ଜିଲା ସ୍ତରରେ ୮୮ ତମ ପୁଲିସ ପ୍ରତିଷ୍ଠା ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା):୮୮ତମ ପୁଲିସ ପ୍ରତିଷ୍ଠା ଦିବସ ସ୍ଥାନୀୟ ରିଜର୍ଭ ପୁଲିସ ପଡ଼ିଆରେ ଶନିବାର ପାଳିତ ହୋଇଯାଇଛି । ଜିଲା ପୁଲିସ ପକ୍ଷାରୁ ଆୟୋଜିତ ଉତ୍ସବରେ ପୂର୍ବାଞ୍ଚଳ ଜୋନ ପୁଲିସ ଆଇଜି ହିମାଂଶୁ ଲାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଭ୍ୟନ୍ତରୀଣ ଶୃଙ୍ଖଳା ରକ୍ଷାରେ ପୁଲିସର ଦାୟିତ୍ୱବୋଧତା ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ମାନବିକତା ପଅତି ଗୁରୁତ୍ୱ ଦେଇ କର୍ତ୍ତବ୍ୟ ସମ୍ପାଦନ ପାଇଁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରେରିତ ବାର୍ତ୍ତାକୁ ଆଇଜି ଶ୍ରୀ ଲାଲ ପାଠ କରିଥିଲେ । ଏଥି ସହିତ ରିଜର୍ଭ ପୁଲିସ ପକ୍ଷରୁ ଆୟୋଜିତ ସାମୂହିକ ପ୍ୟାରେଡ଼୍ ଅଭିବାଦନ ସେ ଗ୍ରହଣ କରିଥିଲେ । ବାଲେଶ୍ୱର ଏସପି ସାଗାରିକା ନାଥ ଏଥିରେ ପୌରୋହିତ୍ୟ କରିବା ସହିତ ପୁଲିସ ପ୍ରତିଷ୍ଠା ଦିବସ ପାଳନର ଯଥାର୍ଥତା ସମ୍ପର୍କରେ ସୂଚନା ଦେଇଥିଲେ । ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଆରକ୍ଷୀ ଉପ-ନିରୀକ୍ଷକ ମାନସ ରଞ୍ଜନ ବିଶ୍ୱାଳ, ଜୟଦେବ କସବା ପୁଲିସ ଫାଣ୍ଡି ସହ ଆରକ୍ଷୀ ଉପ-ନିରୀକ୍ଷକ ସୁଶାନ୍ତ କୁମାର ପଣ୍ଡା, ସଦର ହାବିଲଦାର ରଞ୍ଜନ କୁମାର ଦାସ, କନଷ୍ଟେବଳ ବୀରେନ୍ଦ୍ର ହାଁସଦା ଓ ସନ୍ତୋଷ କୁମାର ମହାନ୍ତି, ଡିସିଆରବି କନଷ୍ଟେବଳ ମାଳତି ପ୍ରଧାନ, ଟ୍ରାଫିକ ଥାନା କନଷ୍ଟେବଳ ହିମାଂଶୁ ଶେଖର ମହାନ୍ତି ପ୍ରମୁଖଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା । ଡିଏସପି କ୍ଷୀତିଶ କୁମାର ଜେନା କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ଆରଆଇ ବୀରେନ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସାମୂହିକ ପ୍ୟାରେଡ୍କୁ ସର୍ଜେଣ୍ଟ ରାଜୀବ ମାରାଣ୍ଡି ପରିଚାଳନା କରିଥିଲେ । ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅମରେଶ କୁମାର ପାଣିଗ୍ରାହୀ ଓ ଅନୀଲ କୁମାର ପ୍ରଧାନ, ଡିଏସପି ବ୍ରଜେଶ୍ୱରୀ ବଳ, ମାନସ କୁମାର ଦେଓ, ସିଟି ଡିଏସପି , ଗାୟତ୍ରୀ ପ୍ରଧାନ ଓ ସଦର ଏସଡିପିଓ ଡ. ଶଶାଙ୍କ ଶେଖର ବେହୁରା ପ୍ରମୁଖଙ୍କ ସମେତ ବିଭିନ୍ନ ଥାନାର ଅଧିକାରୀ ଓ ପୁଲିସ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।


