ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମୋହନାରେ ପହଞ୍ଚିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଦିନକୁ ଦିନ ମୋହନା ସହରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଏହାର ତୁରନ୍ତ ପ୍ରତିକାର ପାଇଁ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ପ୍ରଦୀପ କୁମାର ପାତ୍ର, ଜିଲ୍ଲା ପବ୍ଲିକ୍ ହେଲଥ୍ ଅଫିସର ଡ. ମୁବାରକ ଅଲ୍ଲି , ଜିଲ୍ଲା ମଶା ବାହିତ ପରାମର୍ଶ ଦାତା ଶିଦ୍ଧାର୍ଥ ଶଙ୍କର ଦାଶ ମୋହନାରେ ପହଞ୍ଚିଥିଲେ। ସ୍ଥାନୀୟ ଗୋଷି ଉନ୍ନୟନ ଅଧିକାରୀ ତପସ୍ଵିନୀ ହାଁସଦା, ମୋହନା ସରପଞ୍ଚ ସୁନିତା ମଳିକ, ସମିତିସଭ୍ୟ ବାଳକୃଷ୍ଣ ମଳିକ, ଡ. ଅଲ୍ଲି ,ପରାମର୍ଶଦାତା ଦାଶଙ୍କ ସମେତ ଏମକେସିଜି ଯୁବକ ସଂଘ କର୍ମକର୍ତ୍ତା, ସାମ୍ବାଦିକମାନେ ମିଳିତ ଭାବେ ଅଧିକାରୀ ମାନଙ୍କ ନିକଟରେ ଡ୍ରେନେଜ ଓ ରାସ୍ତାଘାଟର ଶୋଚନୀୟ ଅବସ୍ଥା ଏବଂ ଡ଼େଙ୍ଗୁ ବ୍ୟାପିବାର ମୁଖ୍ୟ ସମସ୍ୟା ସଂପର୍କରେ ଅବଗତ କରାଇବା ପରେ ଏହାରି ଉପରେ ଅଧିକାରୀ ମାନେ ଆଲୋଚନା କରିଥିଲେ। ସମସ୍ତ ଅଧିକାରୀ , ଆଶା କର୍ମି, ଅଙ୍ଗନାବାଡି କର୍ମୀ, ଯୁବକ ସଂଘ କର୍ମକର୍ତ୍ତା ଓ ସାମ୍ବାଦିକ ବନ୍ଧୁମାନେ ଜଗନ୍ନାଥ ମନ୍ଦିର ସାହି, ପାତ୍ର ସାହି, ଖ୍ରୀଷ୍ଟିଆନ ସାହି, ମାଣିକେଶ୍ଵରୀ ସାହି, ବଜାର, ନାରାୟଣ ନଗର, ଥାନା ପରିସର, ସ୍ୱାସ୍ଥ୍ୟକେନ୍ଦ୍ର ପରିସର ବୁଲି ଦେଖିବା ସହ ପ୍ଳାଷ୍ଟିକ ଡ୍ରମ , ଟ୍ରାକ୍ଟର ଟାୟାର,ବକେଟରେ କିଛି ଦିନ ହେଲା ଜମିରହିଥିବା ପାଣିକୁ ବାହାରେ ଢ଼ାଳି ଥିଲେ।ଡ଼େଙ୍ଗୁ ମଶାର ଉତ୍ପତ୍ତି ସଂପର୍କରେ ଲୋକଙ୍କୁ ଅବଗତ କରାଇଥିଲେ।ଏହାପରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ପରାମର୍ଶ ଦାତା,ବିଡିଓ, ପବ୍ଲିକ୍ ହେଲଥ୍ ଅଫିସର , ସମିତି ସଭ୍ୟ, ଡାକ୍ତରବୃନ୍ଦ, ସାମ୍ବାଦିକ,ଯୁବକ ସଂଘ ସମ୍ପାଦକଙ୍କ ଉପସ୍ଥିତିରେ ଯୁଦ୍ଧକାଳୀନ ଭିତ୍ତିରେ ଡ଼େଙ୍ଗୁ ନିରାକରଣ ନିମନ୍ତେ ପ୍ରତ୍ୟେକ ସାହିରେ ଆବର୍ଜନା କୁଣ୍ତ ରଖିବା, ଡମ୍ପିଗୃହ ନିର୍ମାଣ, ଡ୍ରେନ ମରାମତି, ବିଭିନ୍ନ ସ୍ଥାନରେ ଜମି ରହିଥିବା ଅଳିଆ ଆବର୍ଜ୍ଜନା ସଫା କରିବା, ଜରୁରୀକାଳୀନ ଚିକିତ୍ସା ପାଇଁ ୨୪ଘଣ୍ଟିଆ ସେବା ଯୋଗାଇବା, ପ୍ରତ୍ୟେକ ସାହିରେ ଅଧିକାରୀମାନଙ୍କ ଉପସ୍ଥିତିରେ ସଭା କରି ଲୋକଙ୍କୁ ସଚେତନ କରାଯିବା, ଡାକ୍ତର ଉପସ୍ଥିତ ରହିବା, ଲୋକଙ୍କୁ ଡାକବାଜି ଯନ୍ତ୍ର ଓ ପ୍ରଚାରପତ୍ର ମାଧ୍ୟମରେ ସଚେତନ କରାଇବା ଉପରେ ଆଲୋଚନା କରାଯାଇଥିଲା। ସୂଚନାଯୋଗ୍ୟ ଜିଲ୍ଲାପାଳ ଶ୍ରୀ ପଣ୍ଡାଙ୍କ ତ୍ଵରିତ ପଦକ୍ଷେପ ଯୋଗୁଁ ୨ଦିନ ହେଲା ମୋହନାର ପ୍ରତ୍ୟେକ ସାହିରେ ବ୍ଳିଚିଙ୍ଗ ପାଉଡର ଓ ମଶା ନିପାତ ପାଇଁ ସ୍ପେ ଛିଞ୍ଚନ କାର୍ଯ୍ୟ ଚାଲୁ ରହିଛି। ଡାକବାଜି ଯନ୍ତ୍ର ଦ୍ୱାରା ସମସ୍ତ ସାହିର ଲୋକଙ୍କୁ ସଚେତନ କରାଯାଉଛି।


