ଜିଲ୍ଲାରେ ଆରମ୍ଭ ହେଲା ନୋ ବ୍ୟାଗ୍ ଡେ

ଛତ୍ରପୁର : ଗଂଜାମ ଜିଲ୍ଲା ଅଧିନସ୍ଥ ପ୍ରଥମରୁ ପଂଚମ ଶ୍ରେଣୀ ଥିବା ସମସ୍ତ ସରକାରୀ ସ୍କୁଲରେ ଶନିବାର ନୋ ବ୍ୟାଗ୍ ଡେ ଆରମ୍ଭ ହୋଇଛି । ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ଓ ସେମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆଣିବା ଲାଗି ଜିଲ୍ଲା ପ୍ରଶାସନର ଏହା ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ଶନିବାର ଛତ୍ରପୁର କ୍ଲଷ୍ଟର ପୁତିଗୋପାଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇ ଜିଲ୍ଲାପାଳ ଏହାର ଶୁଭାରମ୍ଭ କରିଛନ୍ତି । ଏହାସହିତ ସ୍ଥାନୀୟ ରିକାପଲ୍ଲୀ ସ୍କୁଲରେ ମଧ୍ୟ ଏହାର କାର୍ଯ୍ୟକାରୀ ହୋଇଛି । ପ୍ରତି ଶନିବାର ନୋ ବ୍ୟାଗ୍ ଡେ କରାଯିବ । ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ଚାପମୁକ୍ତ ଶିକ୍ଷା ଦିଆଯିବା ସହ ଚିତ୍ରାଙ୍କନ, ନାଚଗୀତ, ଗପ ଆଦି କୁହାଯିବ । ସେହିପରି ଜିଲ୍ଲାପାଳ ଦୁଇଟି ସ୍କୁଲର ବିଭିନ୍ନ କାର୍ଯ୍ୟ ବୁଲି ଦେଖିବା ସହ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ପଚାରି ବୁଝିଥିଲେ । କେତେକ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ଉପରେ ତନଖି ଦେଖିଥିଲେ । ଏହାସହ କରୋନା ସଂକ୍ରାନ୍ତୀୟ ରୋଗର ସଚେତନ କରିବା ସହ ପିଲାମାନେ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ କରିବା ସମ୍ପର୍କରେ ବିଭିନ୍ନ ମତ ରଖିଥିଲେ । ଜିଲ୍ଲାପାଳଙ୍କ ସହ ସମଗ୍ର ଶିକ୍ଷା ଅଭିଯାନର ଜିଲ୍ଲା ସଂଯୋଜିକା ବିନିତା ସେନାପତି, ଛତ୍ରପୁର ବିଇଓ ଅବିନାଶ ଶତପଥିଙ୍କ ସମେତ ଦୁଇଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ଜିଲ୍ଲାରେ ପ୍ରାୟ ୬୦୦ ସ୍କୁଲରେ ଏହି କାର୍ଯ୍ୟକ୍ରମ କରାଯାଉଛି । ପ୍ରଥମେ ଏହି କାର୍ଯ୍ୟକ୍ରମ ପ୍ରଥମରୁ ପଂଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ କରାଯାଉଛି । ଆଗାମୀ ଦିନରେ ସବୁ ଶ୍ରେଣୀରେ ଏହି କାର୍ଯ୍ୟକ୍ରମ କରାଯିବାର ସୂଚନା ରହିଛି । ରାଜ୍ୟରେ ପ୍ରଥମ କରି ଗଞ୍ଜାମ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ପୂର୍ବରୁ ମଧୁ ଆପ୍ ମଧ୍ୟ ଗଞ୍ଜାମ ଜିଲ୍ଲାରେ ପ୍ରଥମେ ଆରମ୍ଭ ହୋଇଥିଲା । ଜିଲ୍ଲାପାଳଙ୍କ ଏପରି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ