ଜିଲ୍ଲାପାଳଙ୍କ ଆଉ ଏକ ପଦକ୍ଷେପ: ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବେ ଟିମ
ଛତ୍ରପୁର (ଓ୍ବାଇଏନ୍ଏସ୍) :କରୋନା ମୁକାବିଲା କରିବା କ୍ଷେତ୍ରରେ ଗଂଜାମ ଜିଲ୍ଲା ପ୍ରଶାସନ ସବୁ କ୍ଷେତ୍ରରେ ଆଗୁଆ ପଦକ୍ଷେପ ନେଇ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛି । ପୂର୍ବରୁ ଲକ୍ ଡ଼ାଉନ୍ , ସଟ୍ ଡାଉନ୍, ୧୪୪ ଧାରା ଜାରି, ମାସ୍କ ପରିଧାନ ଆଦି କ୍ଷେତ୍ରରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରଥମ ପଦକ୍ଷେପ ନେଇଥିଲେ । ଯାହାକୁ କି ଏବେ ଅନ୍ୟ ଜିଲ୍ଲା ଗୁଡ଼ିକ ଅନୁସରଣ କରୁଛନ୍ତି । ଏବେ ଆଉ ଏକ ପଦକ୍ଷେପ ନେଇଛନ୍ତି ଜିଲ୍ଲାପାଳ । ଜିଲ୍ଲାର ସମସ୍ତ ଘରକୁ ଘର ବୁଲି ଏକ ଟିମ୍ ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବେ ଓ କରୋନା ଜନିତ ଲକ୍ଷ୍ୟଣ ପରିଲକ୍ଷିତ ହୁଏ ତାହା ହେଲେ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇ ତାଙ୍କର ଚିକିତ୍ସା ପାଇଁ ପଦକ୍ଷେପ ନେବେ । ଏହି ଟିମ୍ ରେ ଜଣେ ଶିକ୍ଷକ, ଅଙ୍ଗନବାଡ଼ି କର୍ମୀ ଓ ହେଲପର୍ ରହିବେ । ଏନେଇ ଆଜି ଛତ୍ରପୁରରେ ଜିଲ୍ଲାପାଳ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ସହ ଭିଡ଼ିଓ କନଫେରେନସିଂ ଜରିଆରେ ଆଲୋଚନା କରିଛନ୍ତି ।
କରୋନା ସଂକ୍ରମଣ ଆଶଙ୍କାକୁ ପ୍ରତିହତ କରିବାପାଇଁ ଗଞ୍ଜାମ ଜିଲ୍ଲାରେ ପ୍ରତ୍ୟେକ ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ ଯାଂଚ୍ କରାଯିବ । ଏଥି୍ପାଇଁ ପ୍ରତ୍ୟେକ ଗ୍ରାମରେ ଓ ସହରାଞ୍ଚଳର ପ୍ରତ୍ୟେକ ସାହିରେ ନିର୍ଦ୍ଦିଷ୍ଟ ଟିମ୍ ଘରଘର ବୁଲି ଖବର ସଂଗ୍ରହ କରିବେ । ସ୍ଥାନୀୟ ଅଙ୍ଗନଓ୍ବାଡି କର୍ମୀ, ଆଶାକର୍ମୀ, ନିକଟସ୍ଥ ବିଦ୍ୟାଳୟର ଶିକ୍ଷକ ଓ ସ୍ଥାନୀୟ ସ୍ବାସ୍ଥ୍ୟ ସୁପରଭାଇଜରଙ୍କୁ ନେଇ ଟିମ୍ ଗଠନ କରାଯିବ । ନିର୍ଦ୍ଦିଷ୍ଟ ଫର୍ମ ରେ ଉକ୍ତ ପରିବାରର ସଦସ୍ୟଙ୍କ ନାମ, ଟେଲିଫୋନ୍ ନମ୍ବର ଏବଂ ଯଦିକିଛି ସ୍ବାସ୍ଥ୍ୟଗତ ସମସ୍ୟାରେ ପୀଡିତ ଅଛନ୍ତି ତାହା ଉଲ୍ଲେଖ ରହିବ । ପରିବାର ସଦସ୍ୟଙ୍କ ବିଭିନ୍ନ ସ୍ଥାନକୁ ଗନ୍ତବ୍ୟ ତଥ୍ୟ ସଂଗ୍ରହ କରାଯିବ । ଥଣ୍ଡା, କାଶ ଏବଂ ଜ୍ବରକୁ ପ୍ରାଧାନ୍ୟ ଦିଆଯିବ । ଡାକ୍ତରୀ ଦଳ ଏହି ପୀଡିତ ମାନଙ୍କୁ ଅଧିକତର ପରୀକ୍ଷା କରିବେ ଫଳରେ କରୋନାର ଯଦିକିଛି ସୁପ୍ତ ବାହକ ଥାଏ ତାହା ନିର୍ଦ୍ଦିଷ୍ଟ ଭାବେ ଜଣା ପଡିଯିବ । ଜିଲ୍ଲା ପ୍ରଶାସନ ନିର୍ଦ୍ଦିଷ୍ଟ ଫର୍ମ ପ୍ରଦାନ କରିବ । ତିନି ଦିନ ମଧ୍ୟରେ ଏହି ଯାଂଚ୍ କାର୍ୟ୍ୟ ସମ୍ପୂର୍ଣ୍ଣ କରିବାପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । କରୋନା
କରୋନା ମୃତକ ମାନଙ୍କର ଦାହ ଓ ସଂସ୍କାର ପାଇଁ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ତାଲିମ୍ ଦିଆଯିବ । ଲକ୍ ଡାଉନ୍ ପରେ ବାହାରୁ କେତେ ଲୋକ ଜିଲ୍ଲାକୁ ଫେରିବେ ତାର ନିର୍ଦ୍ଦିଷ୍ଟ ତାଲିକା ବିଡିଓ ପ୍ରଦାନ କରିବେ । ଚୋରା ମଦ କାରବାର ଉପରେ ନଜର ରଖିବାପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ସବୁ ସ୍ଥାନରେ ରନ୍ଧା ଖାଦ୍ୟ ଦିଆଯାଉଛି ତାର ସମ୍ପୂର୍ଣ୍ଣ ତାଲିକା ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିବାପାଇଁ କୁହାଯାଇଛି । ଅଧିକାରୀ ମାନେ ଗସ୍ତ ସମୟରେ କିଛି ଖାଦ୍ୟ ପଦାର୍ଥ ଗାଡିରେ ମହଯୁଦ୍ ରଖିବେ . ଫଳରେ ହଠାତ୍ କୌଣସି ନିରାଶ୍ରୟ ବ୍ୟକ୍ତିଙ୍କୁ ତାହା ପ୍ରଦାନ କରିହେବ । ଯେଉଁ ମାନେ ସହାୟତା ଦେବାକୁ ଚାହୁଁଛନ୍ତି ସେମାନେ ଜିଲ୍ଲା କରୋନା ସେଲ୍ ରେ ତାହା ପ୍ରଦାନ କରିପାରିବେ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି . । ଛୋଟ ପିଲା କିମ୍ବା ବୟସ୍କ ବ୍ୟକ୍ତି ଆଦୌଁ ବାହାରକୁ ନ ବାହାରିବା ପାଇଁ କୁହାଯାଇଛି । ମୁହଁ କୁ ଆବୃତ୍ତ କରି ନ ରଖିଲେ ଯେ କୌଣସି ବ୍ୟକ୍ତି ଜୋରିମାନାର ସମ୍ମୁଖିନ ହେବେ ବୋଲି ଜିଲ୍ଲାପାଳ ସୂଚାଇ ଦେଇଛନ୍ତି ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ ଓ ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପ ଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରୟ ଭାଉସାହେବ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଉମା ଶଙ୍କର ମିଶ୍ର , ଗଞ୍ଜାମ ଆରଟିଓ ସଞ୍ଜୟ କୁମାର ବିଶ୍ୱାଳ, ଜିଲ୍ଲା ଯୋଗାଣ ଅଧିକାରୀ ବିଷ୍ଣୁପ୍ରସାଦ ସୁପ୍ରକାର, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶରତ କୁମାର ପାତ୍ର, ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ମନୋରମା ରେଡ୍ଡି, ଜିଲ୍ଲା ମଙ୍ଗଳ ଅଧିକାରୀ ପରିକ୍ଷିତ ଦାଶଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।