆଜି ସମଗ୍ର ଦେଶରେ ପ୍ରସିଦ୍ଧି ଅର୍ଜନ କରିପାରିଥିବା ବେଳେ ତାହା ମାନବ ସମାଜ ପାଇଁ ଅତ୍ୟନ୍ତ ଉପାଦେୟ ସାବ୍ୟସ୍ତ ହୋଇପାରିଥିବା ଡକ୍ଟର ତ୍ରିପାଠୀ ମତବ୍ୟକ୍ତ କରିଥିଲେ । କବି ପ୍ରଶାନ୍ତ ଦାସ ଏଥିରେ ଅନ୍ୟତମ ବକ୍ତା ଭାବେ ଯୋଗଦେଇ ଜୟଦେବଙ୍କ ରଚନାରେ ଯେଉଁ ଲାଳିତ୍ୟ ଏବଂ ଚାତୁରୀ ଭରି ରହିଛି, ତାହା କବିଙ୍କ ମହାନତାକୁ ପ୍ରତିଫଳିତ କରାଇ ପାରିଛି ବୋଲି କହିଥିଲେ । ବରିଷ୍ଠ ସାମ୍ବାଦିକ କାବ୍ୟଶିଳ୍ପୀ ସର୍ବେଶ୍ୱର ଦାସ ଆଶୁ କବିତା ମାଧ୍ୟମରେ ଜୟଦେବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଉତ୍ସବ ପ୍ରାରମ୍ଭରେ କବି ଜୟଦେବଙ୍କ ସୁଦୃଶ୍ୟ ପ୍ରତିକୃତିରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଆଶିଷ କୁମାର ସାହୁ ଏଥିରେ ଅତିଥି ପରିଚୟ ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବୁଦ୍ଧିଜୀବୀ, ସାହିତ୍ୟିକ, ସାମ୍ବାଦିକଙ୍କ ସମେତ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।