ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ବେଖାତିର କରି ଅମାନିଆ ସାଜିଛନ୍ତି ତହସିଲଦାର; ତଦନ୍ତ ଦାବୀ 

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରେ ଆଜି ବି ଗଞ୍ଜାମ ଫେରନ୍ତାଙ୍କୁ ନେଇ କଟକଣା ଜାରି ରହିଛି ।  ଆଉ ଜିଲ୍ଲାର ସମସ୍ତ ସୀମାରେ ନାକା ଚେକପୋଷ୍ଟ କରାଯାଇ ପ୍ରବେଶ ଓ ପ୍ରସ୍ତାନ ଦିଗରେ କଡ଼ା ନଜର ରଖିବା ସହ ଅନୁମତି ନଥିବାକୁ ଜିଲ୍ଲା ମଧ୍ୟକୁ ପ୍ରବେଶ ଅଥବା ଜିଲ୍ଲାରୁ ପ୍ରସ୍ତାନ କରାଇ ଦିଆଯାଉନାହିଁ। ଆଉ ଏହାରି ମଧ୍ୟରେ ଦାରିଙ୍ଗବାଡି ତହସିଲଦାର ପୁଣି ସମସ୍ତ ନିୟମକୁ ଫୁ କରି ଦେଇ ଦିନ ଦ୍ୱିପ୍ରହରରେ ସରକାରୀ ଗାଡି ଧରି ଗଞ୍ଜାମ ଯାଇ ସେଠି ୫ ଦିନ ରହି ଫେରିଥିବା ବେଳେ ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କନ୍ଧମାଳ ଜିଲ୍ଲାପାଳ ଡି. ବୃନ୍ଦା ଡି ଗତ ଜୁଲାଇ ୮ ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ, ବିନା ଅନୁମତିରେ କୌଣସି ବ୍ୟକ୍ତି ଜିଲ୍ଲା ବାହାରକୁ ଯାଇପାରିବେ ନାହିଁ । ଯଦି କେହି ଯାଆନ୍ତି ତେବେ ଅନୁମତି ପତ୍ର ନେବାକୁ ପଡିବ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଆଉ ଏହାସହ ଫେରିଲା ପରେ ସେହି ବ୍ୟକ୍ତି ସରକାରୀ ନିୟମ ମୁତାବକ କ୍ୱାରେଣ୍ଟାଇନ ସେଣ୍ଟରରେ ରହିବାକୁ ବାଧ୍ୟ ବୋଲି ଜିଲ୍ଲାପାଳଙ୍କ ଚିଠିରେ ଉଲ୍ଲେଖ ରହିଛି । ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶକୁ ବାରମ୍ବାର ଏବେ ଦାରିଙ୍ଗବାଡି ତହସିଲଦାର ନୀତିଶ କୁମାର ତ୍ରିପାଠୀ ଅବମାନନା କରିଥିବା ନେଇ ଆଲୋଚନାର ଜୋର ଧରିଛି । ମିଳିଥିବା ସୂଚନା ମୁତାବକ, ଗତ ୧୯ ତାରିଖ ବୁଧବାର ଦିନ ଅପରାହ୍ନରେ ଦାରିଙ୍ଗବାଡି ତହସିଲଦାର କନ୍ଧମାଳ ଗଞ୍ଜାମ ସୀମାନ୍ତରେ ରହିଥିବା ବାଇମେଲା ଚେକପୋଷ୍ଟକୁ ଅତିକ୍ରମ କରି ଗଞ୍ଜାମ ଜିଲ୍ଲାକୁ ଯାଇ ସେଠି ୫ ଦିନ ବିତାଇବା ପରେ ୨୩ ତାରିଖ ରବିବାର ରାତିରେ ସେ ଦାରିଙ୍ଗବାଡି ଫେରିଥିବା ନେଇ ସୂଚନା ରହିଛି। ବାଇମେଲା ଚେକପୋଷ୍ଟ ଅତିକ୍ରମ କରି ଯାଉଥିବା ସମସ୍ତ ଗାଡ଼ିର ପ୍ରବେଶ ଓ ପ୍ରସ୍ତାନ ସୂଚି ସେଠାକାର ଦାୟିତ୍ୱରେ ଥିବା କର୍ମଚାରୀ ରେଜିଷ୍ଟରରେ ଲେଖି ରଖୁଛନ୍ତି । ଆଉ ଦାରିଙ୍ଗବାଡି ତହସିଲଦାର ଏହି ଚେକପୋଷ୍ଟ ଅତିକ୍ରମ କରି ଯିବା ଏବଂ ଆସିବାର ରେଜିଷ୍ଟରରେ ଲେଖା ମଧ୍ୟ ଯାଇଛି । ହେଲେ ଗତ ୧୯ ତାରିଖରେ ତହସିଲଦାର ଚେକପୋଷ୍ଟ ଅତିକ୍ରମ କରି ଯାଇଥିବା ରେଜିଷ୍ଟରକୁ ପରବର୍ତ୍ତୀ ସମୟରେ ତହସିଲ ପକ୍ଷରୁ ବଦଳାଇ ଦେଇ ନୂଆ ରେଜିଷ୍ଟର ଚେକପୋଷ୍ଟରେ ଦିଆଯାଇଛି।ଯାହାରିଫଳରେ ପୂର୍ବ ରେଜିଷ୍ଟରରେ ତହସିଲଦାରଙ୍କ ଯିବା ସମୟ ଓ ତାରିଖ ଲେଖା ଯାଇଥିବା ବେଳେ ଏବେ ନୂଆଁ ରେଜିଷ୍ଟରରେ ଆସିବା ସମୟ ଓ ତାରିଖ ଲେଖା ଯାଇଛି ବୋଲି ଦାୟିତ୍ୱରେ ଥିବା ଜଣେ କର୍ମଚାରୀ କହିଛନ୍ତି । ଏନେଇ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ପରେ ଏହାର ସ୍ପଷ୍ଟୀକରଣ ନିମନ୍ତେ ତହସିଲଦାର ନୀତିଶ କୁମାର ତ୍ରିପାଠୀଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରିଥିଲୁ । ହେଲେ ତହସିଲଦାର ଫୋନ ଉଠାଇ ନଥିବା ବେଳେ ପରବର୍ତ୍ତୀ ସମୟରେ ନମ୍ବରକୁ ବ୍ଲାକ ଲିଷ୍ଟ କରି ଦେଇଛନ୍ତି । ଏବେ ଚର୍ଚ୍ଚା ଜୋର ଧରିଛି ତହସିଲଦାର ଜିଲ୍ଲା ପ୍ରଶାସନର ଅନୁମତିରେ ରେଡ ଜୋନ ଜିଲ୍ଲାକୁ ଯାଇଥିଲେ ନା ବିନା ଅନୁମତିରେ ଯାଇଥିଲେ , ସେନେଇ ତଦନ୍ତ ଚାଲିଛି । ଆଉ ବିଗତ ଦିନରେ ଜଣେ କିରାଣୀ ଜିଲ୍ଲା ବାହାରକୁ ଯାଇ ନିଲମ୍ବିତ ହୋଇଥିବା ବେଳେ ଶିକ୍ଷା ବିଭାଗର ଜଣେ ବ୍ଲକ ଶିକ୍ଷାଧିକାରୀ ଓ ଜଣେ କର୍ମଚାରୀ ୧୪ ଦିନ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ । ହେଲେ ଦାରିଙ୍ଗବାଡି ତହସିଲଦାରଙ୍କ ପକ୍ଷେ ଏହି କଟକଣା ଓ ନିୟମ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରୁନଥିବା ବେଳେ ବାରମ୍ବାର ତହସିଲଦାର ଗଞ୍ଜାମ ଯାଇ ସେଠି ରହି ପରବର୍ତ୍ତୀ ସମୟରେ ଫେରୁଛନ୍ତି। ଗତ ଜୁଲାଇ ୨୩ ତାରିଖ ଦିନ ମଧ୍ୟ ତହସିଲଦାର ଜଣକ ବାଇମାଲା ଚେକପୋଷ୍ଟ ଅତିକ୍ରମ କରି ଗଞ୍ଜାମ ଜିଲ୍ଲାରେ ୨୪ ଘଣ୍ଟା ବିତାଇ ତା’ପର ଦିନ ଶୁକ୍ରବାର ଦାରିଙ୍ଗବାଡି ଫେରିଥିଲେ । ଅଭିଯୋଗ ସତ୍ୱେ ଜିଲ୍ଲାପ୍ରଶାସନ ଏଦିଗରେ କୌଣସି କାର୍ଯ୍ୟାନୁଷ୍ଠାନଗ୍ରହଣ କରିନଥିବା ବେଳେ ପୁଣି ତହସିଲଦାର ଜଣକ ଗଞ୍ଜାମ ଜିଲ୍ଲାକୁ ଯାଇ ସେଠି ୫ ଦିନ ରହି ଫେରିଛନ୍ତି । କନ୍ଧମାଳ ଜିଲ୍ଲାପାଳଙ୍କ ଦ୍ୱାରା ଲାଗୁ ହୋଇଥିବା କୋରୋନା କଟକଣା ଭିତ୍ତିକ ନିୟମ ଜିଲ୍ଲାର ସମସ୍ତ କର୍ମଚାରୀ, ଅଧିକାରୀ ଓ ଜନସାଧାରଣଙ୍କ ଉପରେ ଲାଗୁ ହେଉଥିବା ବେଳେ ଦାରିଙ୍ଗବାଡି ତହସିଲଦାରଙ୍କ ପକ୍ଷେ ଏହି ନିୟମ କାହିଁକି ଲାଗୁ ହେଉନାହିଁ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ପ୍ରଶ୍ନ ଉଠିଛି । ସାଧାରଣ ଲୋକଟେ ଜରୁରୀ କାଳୀନ ପରିସ୍ଥିତିରେ ମଧ୍ୟ ଜିଲ୍ଲା ବାହାରକୁ ଯାଇପାରୁନଥିବା ବେଳେ ଏନେଇ ଆବଶ୍ୟକ ସ୍ଥଳେ ଅନେକ ପ୍ରଚେଷ୍ଟା ସତ୍ତ୍ୱେ ପ୍ରଶାସନ ପକ୍ଷରୁ ଜିଲ୍ଲା ବାହାରକୁ ଯିବା ପାଇଁ ଅନୁମତି ମିଳିପାରୁନାହିଁ। ଆଉ ଯେଉଁମାନେ ଜିଲ୍ଲା ବାହାରକୁ ଯାଇ ଫେରୁଛନ୍ତି ସେମାନେ ନିଜ ଆଡ଼ୁ ଯାଇ କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଛନ୍ତି । ଆଉ ଜିଲ୍ଲାରେ କରୋନା ଯୋଦ୍ଧା ସାଜିଥିବା ପୋଲିସ, ଡାକ୍ତର, ସ୍ଵାସ୍ଥ୍ୟ କର୍ମୀ,ତହସିଲ, ଓ ବ୍ଲକ କାର୍ଯ୍ୟାଳୟର ଅନେକ ଅଧିକାରୀ ଓ କର୍ମଚାରୀ କରୋନା ଆକ୍ରାନ୍ତ ହେଉଥିବାରୁ ଜିଲ୍ଲା ପ୍ରଶାସନ ଲାଗି ଏହା ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ଜିଲ୍ଲାରେ ସୋମବାର ୩୪ ନୂଆଁ ସଂକ୍ରମିତ ଚିହ୍ନଟ ହେବା ପରେ ସଂକ୍ରମିତଙ୍କ ସଂଖ୍ୟା ୧୮୭୦ରେ ପହଞ୍ଚିଛି । ଆଉ କରୋନା ଟ୍ରାକ ଏବେ କନ୍ଧମାଳ ଜିଲ୍ଲାରେ ବଢ଼ି ଦୁଇ ହଜାର ଅତିକ୍ରମ କରିପାରେ ବୋଲି ଅନୁମାନ କରାଯାଉଛି   ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ