ଜିଲାସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା):ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଶାକର୍ମୀ ଓ ଏଏନଏମଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜିଲାମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଲ ସେନ ଜଗଦ୍ଦେବ ପତାକା ଦେଖାଇ ଏହି ଶୋଭାଯାତ୍ରାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହିତ ବିଶ୍ୱ ଯକ୍ଷ୍ମା ଦିବସ ପାଳନର ଯଥାର୍ଥତା ସମ୍ପର୍କରେ ଆଲୋଚନା କରିଥିଲେ । ବୈଜ୍ଞାନିକ ରବର୍ଟ କଚ ଯକ୍ଷ୍ମା ଜୀବାଣୁ ଉଦ୍‌ଭାବନ କରିଥିବା ବେଳେ ସେହିଦିନ ଠାରୁ ସମଗ୍ର ବିଶ୍ୱରେ ମାର୍ଚ୍ଚ ୨୪ ତାରିଖକୁ ଯକ୍ଷ୍ମା ଦିବସ ଭାବେ ପାଳନ କରାଯାଉଛି ବୋଲି ସେ କହିଥିଲେ । ତେବେ ଔଷଧ ସେବନରେ ଯକ୍ଷ୍ମା ରୋଗ ଅନ୍ୟାୟସରେ ଦୂର ହୋଇ ପାରୁଥିଲେ ମଧ୍ୟ ରୋଗଗ୍ରସ୍ତ କିଛି ବ୍ୟକ୍ତି ଅନିୟମିତ ଔଷଧ ବ୍ୟବହାର ଏଥିରେ ଅନ୍ତରାୟ ହୋଇଛି ବୋଲି ସିଡିଏମଓ ଡାକ୍ତର ଜଗଦ୍ଦେବ କହିଥିଲେ । ତେବେ ଆସନ୍ତା ୨୦୨୫ ମସିହା ସୁଦ୍ଧା ଜିଲାରୁ ଯକ୍ଷ୍ମା ରୋଗର ମୂଳ ଉତ୍ପୋଟନର ଲକ୍ଷ୍ୟ ରଖାଯାଇଥିବା ବେଳେ ଏନେଇ ସବୁ ମହଲରୁ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ସିଡିଏମଓ ମତ ଦେଇଥିଲେ । ସମ୍ପ୍ରତି ମାଗଣା ଔଷଧ ସାଙ୍ଗକୁ ପଥ୍ୟ ବାବଦକୁ ଯକ୍ଷ୍ମାରୋଗୀଙ୍କୁ ସରକାରଙ୍କ ପକ୍ଷରୁ ମାସିକ ୫ଶହ ଟଙ୍କା ପ୍ରଦାନ କରାଯାଉଥିବା ବେଳେ ରୋଗୀ ପରିବାର ଟିକିଏ ଯତ୍ନବାନ ହେଲେ ସହଜରେ ଜଣେ ରୋଗମୁକ୍ତ ହୋଇ ପାରିବ ବୋଲି ଡାକ୍ତର ଜଗଦ୍ଦେବ ପ୍ରକାଶ କରିଥିଲେ । ଯକ୍ଷ୍ମା ରୋଗ ନିରାକରଣ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ବିଶ୍ୱରଞ୍ଜନ ନାୟକ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ୨୦୨୨ ମସିହାରେ ଜିଲ୍ଲା ଯକ୍ଷ୍ମା ବିଭାଗ ପକ୍ଷରୁ ମୋଟ ୬୯ ହଜାର ୮୭୩ ଜଣଙ୍କର କଫ ପରୀକ୍ଷା କରାଯାଇ ୨ହଜାର ୩୩୬ ଜଣ ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା । ତନ୍ମଧ୍ୟରୁ ଡଟ୍ସ ମାଧ୍ୟମରେ ଔଷଧ ଖାଇ ମୋଟ ୨ହଜାର ୧୫୬ ଜଣ ରୋଗମୁକ୍ତ ହୋଇଛନ୍ତି । ତେବେ କିଛିଦିନ ଖାଇବା ପରେ ଔଷଧ ବନ୍ଦ କରିଥିବା ୧୪୬ ଜଣଙ୍କ ମଧ୍ୟରୁ ୩୪ ଜଣଙ୍କର ମୃତ୍ୟୁ ହୋଇଥିବା ଶ୍ରୀ ନାୟକ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ର, ଜିଲା ଯକ୍ଷ୍ମା ଅଧିକାରୀ ଡାକ୍ତର ରଞ୍ଜନ କୁମାର ନାୟକ ଓ ଡିପିଏମ ଅନୀଲ କୁମାର ମହାନ୍ତି ଯୋଗଦେଇ ଯକ୍ଷ୍ମା ରୋଗର ଭୟାବହତା ଓ ନିରାକରଣର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ରମଣୀକାନ୍ତ ଭଞ୍ଜ, ଶରତ କୁମାର ଦାସମହାପାତ୍ର, ସୁଶାନ୍ତ ବେହେରା ଓ ଜିଲା ଯକ୍ଷ୍ମା କେନ୍ଦ୍ରର କର୍ମଚାରୀମାନେ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ