ଜିଲ୍ଲାପାଳଙ୍କ ବିରୋଧରେ କଂଗ୍ରେସର କାର୍ଯ୍ୟାନୁଷ୍ଠାନ ଦାବି

ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ଜିଲାରେ ସ୍ୱତନ୍ତ୍ର ସ୍ମଗଲିଂ ସିଣ୍ଡିକେଟ ସହାୟତାରେ ବଭିନ୍ନ ନଦୀରୁ ମାଫିଆମାନେ ଶହ ଶହ କୋଟି ଟଙ୍କାର ବାଲିକୁ ବିକ୍ରି କରି ଚାଲିଛନ୍ତି ବୋଲି ଅଭିଯୋଗ ଆଣିଛି କଂଗ୍ରେସ । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସ ମିଡିଆ ସେଲ ଆବାହକ ସତ୍ୟ ପ୍ରକାଶ ନାୟକ ଯୋଗଦେଇ ବେଆଇନ ବାଲି ଉତ୍ତୋଳନ ଓ ଚୋଚାଲାଣ ସିଣ୍ଡକେଟରେ ପ୍ରଶାସନର ପ୍ରଚ୍ଛନ ହାତ ଅଛି ବୋଲି ଆରୋପ କରିଛନ୍ତି । ବାଲି ଚୋରା ଚାଲାଣରୁ ହେଉଥିବା ଆୟର ସିଂହଭାଗ ବିଜେଡିର ଦଳୀୟ ପାଣ୍ଠିକୁ ଯାଉଛି ବୋଲି ସେ କହିଛନ୍ତି । ଖାସ ସେଇଥି ପାଇଁ ଏନଜିଟିକୁ ସର୍ଭେ ରିପୋର୍ଟ ପ୍ରଦାନ ବେଳେ ବାଲେଶ୍ୱର ଜିଲାପାଳ କୌଣସି ବିଭାଗୀୟ ଅଧିକାରୀଙ୍କ ସହ ଯୋଗା ଯୋଗ କରି ନଥିଲେ । ଜନୈକ ଘରୋଇ ପରାମର୍ଶଦାତା ସଂସ୍ଥାଙ୍କ ତିଆରି ରିପୋର୍ଟକୁ ସେ ଏନଜିଟିକୁ ପ୍ରଦାନ କରିଛନ୍ତି । ଉଲେଖନୀୟ ବିଷୟ ହେଲା ସରକାରୀ ନିୟମ ଅନୁସାରେ ଜିଲାସ୍ତରୀୟ କମିଟିର ସଦସ୍ୟ ଥିବା ଜଳସମ୍ପଦ ବିଭାଗ, ରାଜସ୍ୱ ବିଭାଗ ଏମିତିକି ପ୍ରଦୂଷଣ ବିଭାଗୀୟ ଅଧିକାରୀଙ୍କ ସହ ବିଚାର ବିମର୍ଷ କରି ରିପୋର୍ଟ ପ୍ରଦାନ କରିବା କଥା । ମାତ୍ର ଜିଲାପାଳ କୌଣସି ବିଭାଗ ସହ ସମନ୍ୱୟ ନ ରଖି ମାଫିଆମାନଙ୍କୁ ସୁହାଇଲା ଭଳି ରିପୋର୍ଟ ପ୍ରଦାନ ସହ ବିଭିନ୍ନ ନଦୀର ବାଲି ସୈରାତକୁ ନିଲାମ ଦେଇଥିବା ଶ୍ରୀ ନାୟକ ଅଭିଯୋଗ ଉଠାଇଛନ୍ତି । ଏମିତିକି ନିଲାମ ପାଇଥିବା ବ୍ୟକ୍ତି ଓ ମାଫିଆମାନେ ଦୈନିକ ଧାର୍ଯ୍ୟ ପରିମାଣର ବାଲି ପରିବର୍ତ୍ତେ ଶହେଗୁଣ ଉତ୍ତୋଳନ ସହ ବାହାରକୁ ଚାଲାଣ କରି ଚାଲିଛନ୍ତି । ରାଜ୍ୟର ମୁଖ୍ୟ ଖଣିଜ ପଦାର୍ଥ ଉପରେ କେନ୍ଦ୍ରର କଟକଣା ଲାଗିବା ପରେ ରାଜ୍ୟ ସରକାର ଏବେ ବାଲି, ମାଟି, ମୋରମ ଓ ପଥର ଆଦି ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏହା ଦଳୀୟପାଣ୍ଠି ବୃଦ୍ଧିରେ ସହାୟକ ହୋଇଛି । ସେଇଥି ପାଇଁ ଦୀର୍ଘଦିନ ପରେ ବି ଜଣେ ହେଲେ ବାଲି ମାଫିଆଙ୍କୁ ଗିରଫ କରାଯାଇ ନାହିଁ କିମ୍ବା ବେଆଇନ ବାଲି ଉତ୍ତୋଳନ କରୁଥିବା ମେସିନ, ଚାଲାଣ କରୁଥିବା ଟ୍ରକ ପ୍ରଭୃତିକୁ ଜବତ ପାଇଁ ଜିଲାପାଳ ନିର୍ଦ୍ଦେଶ ଜାରି କରିନଥିବା ଶ୍ରୀ ନାୟକ କହିଛନ୍ତି । ଏହି ବାଲି ମହାଦୁର୍ନୀତିରେ ମୁଖ୍ୟ ଅଭିଯୁକ୍ତ ଭାବେ ବାଲେଶ୍ୱର ଜିଲାପାଳଙ୍କ ବିରୋଧରେ ଉଚ୍ଚସ୍ତରୀୟ ତଦନ୍ତ ସହ ତାଙ୍କ ବିପକ୍ଷରେ ଫୌଜଦାରୀ ମାମଲା ରୁଜୁ ପାଇଁ ସେ ଦାବି କରିଛନ୍ତି । ଅନ୍ୟପକ୍ଷରେ ସବୁ ଜାଣି ଚୁପ ହୋଇ ବସିଥିବା ରାଜ୍ୟ ସରକାର ତୁରନ୍ତ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ଭାରତୀୟ ଜାତୀୟ କଂଗ୍ରେସ ତୀବ୍ର ଆନ୍ଦୋଳନକୁ ଓହ୍ଲାଇବ ବୋଲି ଶ୍ରୀ ନାୟକଙ୍କ ସମେତ ଜିଲା କଂଗ୍ରେସ କମିଟି ସଭାପତି ସଞ୍ଜୀବ ଗିରି, ବରିଷ୍ଠ କଂଗ୍ରେସ ନେତା ଗୋପୀନାଥ ପାଢ଼ୀ ଓ ପଶୁପତି ଉପାଧ୍ୟାୟ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ