ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ କରୋନା ପଜିଟିଭ:ଡାକ୍ତରଙ୍କୁ ଗୃହସଙ୍ଗରୋଧକୁ ପଠାଗଲା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ କରୋନା ପଜିଟିଭ ବାହାରିବା ପରେ ତାଙ୍କୁ ଚିକିତ୍ସା କରିଥିବା ଡାକ୍ତରଙ୍କୁ ଗୃହ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି । ଘଟଣାରୁ ପ୍ରକାଶ ଯେ ଜନୈକ ଗର୍ଭବତୀ ମହିଳା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଆସିଥିବା ବେଳେ ସ୍ତ୍ରୀ ଓ ପ୍ରସୁତି ବିଭାଗର ଡାକ୍ତର କର୍ଣ୍ଣ ନାୟକ ସେହି ମହିଳାଙ୍କୁ ସଂପୃକ୍ତ ବିଭାଗରେ ପରୀକ୍ଷା କରିଥିଲେ । ପରେ ସଂପୃକ୍ତ ମହିଳାଙ୍କୁ କଟକ ରେଫର କରିଦିଆଯାଇଥିବା ବେଳେ ତାଙ୍କର କରୋନା ପଜିଟିଭ ଥିବା ଜଣାପଡିଥିଲା । ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କତ୍ତୃପକ୍ଷ ଜାଣିବା ପରେ ଡା. ନାୟକଙ୍କୁ ଗୃହ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେବା ସହିତ ସଂପୃକ୍ତ ମହିଳା ଚିକିତ୍ସିତ ହୋଇଥିବା ସ୍ଥାନକୁ ସାନିଟାଇଜ କରାଯାଇଛି ବୋଲି ଡାକ୍ତରଖାନାର କୋଭିଡ -୧୯ ନୋଡାଲ ଅଧିକାରୀ ଡା.ନୃପେନ ଶତପଥୀ ସୂଚନା ଦେଇଛନ୍ତି । କିନ୍ତୁ ଡା.ନାୟକ ସେହି ମହିଳାଙ୍କୁ ଚିକିତ୍ସା କରିବା ପରେ ଅନ୍ୟ କୈାଣସି ରୋଗୀଙ୍କୁ ପରୀକ୍ଷା କରିଛନ୍ତି କି ନାହିଁ ଏବଂ ଅନ୍ୟ ବେସରକାରୀ ନର୍ସିଂ ହୋମକୁ ଯାଇ ରୋଗୀଙ୍କୁ ଚିକିତ୍ସା କରିଛନ୍ତି କି ନାହିଁ ସେ ସମ୍ପର୍କରେ କୈାଣସି ତଥ୍ୟ ଅଦ୍ୟାବଧି ଜଣାପଡି ନାହିଁ । ଏସମ୍ପର୍କରେ ଆବଶ୍ୟକ ତଦନ୍ତ କରାଯିବାର ଆବଶ୍ୟକତା ରହିଛି ।


