ଜିଲା ସମନ୍ୱୟ ଓ ତଦାରଖ କମିଟି (ଦିସା) ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲା ସମନ୍ୱୟ ଓ ତଦାରଖ କମିଟି (ଦିସା) ବୈଠକ ସ୍ଥାନୀୟ ଜିଲା ପରିଷଦ ସଭାଗୃହରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏଥିରେ ଅଧ୍ୟକ୍ଷତା କରିବା ସହିତ ଜିଲାରେ କାର୍ଯ୍ୟକାରୀ ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ଆଲୋଚନା କରିଥିଲେ । ସଦର ବିଧାୟକ ସ୍ୱରୂପ କୁମାର ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ଷଡ଼ଙ୍ଗୀ, ଭୋଗରାଇ ବିଧାୟକ ଅନନ୍ତ ଦାସ, ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ପ୍ରମୁଖଙ୍କ ସମେତ ବିଭିନ୍ନ ବ୍ଲକର ଅଧ୍ୟକ୍ଷ ଅଧ୍ୟକ୍ଷା, ପୌରପାଳିକା ଅଧ୍ୟକ୍ଷ ଅଧ୍ୟକ୍ଷାମାନେ ଏଥିରେ ଯୋଗଦେଇ ବିଭିନ୍ନ ବିଭାଗର ଯୋଜନା କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ବିଶେଷ କରି ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା, ଜାତୀୟ ପାନୀୟ ଜଳ କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନା ସମେତ ସାଧାରଣ ସ୍ୱାସ୍ଥ୍ୟ, ଜଳସେଚନ, ପ୍ରାଣୀଧନ ବିକାଶ ଆଦି ଯୋଜନାର ସଫଳ କାର୍ଯ୍ୟକାରିତା ଉପରେ ଲୋକ ପ୍ରତିନିଧିମାନେ ଆଲୋଚନା କରିଥିଲେ । ତେବେ ପ୍ରଧାନମନ୍ତ୍ରୀ ଫସଲ ବୀମା ହିତାଧିକାରୀଙ୍କୁ ବୀମା କମ୍ପାନୀ ବାରମ୍ବାର ଠକି ଚାଲିଥିବା ନେଇ ବୈଠକରେ ବିଧାୟକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ପ୍ରତିବର୍ଷ ବନ୍ୟା ବାତ୍ୟାରେ ଚାଷ କ୍ଷୟକ୍ଷତି ହେଉଥିିଲେ ବି ଆଦୌ କ୍ଷତି ହୋଇନଥିବା ଦର୍ଶାଇ କମ୍ପାନୀ ଚାଷୀଙ୍କୁ ବୀମାଅର୍ଥରୁ ବଞ୍ଚିତ କରୁଥିବା ବୋଲି ସେମାନେ ଆରୋପ ଉଠାଇଥିଲେ । ସେହିଭଳି ଜଳସେଚନ ବିଭାଗ ପକ୍ଷରୁ ଜାରି ରହିଥିବା ସମୁଦ୍ର ତଟ ସୁରକ୍ଷା ପ୍ରଚୀର ଓ ନଦବନ୍ଧ ସୁଦୃଢ଼ୀକରଣ ପ୍ରକଳ୍ପ କାର୍ଯ୍ୟର ଗୁଣବତ୍ତାକୁ ନେଇ ବୈଠକରେ ସମସ୍ତେ ଉଦବେଗ ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ଚାନ୍ଦୁପୁରରୁ ତାଳପଦା ପର୍ଯ୍ୟନ୍ତ ସମୁଦ୍ର ତଟ ସୁରକ୍ଷା ଦିଗରେ ପ୍ରତିରକ୍ଷା ବିଭାଗ ଗୁରୁତ୍ୱ ଦେଉ ନଥିବା ବେଳେ ପ୍ରଶାସନ ପକ୍ଷରୁ ଉଚିତ ପଦକ୍ଷେପ ନେବାକୁ ବୈଠକରେ ଦାବି ହୋଇଥିଲା । ଏନେଇ ପ୍ରତିରକ୍ଷା ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ଜିଲାପାଳ କହିଥିଲେ । ତେବେ ଜିଲାରେ ବିଭିନ୍ନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ଗୁଣାତ୍ମକ ମାନ ବଜାୟ ରଖିବା ସହିତ ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ଶେଷ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଏହି ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲା ପରିଷଦ ନିର୍ବାହୀ ଅଧିକାରୀ ରବୀନ୍ଦ୍ର କୁମାର ସାହୁ ଏହି ବୈଠକରେ ବିବରଣୀ ପ୍ରଦାନ ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ବିଭାଗର ଅଧିକାରୀମାନେ ଏଥିରେ ଯୋଗଦେଇ ତଥ୍ୟ ଉପସ୍ଥାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ