ଜିଲ୍ଲାପ୍ରଶାସନ ଦ୍ୱାରସ୍ଥ ହେଲା ଘରୋଇ ବସ ମାଲିକ ସଂଘ,ସମାଧାନ ନହେଲେ ଅଗଷ୍ଟ ୧ରୁ ଧର୍ମଘଟ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନୋମୁଖୀ ଓ ବେନିୟମ ଭାବେ ଚଳାଚଳ କରୁଥିବାରୁ ଏହାକୁ ବିରୋଧ କରି ଶୁକ୍ରବାର ଘରୋଇ ବସ୍ମାଲିକ ସଂଘ ସ୍ୱର ଉତ୍ତୋଳନ କରିବା ସହିତ ଗଞ୍ଜାମ ଜିଲ୍ଲାପ୍ରଶାସନ ଦ୍ୱାରସ୍ଥ ହୋଇଛନ୍ତି l ଏହାର ପ୍ରତିବାଦରେ ଆସନ୍ତା ଅଗଷ୍ଟ ମାସ ୧ ତାରିଖରୁ ଧର୍ମଘଟ ସହ ଆନ୍ଦୋଳନ କରିବାର ନେଇ ଏକ ଦାବୀ ପତ୍ର ମୁଖ୍ୟମନ୍ତ୍ରୀ,ପରିବହନ ମନ୍ତ୍ରୀ, ଗଞ୍ଜାମ ଜିଲ୍ଲାପାଳ ଓ ଗଞ୍ଜାମ ଆରଟିଓ ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନଙ୍କୁ ପ୍ରଦାନ କରିଛନ୍ତି। ଏନେଇ ପୁରୁଷୋତ୍ତମପୁର, କୋଦଳା, ପୋଲସରା, ଆସିକା,ହିଞ୍ଜିଳି, ବୁଗୁଡା,ଛତ୍ରପୁର, ସମେତ ଜିଲାର ବିଭିନ୍ନ ଅଞ୍ଚଳର ଘରୋଇ ବସ୍ ମାଲିକ ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ଗଞ୍ଜାମ ଆରଟିଓ ମାନସ ରଞ୍ଜନ ସାହୁଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିବା ସହିତ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଜିଲାରେ ଯେଉଁ ଭଳି ଭାବରେ ଲକ୍ଷ୍ମୀ ବସ୍ ମନମୁଖୀ ଭାବରେ ଚଳାଚଳ କରୁଛି ତାହାକୁ ଘରୋଇ ବସମାଲିକମାନେ ବିରୋଧ କରିଛନ୍ତି। ଗ୍ରାମାଞ୍ଚଳରୁ ବ୍ଲକ ହେଡକ୍ବାର୍ଟର୍ସକୁ ଲକ୍ଷ୍ମୀ ବସ୍ ଚଳାଚଳ କରିବା ବଦଳରେ ସହରାଞ୍ଚଳ ଓ ମହାନଗରରେ ବିନା ପରିମିଟରେ ମନଇଛା ସମୟରେ ବସ ଚଲାଇବାରେ ଲାଗିଛନ୍ତି। ପୂର୍ବରୁ ବିଭିନ୍ନ ଅଞ୍ଚଳର ବସମାଲିକ ଓ ପ୍ରଶାସନ ପକ୍ଷରୁ ଗ୍ରାମାଞ୍ଚଳର ଲୋକଙ୍କ ସ୍ବାର୍ଥକୁ ନେଇ ନିଷ୍ଷତ୍ତି ପ୍ରସ୍ତୁତ ହୋଇଥିବା ରୁଟ୍ ଚାର୍ଟ ପ୍ରକାରେ ଚଳାଇବା ପରିବର୍ତ୍ତେ ଘରୋଇ ବସର ପରିମିଟ ସମୟ ଆଗରେ ଉଦ୍ଦେଶ୍ୟମୂଳକ ଭାବରେ ଲକ୍ଷ୍ମୀ ଚଳାଇବାରେ ଲାଗିଥିବା ହେତୁ ବସ୍ମାଲିକମାନେ କ୍ଷତିଗ୍ରସ୍ତହେବାରେ ଲାଗିଛନ୍ତି। ଯେଉଁ ଅଞ୍ଚଳରେ ବସଗାଡ଼ିର ସୁବିଧା ନାହିଁ ସେହି ଅଞ୍ଚଳକୁ ଲକ୍ଷ୍ମୀବସ୍ ଚଳାଚଳ କରିବା ବଦଳରେ ସରକାରୀ ନିୟମକୁ ଖୋଲାଖୋଲି ଭାବରେ ଉଲ୍ଲଂଘନ କରି ମନଇଛା ପ୍ରକାରେ ବସ୍ ଚଳାଇବାରେ ଲାଗିଛନ୍ତି। ଏବେ ଘରୋଇ ବସ ମାଲିକ ବହୁ କ୍ଷତି ସହିବା ସହ ସେମାନଙ୍କ ପରିବାର ଚଳାଇବା ଅତି କଷ୍ଟକର ହୋଇପଡୁଛି | ଏପରିକି ବସ ପାଇଁ ଆଣିଥିବା ଋଣ ମଧ୍ୟ୍ୟ ବାନ୍ଧିବାରେ ବିଫଳ ହେଉଛନ୍ତି |ଏଥିନେଇ ବସ୍ମାଲିକ ସଂଘ ପକ୍ଷରୁ ଗତ ମାର୍ଚ୍ଚ ୨୧ରେ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିବାବେଳେ ଏଯାବତ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ତୁରନ୍ତ ୭ ଦିନ ମଧ୍ୟରେ ଏହାର ସମାଧାନ କରାନଗଲେ ଆଗାମୀ ଅଗଷ୍ଟ ୧ରୁ ବସ ମାଲିକମାନେ ଧର୍ମଘଟ ସହ ଆନ୍ଦୋଳନ କରିବେ ବୋଲି ଉକ୍ତ ଲିଖିତ ଭାବରେ ପ୍ରଶାସନକୁ ଜଣାଇଛନ୍ତି।ଦାବୀ ପତ୍ର ପ୍ରଦାନ ବେଳେ ପୁରୁଷୋତ୍ତମପୁର ଘରୋଇ ବସ ମାଲିକ ସଂଘ ସଭାପତି ସନ୍ତୋଷ କୁମାର ପତି, ସମ୍ପାଦକ ଶରତ ଚନ୍ଦ୍ର ସାହୁ, ପୋଲସରା ସଭାପତି ଉମାକାନ୍ତ ବେହେରା, ସମ୍ପାଦକ ନୀଳାଞ୍ଚଳ ପଣ୍ଡା, ହିଞ୍ଜିଳି ସଭାପତି ଅରକ୍ଷିତ ଜେନା, ସମ୍ପାଦକ ଲାଲାଜୀ ମହାପାତ୍ର, ବୁଗୁଡ଼ା ସଭାପତି ଚିତ୍ରସେନ ନାୟକ, ଆସିକା ସଭାପତି ପୂର୍ଣଚନ୍ଦ୍ର ମହାନ୍ତି, ଶେରଗଡ଼ ସଭାପତି ରଞ୍ଜନ ପାତ୍ର ଓ ସମ୍ପାଦକ ଦୁର୍ଗା ପାଣିଗ୍ରାହୀ,କୋଦଳା ସଭାପତି ଶ୍ରୀଗୁଣ୍ଡିଚା ପରିଡା ଙ୍କ ସମେତ ବହୁ ମାଲିକ ମାନେ ଉପସ୍ଥିତ ଥିଲେ |