ଜିଲା ପରିଷଦ ପକ୍ଷରୁ ସମୀକ୍ଷା ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲା ପରିଷଦର ଏକ ସମୀକ୍ଷା ବୈଠକ ସଭାପତି ନାରାୟଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ମୁଖ୍ୟତଃ ଗ୍ରାମୀଣ ପାଇପ ଜଳ ଯୋଗାଣ ଓ ବିଦ୍ୟୁତ ବିତରଣ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଜିଲାର ଭୋଗରାଇ, ବସ୍ତା, ସଦର, ବାଲିଆପାଳ, ଜଳେଶ୍ୱର, ସୋର, ଖଇରା, ଔପଦା, ବାହାନଗା, ନୀଳଗିରି ଓ ରେମୁଣା ପ୍ରଭୃତି ବ୍ଲକରେ ବସୁଧା ଯୋଜନା, ମେଗା ପାନୀୟ ଜଳ ପ୍ରକଳ୍ପ, ରାଜୀବ ଜ୍ୟୋତି ଯୋଜନା, ବିଜୁ ଆଲୋକୀକରଣ ଯୋଜନା, ସୌଭାଗ୍ୟ -୧ ଓ ସୌଭାଗ୍ୟ -୨ ପ୍ରଭୃତି ଯୋଜନା ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଜିଲା ପରିଷଦ ସଦସ୍ୟମାନେ ଅଭିଯୋଗ କରିଥିଲେ । ବିଶେଷ କରି ବିଦ୍ୟୁତ ବିତରଣ ସଂସ୍ଥା ‘ଟିପିଏନଓଡିଏଲ’ର ଜୁଲମ କ୍ରମଶଃ ଅସହ୍ୟ ହୋଇଥିବା ନେଇ ସଦସ୍ୟମାନେ କମ୍ପାନୀର ଶୋଷଣ ନୀତିକୁ ଦୃଢ ନିନ୍ଦା କରିଥିଲେ । ହାତି କରିଡ଼ର ଆଳରେ ଜଳେଶ୍ୱର ବ୍ଲକର ବିଭିନ୍ନ ପଞ୍ଚାୟତରେ ଗତ କିଛି ମାସ ଧରି ସନ୍ଧ୍ୟା ଠାରୁ ସକାଳ ପର୍ଯ୍ୟନ୍ତ ଆଖି ବୁଜା ବିଦ୍ୟୁତ କାଟ ବ୍ୟବସ୍ଥାର ସମୀକ୍ଷା ପାଇଁ ସଦସ୍ୟମାନେ ଦାବି କରିଥିଲେ । ସେହିଭଳି ଜଳ ଯୋଗାଣ ପାଇଁ ଥିବା ଓଭର ହେଡ଼ ଟାଙ୍କିରୁ ବିଦ୍ୟୁତ କାଟ କରାଯିବା ଓ ମିଟର ଲଗାଇବାରେ ବିଳମ୍ବକୁ ନେଇ ସଦସ୍ୟମାନେ ଉଦବେଗ ପ୍ରକାଶ ସହ ପାନୀୟ ଜଳ ଯୋଗାଣ ପ୍ରକଳ୍ପରୁ ବିଦ୍ୟୁତ ବିଲ କମର୍ସିଆଲ ପରିବର୍ତ୍ତେ ଘରୋଇ ଦରରେ ଦେୟ ଧାର୍ଯ୍ୟ ପାଇଁ ସେମାନେ ଦାବି କରିଥିଲେ । ଏହା ସହିତ ଗ୍ରାମୀଣ ପାଇପ ପାଣି ଯେଗାଣ ପ୍ରକଳ୍ପରେ ଗୋଳିଆ ପାଣି ବାହାରିବା, ବିଦ୍ୟାଳୟଗୁଡିକରେ ପାନୀୟ ଜଳ ଅଭାବ, ଇଲେଭେନ କେଭି ବିଦ୍ୟୁତ ତାରଗୁଡିକୁ ବିଦ୍ୟାଳୟ ନିକଟରୁ ପ୍ରତ୍ୟହାର, ଦୁର୍ନୀତିଗ୍ରସ୍ତ ଠିକାଦାରଙ୍କ ଲାଇସେନ୍ସ ରଦ୍ଦ, କାର୍ଯ୍ୟାଦେଶ ମୁତାବକ ଉଚ୍ଚମାନର ନିର୍ମାଣ କାର୍ଯ୍ୟ ସମ୍ପାଦନ, ସମୁଦ୍ରକୂଳିଆ ଅଂଚଳରେ ମଧ୍‌ୁର ପାଣି ପାଇଁ ଅଧିକ ନଳକୂପ କିମ୍ବା ମେଗା ୱାଟର ପ୍ରକଳ୍ପ ଆରମ୍ଭ ନିମନ୍ତେ ଜିଲା ପରିଷଦ ସଦସ୍ୟ ଓ ସଦସ୍ୟାମାନେ ଦାବି କରିଥିଲେ । ବୈଠକରେ ଉପସ୍ଥିତ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଓ ଅଧିକାରୀମାନେ ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ଦେବା ସହ ତଥ୍ୟ ଉପସ୍ଥାପନ କରିଥିଲେ । ଜିଲା ପରିଷଦ ଉପାଧ୍ୟକ୍ଷା ଅନୁସୂୟା ପ୍ରଧାନ, ଜିଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରବୀନ୍ଦ୍ର କୁମାର ସାହୁ ଏବଂ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ସମୀର ଚନ୍ଦ୍ର ଦେ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ