ଜିଲ୍ଲାପାଳଙ୍କ ପଚାୟତ ସ୍ୱାସ୍ଥ୍ୟ ଶିବିର ପରିଦର୍ଶନ
ହିଞ୍ଜିଳିକାଟୁ (ଶେଷଦେବ ସାହୁ): ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିବା କରୋନାକୁ ନେଇ ସାରା ବିଶ୍ୱବାସୀ ଚିନ୍ତିତ । କରୋନା ସଂକମଣରୁ ଦୂରେଇ ରହିବା ପାଇଁ କେବଳ ଜନସଚେତନତା ଏକମାତ୍ର ପନ୍ଥା ରହିଥିବା ବେଳେ ଜନସାଧାରଣଙ୍କୁ ସଚେତନ କରାଇବା ସହ ଏହାର ମୁକାବିଲା କରିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୋମବାର ହିଂଜିଳି ଗ୍ରସ୍ତ କରି ବିଭିନ୍ନ ପଂଚାୟତକୁ ଯାଇ କରୋନା ସଚେତନା କିପରି କରାଯାଉଛି ଏବଂ ପ୍ରତ୍ୟେକ ପଂଚାୟତରେ ହୋଇଥିବା ସ୍ୱାସ୍ଥ୍ୟ ଶିବିର କିପରି କାର୍ଯ୍ୟକାରୀ ହେଉଛି ବୁଲି ଦେଖିଥିଲେ । ଜିଲ୍ଲାପାଳ କୁଲାଙ୍ଗେ ହିଂଜିଳି ବ୍ଳକ କାର୍ଯ୍ୟାଳୟକୁ ଆସି କରୋନା ସଚେତନତା ନେଇ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ପରେ ପୋଚିଲିମା, ସାରୁ, କଂଚୁରୁ, ଶାସନ ଆମ୍ବଗାଁ, ଦୁର୍ବନ୍ଧ, ଦାରୁଭଦ୍ରା ନନ୍ଦିକ ପଂଚାୟତକୁ ଯାଇ ସେଠାରେ ଆରୟୋଜିତ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ପରିଦର୍ଶନ କରିଥିଲେ । ସ୍ୱାସ୍ଥ୍ୟ ଶିବିର ଗୁଡ଼ିକରେ ଅସ୍ଥାୟୀ ପାଇଖାନା ନିର୍ମାଣ କରିବା ପାଇଁ ପରାମର୍ଶ ଦେବା ସହ ବିଦ୍ୟୁତ ବିଛିନ୍ନରୁ ରକ୍ଷା ପାଇବା ପାଇଁ ଶିବିର ସ୍ଥଳରେ ଜେନେରେଟର ମହଜୁଦ ରଖିବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳଙ୍କ ଗ୍ରସ୍ତ ସମୟରେ ବିଡ଼ିଓ ପ୍ରସନ କୁମାର ପାତ୍ର, ତହସିଲଦାର ଗୋପିନାଥ କୁଅଁର, ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ଗ୍ରାମ୍ୟ ଓ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ପ୍ରସନ କୁମାର ଦଳାଇଙ୍କ ସମେତ ସଂପୃକ୍ତ ଗ୍ରାମ ପଂଚାୟତର ସରଂପଚ, ସମିତିସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।