ଜିଲ୍ଲାପ୍ରଶାସନ ଦ୍ୱାରସ୍ଥ ହେଲେ ସଂପର୍କୀୟ
ଛତ୍ରପୁର, (ଦେବଦତ୍ତ ମହାରଣା) : ଗତ୨ମାସ ତଳେ ଆନ୍ଧ୍ରପ୍ରଦେଶର ଆମଲାପୁରମ୍ ଅଂଚଳକୁ ଦାଦନ ଖଟିବା ନିମନ୍ତେ ଛତ୍ରପୁର ବ୍ଲକ ଅନ୍ତର୍ଗତ ବଣବୁଲା ପଲ୍ଲୀ ଗ୍ରାମର ବିଜୟ ଦାସ ଯାଇଥିବା ବେଳେ ଆଜି ତାଙ୍କର କୈାଣସି କାରଣରୁ ଆକସ୍ମିକ ମୃତ୍ୟୁ ଘଟିଛି । ଏନେଇ ମୃତ ବିଜୟଙ୍କ ମରଶରୀର ଆନ୍ଧ୍ରପ୍ରଦେଶରୁ ନିଜଗ୍ରାମକୁ ନେବା ନିମନ୍ତେ ଆମଲାପୁରମ ଟାଉନ ଥାନା ପୋଲିସ ପରିବାରଲୋକଙ୍କୁ ଫୋନ ଯୋଗେ ସୂଚନା ଦେଇଥିଲେ । ବିଜୟ ଜଣେ ଗରୀବ ଶ୍ରେଣୀ ହୋଇଥିବାରୁ ନିଜ ପରିବାରର ପ୍ରତିପୋଷଣ କରିବା ନିମନ୍ତେ ଆନ୍ଧ୍ର କୁ ଦାଦନ ଶ୍ରମିକ ଭାବେ ଯାଇଥିଲେ । ଆମଲାପୁରମ ଠାରେ ଦିନ ମଜୁରୀଆ ଭାବେ କାର୍ଯ୍ୟ କରିଆସୁଥିଲା । ହଠାତ୍ ତାଙ୍କର ମୃତ୍ୟୁ ଖବର ଶୁଣି ପରିବାର ଲୋକ ଭାଙ୍ଗି ପଡିଛନ୍ତି । ତାଙ୍କର ଗୋଟିଏ ୫ବର୍ଷ ଝିଅ ରହିଛି । ତେବେ ମୃତ ବିଜୟଙ୍କ ମର ଶରୀର ଆମଲାପୁରମ ଠାରୁ ବଣବୁଲା ଆଣିବା ନିମନ୍ତେ ତାଙ୍କ ପରିବାର ନିକଟରେ ସମ୍ବଳ ନଥିବାରୁ ସେମାନେ ଛତ୍ରପୁର ସ୍ଥିତ ଜିଲ୍ଲାଶ୍ରମକାର୍ଯ୍ୟାଳୟର ଦ୍ୱାରାସ୍ଥ ହୋଇଛନ୍ତି । ମୃତ ବିଜୟଙ୍କ ସମ୍ପର୍କୀୟ ମହେନ୍ଦ୍ର ଦାସ ଶୁକ୍ରବାର ଅପରାହ୍ନରେ ଜିଲ୍ଲାଶ୍ରମ ଅଧିକାରୀଙ୍କୁ ଭେଟି ଏସମ୍ବନ୍ଧରେ ଏକ ଲିଖିତ ଭାବେ ଜଣାଇଛନ୍ତି । ପ୍ରଶାସନ ପକ୍ଷରୁ ମୃତ ବିଜୟଙ୍କ ମର ଶରୀର ନିଜକୁ ଫେରାଇ ଆଣିବା ସହ ପରିବାର ବର୍ଗ ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ନିମନ୍ତେ ଯୁବନେତା ସିଏଚ.ମନୋଜ ରେଡ୍ଡୀ ଅନୁରୋଧ କରିଛନ୍ତି ।