ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା) :-ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କମିଟିର ଏକ ବୈଠକ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଜିଲା ପରିଷଦ ସଭାଗୃହରେ ଆୟୋଜିତ ବୈଠକରେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଭୋଗରାଇ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଅନନ୍ତ ଦାସ, ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ସଦର ବିଧାୟକ ସ୍ୱରୂପ କୁମାର ଦାସ, ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ ପ୍ରମୁଖ ଏଥିରେ ଯୋଗ ଦେଇ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନେଇ ହେଉଥିବା ପ୍ରସ୍ତୁତି ସମ୍ପର୍କରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ଭବେଶ କୁମାର ନାୟକ ୨୦୨୧-୨୨ ଆର୍ଥିକ ବର୍ଷରେ ୟାସ ବାତ୍ୟା, କୋଭିଡ୍, ବଜ୍ରପାତ, ସାପକାମୁଡା ପ୍ରଭୃତି ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସଂଖ୍ୟା, ହୋଇଥିବା କ୍ଷୟକ୍ଷତି ଓ ପ୍ରଦାନ କରାଯାଇଥିବା କ୍ଷତିପୂରଣ ରାଶି ସମ୍ପର୍କରେ ସୂଚନା ଦେଇଥିଲେ । ପରେ ଆଗାମୀ ବର୍ଷା ଋତୁ ଓ ମୌସୁମୀକୁ ଗୁରୁତ୍ୱ ଦେଇ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସମ୍ପର୍କରେ ଆଲୋଚନା କରାଯାଇଥିଲା । ବିଶେଷ କରି ଦୁର୍ବଳ ନଦୀବନ୍ଧ ଚିହ୍ନଟ ଏବଂ ମରାମତି, ଜଳ ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥାର ସୁପରିଚାଳନା , କେନାଲ ମରାମତି ପ୍ରଭୃତି ଉପରେ ଲୋକପ୍ରତିନିଧିମାନେ ଆଲୋଚନା କରିଥିଲେ । ବନ୍ୟାପ୍ରବଣ ସ୍ଥାନରେ ବାଲିବସ୍ତା ପକାଇବାକୁ ଜଳସେଚନ ବିଭାଗ ଓ ଡ୍ରେନେଜ ବିଭାଗକୁ କୁହାଯାଇଥିଲା । ବିଭିନ୍ନ ସ୍ଥାନରେ ଚାଲିଥିବା ଧପନ୍ତରିଆ ପଥର ପ୍ୟାଚିଂ କାମକୁ ନେଇ ବୈଠକରେ ମନ୍ତ୍ରୀ ବିଧାୟକ ଓ ସାଂସଦ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ସେହିଭଳିି ବେଆଇନ ଜବରଦଖଲ ଉଚ୍ଛେଦ ପାଇଁ କୌଣସି ଟାଳଟୁଳ ନୀତି ଅବଲମ୍ବନ ନ କରି ଏ ଦିଗରେ ଦୃଢ଼ ପଦକ୍ଷେପ ନେବା ଉପରେ ସେମାନେ ଗୁରୁତ୍ୱ ଦେଇଥିଲେ । ବନ୍ୟା ସମୟରେ ଉଦ୍ଧାର କାର୍ଯ୍ୟ ଓ ରିଲିଫ୍ ପ୍ରଦାନ ବିଡିଓ ଓ ତହସିଲଦାରଙ୍କୁ ଜୋନୱାରୀ ଦାୟିତ୍ୱ ପ୍ରଦାନ, ସମୟାନୁସାରେ ପାଣିପାଗ ବିଭାଗ ଓ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପ୍ରଦତ୍ତ ସତର୍କ ସୂଚନା ତୁରନ୍ତ ଲୋକଙ୍କ ନିକଟରେ ପହଞ୍ଚାଇବା, ବିପର୍ଯ୍ୟୟ ସମୟରେ ଟେଲିଫୋନ୍ ଓ ମୋବାଇଲ ସେବା ଜାରି ଉପରେ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ ପାଇଁ ପାୱାର ବୋଟ ଓ ଦେଶୀଡଙ୍ଗା ପ୍ରଭୃତି ପ୍ରସ୍ତୁତି ରଖିବା, ଜରୁରୀକାଳୀନ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଂଟ୍ରୋଲ୍ ରୁମ୍ କାର୍ଯ୍ୟ କରିବା, ଜିଲାରେ ଥିବା ୧୧୨ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଏବଂ ୨୮ଟି ବନ୍ୟା ଆଶ୍ରୟସ୍ଥଳୀରେ ଆବଶ୍ୟକ ସରଞ୍ଜାମ ଓ ବିଦ୍ୟୁତ ବ୍ୟବସ୍ଥା ଠିକ କରିବା, ସମସ୍ତ ବ୍ଲକରେ ଭି.ଏଚ.ଏଫ୍. ସେଟ୍ ଉପଲବ୍ଧ କରିବା, ଜିଲ୍ଲାରେ ଯଥେଷ୍ଟ ପରିମାଣରେ ପଲିଥିନ୍, ଶୁଖିଲା ଖାଦ୍ୟସାମଗ୍ରୀ, ଚୂଡା, ଗୁଡ, କିରାସିନି ଇତ୍ୟାଦ ମହଜୁଦ୍ ରଖିବା, ଆବଶ୍ୟକ ଔଷଧ,ସହ କର୍ମଚାରୀଙ୍କୁ ସଜାଗ ରଖିବା, ପାନୀୟ ଜଳଯୋଗାଣ ସୂଚାରୁ ରୂପେ ପରିଚାଳନା କରିବା, ଜିଲ୍ଲାରେ ହେଲିପ୍ୟାଡ ଓ ଏୟାରଷ୍ଟ୍ରିପ ଚିହ୍ନଟ କରି ତାର ସଠିକ ଅବସ୍ଥିତି, ଅକ୍ଷାଂଶ ଓ ଦ୍ରାଘିମା ସୂଚୀତ କରି ରାଜ୍ୟ କାର୍ଯ୍ୟାଳୟକୁ ଜଣାଇବା ଏବଂ ବନ୍ୟାଜନିତ ରିପୋର୍ଟ ନିୟମିତଭାବେ ପ୍ରେରଣ କରିବା ପ୍ରତି ଦୃଷ୍ଟି ଦେବାକୁ ଏହି ବୈଠକରେ ବିଭାଗୀୟ ଅଧିକାରୀମାନଙ୍କୁ କୁହାଯାଇଛି । ବନ୍ୟା ବାତ୍ୟା ସମ୍ପର୍କିତ ସୂଚନା ପାଇଁ ବାଲେଶ୍ୱରରେ ଡପଲାର୍ ରାଡାର୍ ପ୍ରତିଷ୍ଠା ପାଇଁ ମଞ୍ଜୁରୀ ମିଳିବା ସହ ଏଥିପାଇଁ ଆବଶ୍ୟକୀୟ ନିର୍ମାଣ କାର୍ଯ୍ୟ ସରିଥିବା ବେଳେ ରାଡାର ପ୍ରତିଷ୍ଠାରେ ବିଳମ୍ବକୁ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଥିଲା । ପାଣିପାଗ ବିଭାଗ ସହ ଯୋଗାଯୋଗ ରକ୍ଷା କରି ଏହା ସ୍ଥାପନ କରିବାକୁ ପଦକ୍ଷେପ ନେବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁ, ବାଲେଶ୍ୱର ଉପ-ଜିଲାପାଳ କୁନାଲ ଚୌହାନ, ନୀଳଗିରି ଉପ-ଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ ପ୍ରମୁଖ ମଂଚାସୀନ ଥିବା ବେଳେ ବିଭିନ୍ନ ବ୍ଲକର ବିଡିଓ, ତହସିଲଦାର, ପୌରାଂଚଳ ଅଧ୍ୟକ୍ଷ, ନିର୍ବାହୀ ଅଧିକାରୀ, ଲାଇନ ଡିପାର୍ଟମେଂଟ ଅଧିକାରୀ, ଅଗ୍ନିଶମ ବିଭାଗ, ଓଡ୍ରାଫ୍,ଏନଡିଆରଏଫ୍ର ପ୍ରତିନିଧିମାନେ ଏହି ବୈଠକରେ ଉପସ୍ଥିତ ଥିଲେ । ଜିଲା ଜରୁରୀକାଳୀନ ଅଧିକାରୀ ରିଜୱାନା କଅକବ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


