ଜିଲା ସଡ଼କ ସୁରକ୍ଷା କମିଟି ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା): ଜିଲା ସଡକ ସୁରକ୍ଷା କମିଟି ବୈଠକ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଆଞ୍ଚଳିକ ପରିବହନ ଅଧିକାରୀ ରଶ୍ମିରଞ୍ଜିତ ଦଳବେହେରା, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଳ ସେନ ଜଗଦ୍ଦେବଙ୍କ ସମେତ ପୁଲିସ ଅଧିକାରୀ, ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀ, ଜିଲା ସଡ଼କ ସୁରକ୍ଷା ସମିତିର ସଦସ୍ୟ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ବିଭିନ୍ନ ପରିବହନ ସଙ୍ଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ରହି ସଡ଼କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ବୈଠକର ଆବାହକ ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ରଶ୍ମି ରଞ୍ଜିତ ଦଳବେହେରାଙ୍କ ଦ୍ୱାରା ଗତ ମାସର ବୈଠକର ବିବରଣୀ ଉପସ୍ଥାପନ ସହ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ଏହି ବୈଠକରେ ସମୀକ୍ଷା କରାଯାଇଥିଲା । ଟ୍ରାଫିକ ନିୟମ ଶତପ୍ରତିଶତ ପାଳନ ସାଙ୍ଗକୁ ବାମପଦା ଛକଠାରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା କରିବା, ଆସନ୍ତା ସପ୍ତାହରୁ ବାଲେଶ୍ୱର ସହରରେ ପୂର୍ଣ୍ଣ ମାତ୍ରାରେ ସିସିଟିଭି ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିବା, ଜାତୀୟ ରାଜପଥ କର୍ତୃପକ୍ଷ ପୁଲିସକୁ ନିର୍ଦ୍ଧାରିତ ୫୦ଟି ବାରିକେଡ ଯୋଗାଇଦେବା, ସୋର ଅନନ୍ତପୁର ରାସ୍ତାରେ ଉପଯୁକ୍ତ ସାଇନେଜ ବ୍ୟବସ୍ଥା କରିବା, ଜିଲ୍ଲା ସଦର ମହକୁମାର ପ୍ରତି ସରକାରୀ ଅଫିସ ପ୍ରବେଶ ଦ୍ୱାରରେ “ହେଲମେଟ୍ ବିନା ପ୍ରବେଶ ନିଷେଧ” ବୋର୍ଡ ଲଗାଇବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ରେମୁଣା ଗୋଲେଇ ନିକଟସ୍ଥ ଜାତୀୟ ରାଜପଥର ଦୁଇପାଖରେ ଛିଡା ହୋଇ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ଟ୍ରକ ଓ ଅନ୍ୟ ଗାଡି ସବୁକୁ ଫୁଲାଡି ନିକଟରେ ପାର୍କିଂ କରାଯିବା ପାଇଁ ପ୍ରାୟ ୫ ଏକର ଜାଗା ଚିହ୍ନଟ ପ୍ରକ୍ରିୟା ସରିଥିବା ବେଳେ କମିଟି ରିପୋର୍ଟ ଆଧାରରେ ଖୁବ୍ ଶୀଘ୍ର ପରବର୍ତ୍ତୀ ପଦକ୍ଷେପ ନିଆଯାଇ ପାର୍କିଂ ବ୍ୟବସ୍ଥା କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ସେହିପରି ଜିଲାର ଦୁର୍ଘଟଣା ପ୍ରବଣ ସ୍ଥାନ ଅନୁଧ୍ୟାନ ପାଇଁ ରାଜ୍ୟ ପରିବହନ ପ୍ରାଧିକରଣଙ୍କ ଏକ ଉଚ୍ଚସ୍ତରୀୟ ଟିମ ଆସନ୍ତା ୧୪ତାରିଖ ଦିନ ବାଲେଶ୍ୱର ଆସିବାର କାର୍ଯ୍ୟକ୍ରମ ରହିଛି । ୨୦୨୧ ମସିହା ଜାନୁୟାରୀ ରୁ ଜୁଲାଇ ମଧ୍ୟରେ ପୁଲିସ ଥାନାମାନଙ୍କ ଦ୍ୱାରା ପ୍ରଦତ୍ତ ଦୁର୍ଘଟଣା ରିପୋର୍ଟ ଅନୁଯାୟୀ ସମୁଦାୟ ୨୩୮ଟି ଦୁର୍ଘଟଣା ଘଟିଛି ଏବଂ ଏହି ସମୟ ମଧ୍ୟରେ ୧୩୦ ଜୀବନହାନୀ ହୋଇଛି । ଦୁର୍ଘଟଣା ଓ ଜୀବନହାନୀ ହ୍ରାସ ପାଇଁ ସତର୍କତା ଅବଲମ୍ବନ ଓ ତତ୍ପରତାର ସହ କାର୍ଯ୍ୟପନ୍ଥା ଗ୍ରହଣ କରାଯିବା ନିମନ୍ତେ ଅତିରିକ୍ତ ଜିଲାପାଳ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ